ଖୋର୍ଦ୍ଧା: କୋଭିଡ-୧୯ ସଂକ୍ରମଣ ରୋକିବାକୁ ଗୃହାବଦ୍ଧ ନିର୍ଦ୍ଦେଶ ଦିଆଯାଇଛି। ଅତ୍ୟାବଶ୍ୟକ ସାମଗ୍ରୀ ବ୍ୟତୀତ ଅନ୍ୟ ସମସ୍ତ ସାମଗ୍ରୀର କିଣାବିକା ଉପରେ ପ୍ରତିବନ୍ଧକ ଲଗାଯାଇଛି। ଶିଳ୍ପ, ଦୋକାନ, ବଜାର ସମସ୍ତ ବନ୍ଦ ରହିଛି। ଏହି ପରିପ୍ରେକ୍ଷୀରେ ପଂଚାୟତ ସ୍ତରରେ ଅସହାୟ ଲୋକଙ୍କୁ ଖାଇବାକୁ ଦେବା ନେଇ ପ୍ରଶାସନର ନିର୍ଦ୍ଦେଶାନାମାକୁ ନେଇ ଏବେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି।
ସୂଚନାନୁସାରେ, ମାର୍ଚ୍ଚ ୩୦ ତାରିଖରେ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ନିର୍ଦ୍ଦେଶାନୁସାରେ ଜିଲ୍ଲାପାଳ ଚିଠି ନଂ ୨୦୫୦/୨୦୨୦ରେ ସମସ୍ତ ପଂଚାୟତରେ ଥିବା ପ୍ରବାସୀ ଶ୍ରମିକଙ୍କ ଖାଇବା ଓ ରହିବାର ବନ୍ଦୋବସ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିପାଇଁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଦୈନିକ ଥରଟିଏ ଖାଦ୍ୟ ନିମନ୍ତେ ୩୦ଟଙ୍କା ଖର୍ଚ୍ଚ କରିବାକୁ ପରାମର୍ଶ ଦିଆଯାଇଥିଲା। କେବଳ ଏହାନୁହେଁ, ୨୯ ତାରିଖରେ ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶାନୁସାରେ, ସମସ୍ତ ସୀମାନ୍ତବର୍ତୀ ଜିଲ୍ଲାଗୁଡ଼ିକରେ ପ୍ରବାସୀ ଶ୍ରମିକଙ୍କ ରହିବା, ଖାଇବା ସହ ସ୍ୱାସ୍ଥ୍ୟ ପରୀକ୍ଷା କରାଇବାକୁ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକଙ୍କୁ କୁହାଯାଇଥିଲା। ଏଥିପାଇଁ ପଂଚାୟତର ବନ୍ଦ ହୋଇଥିବା ଏବଂ ଶୌଚାଳୟ, ପାନୀୟ ଜଳ ସୁବିଧା ଥିବା ସ୍କୁଲ ଓ କଲେଜ ପରିସର ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।
ଏହାପରେ ପୁଣି ସେହି ଦିନ ସଂଧ୍ୟାରେ ଅନ୍ୟ ଏକ ଚିଠିରେ (୨୦୫୩/୨୦୨୦)ରେ ଜଣେ ପ୍ରବାସୀ ଶ୍ରମିକ, ଅସହାୟ, ଦୁଃସ୍ଥଙ୍କ ପିଛା ଦୈନିକ ୬୦ଟଙ୍କା ଓ ୧୨ ବର୍ଷରୁ କମ୍ ଶିଶୁଙ୍କ ପିଛା ୪୫ଟଙ୍କା ଖର୍ଚ୍ଚ କରି ଶୁଖିଲା କିମ୍ବା ରନ୍ଧାଖାଦ୍ୟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଅସହାୟ, ଦୁଃସ୍ଥଙ୍କ ନିମନ୍ତେ ଖାଇବା ବ୍ୟବସ୍ଥା କରିବା ସମୟରେ ପୁଣି ପଂଚାୟତର ନିର୍ବାହୀ ଅଧିକାରୀ ସରପଂଚମାନଙ୍କୁ କହିଛନ୍ତି ଯେ ଯେଉଁମାନଙ୍କ ରାସନକାର୍ଡ ରହିଛି ଓ ୩ ମାସର ରାସନ ଓ ଭତ୍ତା ମିଳିଛି ସେମାନଙ୍କ ପାଇଁ ରନ୍ଧାଖାଦ୍ୟ ଦିଆଯିବ ନାହିଁ।
ବର୍ତମାନ ଏଭଳି ସ୍ଥିତିରେ କେଉଁ ନିର୍ଦ୍ଦେଶକୁ କିଭଳି ପାଳନ କରି ଖାଦ୍ୟ ପ୍ରସ୍ତୁତ କରିବେ ସରପଂଚ ଓ ସମ୍ପୃକ୍ତ ସ୍କୁଲର ପ୍ରଧାନ ଶିକ୍ଷକ ହରଡ଼ଘଣାରେ ପଡ଼ିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/03/market-closed-1.jpg)