କଟକ: ବାଇକ ଚାଳକମାନେ ନିଜର ସୁରକ୍ଷା ପାଇଁ ପିନ୍ଧୁଥିବା ହେଲମେଟ୍‌ରେ ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡର ଆଇଏସ୍‌ଆଇ ମାର୍କ ରହିବା ବାଧ୍ୟତାମୂଳକ। ଆଇଏସ୍‌ଆଇ ମାର୍କ ନଥିବା ହେଲମେଟ୍ ବଜାରରେ ବିକ୍ରି କଲେ ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ ସମ୍ପୃକ୍ତ ବ୍ୟବସାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ନିୟମ ରହିଛି। କିନ୍ତୁ, ଏ ନିୟମ ଥାଇ ବି ଶସ୍ତାରେ ବିନା ଆଇଏସ୍‌ଆଇ ମାର୍କା ହେଲମେଟ୍‌ ବ୍ୟାପକ ଭାବେ ବିକ୍ରି ହେବା ଘଟଣା ଚିନ୍ତାର କାରଣ ହୋଇଛି। ଏସବୁ ନକଲି ହେଲମେଟରେ ଆଘାତ ପ୍ରତିରୋଧ ଶକ୍ତି ନଥିବାରୁ ତଳେ ପଡ଼ି ଚାଳକ ମୃତ୍ୟୁ ମୁଖରେ ପଡ଼ୁଥିବା ଭଳି ସମ୍ବେଦନଶୀଳ ପ୍ରସଂଗ ଫୋରମ୍ ଫର୍ ପ୍ରିଭେନ୍ସନ ଅଫ୍ ରୋଡ ଆକ୍ସିଡେଣ୍ଟ ସାମନାକୁ ଆଣିଛି। ଏ ସଂକ୍ରାନ୍ତରେ ସଂସ୍ଥା ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ଅଣଦେଖା କରାଯାଉଥିବା ଅଭିଯୋଗ ହେଉଛି।  ବ୍ୟୁରୋ ଅଫ୍ ଇଣ୍ଡିଆନ ଷ୍ଟାଣ୍ଡାର୍ଡର ହେଲମେଟ୍ ଚାଳକ ପିନ୍ଧିବା ବାଧ୍ୟତାମୂଳକ ବୋଲି ୧୯୮୮ ମୋଟର ଯାନ ଆଇନର ଧାରା ୧୯୪ରେ କୁହାଯାଇଛି। ୨୦୨୦ ନଭେମ୍ବର ୨୬ରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ କୌଣସି ହେଲମେଟ୍ ବିନା ଆଇଏସଆଇ ମାର୍କରେ ବିକ୍ରି କରାଯାଇପାରିବ ନାହିଁ। କିନ୍ତୁ କେବଳ କଟକ, ଭୁବନେଶ୍ବର ନୁହେଁ, ରାଜ୍ୟର ପ୍ରାୟ ପ୍ରତ୍ୟେକ ଅଞ୍ଚଳରେ ଏବେ ନକଲି ହେଲମେଟ୍ କାରବାର ବ୍ୟାପକ ହେବାରେ ଲାଗିଛି।

Advertisment

୨୦୨୧ରେ ଫୋରମ୍ ଫର୍ ପ୍ରିଭେନସନ୍ ଅଫ୍ ରୋଡ ଆକ୍ସିଡେଣ୍ଟ ପକ୍ଷରୁ ନକଲି ହେଲମେଟ୍ ବିକ୍ରି ଓ ବ୍ୟବହାର ବିରୋଧରେ ଏକ ଅଭିଯାନ କଟକ ଓ ସମ୍ବଲପୁରରେ ଆରମ୍ଭ ହୋଇଥିଲା। ଏହି ସଂଗଠନ ପକ୍ଷରୁ ପରିବହନ ବିଭାଗ ମୁଖ୍ୟ ସଚିବ, ପରିବହନ କମିସନର, ଡିସିପି କଟକଙ୍କୁ ଭେଟି ଦାବି ଉପସ୍ଥାପନ କରାଯାଇଥିଲା। ସହରରେ ଥାନା ସ୍ତରରେ ଆଇଆଇସିମାନେ ନିଜ ଅଞ୍ଚଳରେ ଯେଭଳି ନକଲି ହେଲମେଟ୍ ବିକ୍ରି ନହେବ ସେଥିପାଇଁ ସୁନିଶ୍ଚିତ କରିବାକୁ ତତ୍କାଳୀନ ଡିସିପି ପ୍ରତିଶ୍ରୁତି ଦେଇଥିଲେ। ହେଲେ, ବର୍ତ୍ତମାନ ସୁଦ୍ଧା ଏଭଳି ନକଲି ହେଲମେଟ୍ କାରବାର ବିରୋଧରେ ସେଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ। ଅସଲି ହେଲମେଟର ମୂଲ୍ୟ ସାଧାରଣତଃ ୮୦୦ ଟଙ୍କାରୁ ଆରମ୍ଭ ହେଉଛି। କିନ୍ତୁ, ନକଲି ହେଲମେଟ୍ ୩୦୦ରୁ ୪୦୦ ଟଙ୍କା ଭିତରେ ମିଳିଯାଉଛି। ନକଲି ହେଲମେଟ୍ ସାଧାରଣତଃ ଦିଲ୍ଲୀ ଓ କୋଲକାତାରୁ କଟକ ଓ ଭୁବନେଶ୍ବର ସହରକୁ ଚାଲାଣ ହେଉଛି। ଅସଲି ବ୍ରାଣ୍ଡର ଷ୍ଟିକର ଲଗାଇ ଏହାକୁ ବିକ୍ରି କରାଯାଉଛି। ଅସଲି ହେଲମେଟରେ ଆଇଏସଆଇ ନମ୍ବର ଓ ଲୋଗୋ ଥାଏ। ଏଥିରେ ବାରକୋଡ୍‌ ଥାଏ। ନକଲି ହେଲମେଟରେ ବି ଏସବୁ ଥାଏ। କିନ୍ତୁ ପ୍ରତ୍ୟେକ ହେଲମେଟରେ ଏକ କୋଡ ଥାଏ, ଏହାକୁ ସ୍କାନ କଲେ ଆଇଏସଆଇ ଷ୍ଟାଣ୍ଡାର୍ଡ କି ନୁହେଁ ତାହା ଜଣାପଡେ। ନହେଲେ ଅସଲି ଓ ନକଲି ଭିତରେ ଫରକ ଆଦୌ ଜଣାପଡ଼ିନଥାଏ।

ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡଙ୍କୁ ଏହି ନକଲି ହେଲମେଟ୍ କାରବାର ଧରିବାକୁ ସ୍ବତନ୍ତ୍ର ଭାବେ ଦାୟିତ୍ବ ନ୍ୟସ୍ତ କରାଯାଇଛି। ଏହି ସରକାରୀ ସଂସ୍ଥାର କାର୍ଯ୍ୟାଳୟ ଭୁବନେଶ୍ବରରେ ରହିଛି। କିନ୍ତୁ ଏହି ସଂସ୍ଥା ସମ୍ପୂର୍ଣ୍ଣ ନିଷ୍କ୍ରିୟ ଥିବା କୁହାଯାଉଛି। କଟକରେ ପ୍ରତ୍ୟେକ ପ୍ରମୁଖ ଛକଗୁଡ଼ିକରେ ନକଲି ହେଲମେଟ୍ ବିକ୍ରି ହେଉଥିବା ପ୍ରମାଣ ବି ରହିଛି। ଏ ସଂକ୍ରାନ୍ତରେ ପରିବହନ ବିଭାଗ ଓ କମିସନରେଟ୍ ପୁଲିସକୁ ଭେଟି ଜଣାଇଥିଲେ ବି ନକଲି କାରବାର ରୋକାଯାଇପାରୁନାହିଁ। ଯାହାଫଳରେ ନକଲି ହେଲମେଟ୍ ପିନ୍ଧି ବାଇକ୍ ଚାଳକ ମରଣ ମୁହଁକୁ ଯାଉଥା’ନ୍ତି।
-ଡକ୍ଟର ବିକାଶ ମହାପାତ୍ର
ଉପଦେଷ୍ଟା, ଫୋରମ୍ ଫର୍ ପ୍ରିଭେନସନ୍
ଅଫ୍ ରୋଡ୍‌ ଆକ୍ସିଡେଣ୍ଟ

ଅସଲି ଓ ନକଲି ହେଲ୍‌ମେଟ୍‌ ଜାଣିବେ କିପରି?
ନକଲି ହେଲମେଟ୍ କାରବାର ରୋକିବା ଦାୟିତ୍ବ ଆଦୌ ପରିବହନ ବିଭାଗର ନୁହେଁ। କ୍ବାଲିଟି କଣ୍ଟ୍ରୋଲ ବ୍ୟୁରୋ ଏହି ଦାୟିତ୍ବ ତୁଲାଇବା କଥା। ସେ କହିଛନ୍ତି ଯେ ଅସଲି ହେଲମେଟ୍ ଇମ୍ପାକ୍ଟ ପ୍ରୁଫ୍ ହୋଇଥାଏ। ହେଲମେଟର ଉପର ଭାଗ କଠିନ ସ୍ତର ଥାଏ। ଏହା ବାଦ୍ ଭିତରେ ଏକ ସ୍ପଞ୍ଜ ସ୍ତର ରହିଥାଏ। ଏହାପରେ କପଡ଼ାର ଆଉ ଏକ ସ୍ତର ଦିଆଯାଇଥାଏ। ବାହାର ପଟେ ମାଡ଼ ହେଲେ ସ୍ପଞ୍ଜ ସ୍ତର ଏହି ଆଘାତକୁ ଗ୍ରହଣ କରିନେଇଥାଏ। ମୁଣ୍ଡ ପର୍ଯ୍ୟନ୍ତ ଏହି ଆଘାତ ପହଞ୍ଚିନଥାଏ। କିନ୍ତୁ ନକଲି ହେଲମେଟରେ ଯଦିଓ ଏହି ସ୍ତର ରହିଛି କିନ୍ତୁ ଉପରି ଭାଗ ସାମାନ୍ୟ ଆଘାତରେ ଭାଙ୍ଗିଯାଉଛି। ଚଳିତ ବର୍ଷ ଉଭୟ ଅସଲି ଓ ନକଲି ହେଲମେଟ୍ କିଭଳି ଚିହ୍ନିବେ ଏ ନେଇ କଟକ ଆରଟିଓ ପକ୍ଷରୁ କଟକ ସହରରୁ ଦୁଇଟି ହେଲମେଟ୍ ନମୁନା ସଂଗ୍ରହ କରି ପ୍ରଦର୍ଶନ କରାଯାଇଥିଲା। ନକଲି ହେଲମେଟ୍ ଗୋଟିଏ ହାତୁଡି ମାଡ଼ରେ ଭାଙ୍ଗିଯାଉଥିବା ବେଳେ ଅସଲି କିନ୍ତୁ ଭାଙ୍ଗିନଥାଏ।।
-ସଞ୍ଜୟ ବେହେରା
ଅବସରପ୍ରାପ୍ତ ଆରଟିଓ ଇଞ୍ଜିନିୟର