ନିୟମ ମାନିଲେ ସୁଫଳ ମିଳିବ, କ୍ରମାଗତ ୨ୟ ଦିନ ପାଇଁ ଏକଅଙ୍କରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

୩ ଆକ୍ରାନ୍ତ ୯ ସୁସ୍ଥ, ପଜିଟିଭ ସଂଖ୍ୟା ୪୭୦କୁ ବୃଦ୍ଧି

ବାରିପଦା: କ୍ରମାଗତ ଦ୍ବିତୀୟ ଦିନ ପାଇଁ ମୟୂରଭଞ୍ଜରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏକ ଅଙ୍କରେ ସିମୀତ ରହିଛି। ଆଜି ଜିଲ୍ଲାରୁ ମାତ୍ର ୩ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବିଜାତଳା ବ୍ଲକ୍‌ରୁ ୨ଜଣ ସଙ୍ଗରୋଧ କେନ୍ଦ୍ରରୁ ଥିବାବେଳେ ବାରିପଦା ପୌରପରିଷଦରୁ ଗୃହ ସଙ୍ଗରୋଧରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ସହିତ ଜିଲ୍ଲାରେ ପଜିଟିଭ୍‌ ସଂଖ୍ୟା ବୃଦ୍ଧିପାଇ ୪୭୦ରେ ପହଞ୍ଚିଛି । ସେହିପରି ଆଜି ଜିଲ୍ଲାରୁ ୯ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଫଳରେ ଜିଲ୍ଲାରେ ସୁସ୍ଥ ସଂଖ୍ୟା ୩୩୭ ରହିଥିବା ସମୟରେ ସକ୍ରିୟ ସଂଖ୍ୟା ୧୩୧ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂତ୍ରରୁ ମୃତ୍ୟୁ ସଂଖ୍ୟା ୨ ଥିବାର ଜଣାପଡ଼ିଛି । ଜୁଲାଇ ୭ରୁ ଜୁଲାଇ ୧୯ ଅର୍ଥାତ୍ ୧୩ ଦିନରେ ଆକ୍ରାନ୍ତ ସଂଖ୍ୟା ୨ ଶହ ବୃଦ୍ଧି ପାଇ ୪୬୬ରେ ପହଁଞ୍ଚିଥିଲା ।

ମାତ୍ର ଗତ ଦୁଇଦିନରେ ମାତ୍ର ୪ଟି ପଜିଟିଭ୍‌ ସାମ୍ନାକୁ ଆସିଛି। ମୟୂରଭଞ୍ଜରେ ପ୍ରଥମ ଥର ପାଇଁ ଚଳିତ ଜୁଲାଇ ମାସର ପ୍ରତ୍ୟେକ ଶନିବାର ଓ ରବିବାର ସପ୍ତାହାନ୍ତ ସର୍ଟଡ଼ାଉନକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରାଯାଇଛି । ଏହାର ପ୍ରଭାବ ସିଧାସଳଖ ଭାବେ ସ୍ଥାନୀୟ ସଂକ୍ରମଣ ଉପରେ ପ୍ରତିଫଳିତ ହୋଇଥିବା ଚର୍ଚ୍ଚା ହେଉଛି । ଏହା ସଂକ୍ରମଣ ସଂଖ୍ୟା ବୃଦ୍ଧିରେ ହଠାତ୍ ବ୍ରେକ୍‌ ଲଗାଇଥିବା କୁହାଯାଉଛି । ତେଣୁ ଏହା ଜିଲ୍ଲାବାସୀଙ୍କ ନିମନ୍ତେ ଏକ ଶୁଭ ସଙ୍କେତ ପାଲଟିଛି । ଜନସାଧାରଣ ଲକ୍‌ଡାଉନର ମାର୍ଗଦର୍ଶୀକାକୁ ମାନି ପରସ୍ପର ମଧ୍ୟରେ ସର୍ବନିମ୍ନ ସାମାଜିକ ଦୂରତା ୬ ଫୁଟ ରକ୍ଷାକରିବା ସାଙ୍ଗକୁ ମାସ୍କ ପିନ୍ଧିବା ଓ ବାରମ୍ବାର ହାତକୁ ଧୋଇବା ଦ୍ୱାରା କରୋନାକୁ ଜିତି ହେବ ବୋଲି ଗତ ଜୁଲାଇ ୨୦ ଓ ୨୧ର ରିପୋର୍ଟ ପ୍ରମାଣିତ କରାଇ ଦେଇଛି ।

 

ସମ୍ବନ୍ଧିତ ଖବର