ଖାଦ୍ୟ କମିସନରଙ୍କ ଖୋର୍ଦ୍ଧା ଗସ୍ତ ଓ ସମୀକ୍ଷା

ଖୋର୍ଦ୍ଧା: ରାଜ୍ୟ ଖାଦ୍ୟ କମିଶନର ପ୍ରମୋଦ କୁମାର ମେକାପ ଆଜି ଖୋର୍ଦ୍ଧା ଜିଲ୍ଲା ସଦର ମହକୁମା ଗସ୍ତ କରିବା ସହ ଖାଦ୍ୟ ଯୋଗାଣ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ଆଜି ପୂର୍ବାହ୍ଣରେ ଶ୍ରୀ ମେକାପ ଖୋର୍ଦ୍ଧାରେ ପହଂଚିଥିଲେ । ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଯୋଗ ଦେଇ ବିଦ୍ୟାଳୟର ମଧ୍ୟାହ୍ଣ ଭୋଜନ, ଅଙ୍ଗନବାଡ଼ି କେନ୍ଦ୍ରରେ ପ୍ରସୂତୀ, ଗର୍ଭବତୀ ଓ ଶିଶୁଙ୍କ ଖାଦ୍ୟ ପ୍ରଦାନ ବ୍ୟବସ୍ଥା ଆଦି ସମ୍ପର୍କରେ ସମୀକ୍ଷା କରିଥିଲେ। ଜିଲ୍ଲାରେ ସାଧାରଣ ବଂଟନ ବ୍ୟବସ୍ଥାକୁ ସୁଦୃଢ଼ କରିବା, ବିଭିନ୍ନ ଭତ୍ତା ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ସମ୍ପୃକ୍ତ କରିବାକୁ ଅଧିକ ଗୁରୁତ୍ୱ ଦେଇଥିଲେ । ଏହା ସହ ଅଙ୍ଗନବାଡ଼ି କେନ୍ଦ୍ରର କାର୍ଯ୍ୟ, ଅଙ୍ଗନବାଡ଼ି ଓ ଆଶାକର୍ମୀଙ୍କ ଦ୍ୱାରା ଗର୍ଭବତୀ ଓ ପ୍ରସୂତୀଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ତଥ୍ୟ ସଂଗ୍ରହ ଓ ସେମାନଙ୍କୁ ଆବଶ୍ୟକ ପରାମର୍ଶ ଦେବା କାର୍ଯ୍ୟ ଯେପରି ପ୍ରତିବଦ୍ଧତାମୂଳକ ଭାବେ ଚାଲିବ ସେଥିବା ପାଇଁ ଦୃଷ୍ଟି ଦେବାକୁ ସେ ବିଭାଗୀୟ ଅଧିକାରୀଙ୍କୁ କହିଥିଲେ । ମଧ୍ୟାହ୍ଣ ଭୋଜନ ଯୋଗାଣ ସମ୍ପର୍କରେ ମଧ୍ୟ ପଚାରି ବୁଝିଥିଲେ ।

ଏହି ବୈଠକରେ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତୀ, ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢ଼ୀ, ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଦିଗନ୍ତ ରାଉତରାୟ, ଖାଦ୍ୟ କମିଶନ ସଦସ୍ୟ ସଚିବ ଶିବାନୀ ମହାନ୍ତି, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା ଆର୍ତବନ୍ଧୁ ନାୟକ, ଖୋର୍ଦ୍ଧା ବିଡିଓ କ୍ଷୀରାବ୍ଧି ତନୟା ସାହୁ, ଜିଲ୍ଲା ଯୋଗାଣ ଅଧିକାରୀ ସୁଗୁଡ଼ା ମୁର୍ମୁ, ଜିଲ୍ଲା ଶିକ୍ଷାଧିକାରୀ ବିଶ୍ୱନାଥ ତରାଇ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପୁଷ୍ପାଂଜଳି ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।
ବୈଠକ ପରେ କମିଶନର, ସଦସ୍ୟ ସଚିବ ଓ ଜିଲ୍ଲାର ଅନ୍ୟ ଅଧିକାରୀମାନେ ସ୍ଥାନୀୟ ବକ୍ସି ଜଗବନ୍ଧୁ ବିଦ୍ୟାଧର ଉଚ୍ଚବିଦ୍ୟାଳୟ ଗସ୍ତ କରିଥିଲେ । ସେଠାରେ ପୂର୍ବତନ ଛାତ୍ରମାନଙ୍କ ସହ ମୋ ସ୍କୁଲ ଅଭିଯାନର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ । ଏହାପରେ ପୌରପାଳିକାରେ ବିଭିନ୍ନ ସାଧାରଣ ବଂଟନ ପାଇକାରୀ କେନ୍ଦ୍ରଗୁଡ଼ିକ ଗସ୍ତ କରିଥିଲେ । ପଲ୍ଲାର ଅଙ୍ଗନବାଡ଼ି କେନ୍ଦ୍ର, ମଳିପଡ଼ା ଉଚ୍ଚପ୍ରାଥମିକ ବିଦ୍ୟାଳୟର ମଧ୍ୟାହ୍ଣ ଭୋଜନର ମାନ ଯାଂଚ ଓ ଗୋଡ଼ିପଡ଼ା ପଂଚାୟତର ସ୍ୱୟଂ ସହାୟିକା ଗୋଷ୍ଠୀର ଉତ୍ପାଦିତ ସାମଗ୍ରୀ ଦେଖିଥିଲେ ।

ସମ୍ବନ୍ଧିତ ଖବର