ଭୁବନେଶ୍ୱର : ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ନୂତନ ରାସନ କାର୍ଡ ପ୍ରଦାନ ପାଇଁ ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ଖାଦ୍ୟ କମିସନ। ଆସନ୍ତା ମାର୍ଚ ୩୧ତାରିଖ ସୁଦ୍ଧା ଚୂଡ଼ାନ୍ତ ତାଲିକାରେ ଥିବା ହିତାଧିକାରୀଙ୍କୁ ନୂତନ ରାସନ କାର୍ଡ ପ୍ରଦାନ କରିବାକୁ କୁହାଯାଇଛି।

Advertisment

କମିସନଙ୍କ ପକ୍ଷରୁ ଗତବର୍ଷ ଡିସେମ୍ବର ୩୧ତାରିଖରୁ ଜାରି କରାଯାଇଥିବା ଫର୍ମାଟ୍‌ରେ ନିଜ ଜିଲ୍ଲାର ସ୍ଥିତି ସଂପର୍କରେ ଉଲ୍ଲେଖ କରିବାକୁ କୁହାଯାଇଥିଲା। ମାତ୍ର ୭ଟି ଜିଲ୍ଲା ପ୍ରାରମ୍ଭିକ ବାଲାନ୍‌ସ ସହିତ ଅନ୍ତିମ ବାଲାନ୍‌ସକୁ ନିଶ୍ଚିତ କରିପାରି ନାହାନ୍ତି। ରାଜ୍ୟର ୧୯.୬୭ଲକ୍ଷ ପରିବାର ଖାଦ୍ୟଶଷ୍ୟ ନେଉଥିବା ବେଳେ ସେମାନଙ୍କ ନିକଟରେ ମୁଦ୍ରିତ ରାସନ କାର୍ଡ ପହଞ୍ଚିପାରି ନାହିଁ। ରାସନ ବିତରଣ ରେଜଷ୍ଟ୍ରୋର ଜରିଆରେ ଅସ୍ଥାୟୀ ଭାବେ ସେମାନଙ୍କୁ ଖାଦ୍ୟଶଷ୍ୟ ଯୋଗାଇ ଦିଆଯାଉଛି। ମାତ୍ର ସେମାନଙ୍କ ନିକଟରେ ରାସନ କାର୍ଡ ନାହିଁ।

୨୦୧୫ ମସିହାରୁ ନୂଆ ରାସନ କାର୍ଡ ପାଇଁ ଆବେଦନପତ୍ର ଜାରି କରାଯାଇଥିଲା। ତେବେ ୨୦୧୭ ମସିହାର ଅନ୍ତିମ କ୍ୱାର୍ଟରରେ ୫୮ହଜାର ୭୫୮ଟି ଆବେଦନପତ୍ର ପହଞ୍ଚିଥିଲା। ତହିଁରୁ ୧୨ହାଜର ୩ଶହ ଆବେଦନପତ୍ରକୁ ଖାରଜ କରିଦିଆଯାଇଥିଲା। ଚୂଡ଼ାନ୍ତ ତାଲିକାରେ ୮୭ହଜାର ୨୫୯ ପରିବାର ରହିଥିବା ବେଳେ କାର୍ଡ ଅଭାବରୁ ସେମାନଙ୍କୁ ଖାଦ୍ୟଶଷ୍ୟ ପ୍ରଦାନରେ ସମସ୍ୟା ଉପୁଜୁଛି। ଏହାସହ ଖାଦ୍ୟ କିମସନ କାର୍ଯ୍ୟକାରୀ ହେବା ପରେ ୨୦୧୬/୧୭ରେ ୮ଲକ୍ଷ ହିତାଧିକାରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ତେବେ ମାତ୍ର ୪୦ହଜାର ଲୋକଙ୍କ ମୃତ୍ୟୁ ଖବର ଫିଲ୍‌ଡରେ କାର୍ଯ୍ୟ କରୁଥିବା ଅଧିକାରୀ ଜଣାଇଥିଲେ। ଗତବର୍ଷ ସୁଦ୍ଧା ଅନୁଗୁଳ, ଭଦ୍ରକ, ମାଲକାନାଗିରି ଓ ନୂଆପଡ଼ାର ଜିଲ୍ଲାପାଳ ନିଜ ଜିଲ୍ଲାରେ କୌଣସି ହିତାଧିକାରୀଙ୍କ ମୃତ୍ୟୁ ତାଲିକା ପାଇ ନ ଥିବା ବେଳେ ଅନ୍ୟ ୨୬ଜିଲ୍ଲାରେ ୬୦ହଜାର ୮୨୫ଜଣ ହିତାଧିକାରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତେଣୁ ପ୍ରକୃତ ହିତାଧିକାରୀ ଚିହ୍ନଟ କରି ସେମାନଙ୍କୁ ରାସନ କାର୍ଡ ପ୍ରଦାନ କରିବାକୁ କମିସନ ପକ୍ଷରୁ କୁହାଯାଇଛି।