‘ବାଟା’ ପାଇଁ ହଟହଟା ପ୍ରସଙ୍ଗ: ଖର୍ଚ୍ଚ ବୃଦ୍ଧିରେ ଅସହାୟ ପୁଲିସ ବିଭାଗ!

ଜେଲ୍‌ରେ ବଢ଼ିଲା, ଥାନାରେ କେବେ? ୮୦ ଟଙ୍କା ପାଇଁ ଡିଜିଙ୍କୁ ଦାବିପତ୍ର

କଟକ : ଜେଲ୍‌ରେ ରହୁଥିବା କଏଦୀଙ୍କ ଦୈନିକ ଖାଇବା ଖର୍ଚ୍ଚ ୬୪ ଟଙ୍କାରୁ ୮୦ ଟଙ୍କା ବୃଦ୍ଧି ହେଲାଣି। କିନ୍ତୁ ଏବେ ଦରଦାମ ଯେଭଳି ଉପରମୁହାଁ ହେଉଛି, ପୁଲିସ ବିଭାଗ ଗଲା ୭ ବର୍ଷ ହେବ ୩୦ ଟଙ୍କାରେ ଅଟକି ରହିବା ଆଶ୍ଚର୍ଯ୍ୟଜନକ ପରିସ୍ଥିତି ସୃଷ୍ଟି କରିଛି। ତା’ଠୁ ଅଧିକ ଚିନ୍ତାଜନକ ଘଟଣା- ବିଭାଗ ଏ କ୍ଷେତ୍ରରେ ସମ୍ପୂର୍ଣ୍ଣ ନିରବ ରହି ପରୋକ୍ଷରେ ନିଜର ଅସହାୟତା ପ୍ରକାଶ କରିବା। ଆବଶ୍ୟକ ଅନୁଯାୟୀ ଖାଦ୍ୟ ଖର୍ଚ୍ଚ ଜଣେ ଅଭିଯୁକ୍ତକୁ ଜେଲ୍ ଭଳି ଥାନାରେ ମିଳୁ ନଥିବାରୁ ଏହା ମାନବାଧିକର ଉଲ୍ଲଂଘନ ହେଉଥିବା ପୂର୍ବତନ ଡିଜି ବିପିନ ବିହାରୀ ମିଶ୍ର କ୍ଷୋଭର ସହ କହିଛନ୍ତି। ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ୮୦ ଟଙ୍କାକୁ ବୃଦ୍ଧି ପାଇଁ ଡିଜିଙ୍କ ନିକଟରେ ଦାବିପତ୍ର ପ୍ରଦାନ କରାଯାଇଛି। ତେବେ ଏଭଳି ବିଚିତ୍ର ନିୟମରେ ପରିବର୍ତ୍ତନ କେବେ?

୨୦୧୫ ଫେବ୍ରୁଆରି ୧୩ ତାରିଖରେ ପୁଲିସ ସର୍କୁଲାର ଅର୍ଡର୍‌ ବଳରେ ଥାନା ହାଜତରେ ରହୁଥିବା ଅଭିଯୁକ୍ତଙ୍କ ଦୁଇ ପ୍ରକାର ଖାଦ୍ୟ ଖର୍ଚ୍ଚରେ କେବେ ପରିବର୍ତ୍ତନ କରିବ ଗୃହ ବିଭାଗ? ଥାନାରେ ଅଟକ ରଖୁଥିବା ବ୍ୟକ୍ତିଙ୍କୁ ଗୋଟିଏ ମାତ୍ର ମିଲ୍ ପାଇଁ ୨୦ ଟଙ୍କା ଓ ଗିରଫ ଅଭିଯୁକ୍ତକୁ ୩୦ ଟଙ୍କା ଖାଇବା ଖର୍ଚ୍ଚ ଦେବାକୁ ଧାର୍ଯ୍ୟ ହୋଇଛି। ‘ସମ୍ବାଦ’ରେ ଏ ପ୍ରସଙ୍ଗରେ ଗଲା ୩୦ ତାରିଖରେ ଖବର ପ୍ରକାଶ ପାଇଥିବା ସତ୍ତ୍ବେ ପୁଲିସ ବିଭାଗ ଏ ଦିଗରେ ସମ୍ପୂର୍ଣ୍ଣ ନିରବ। ଦିନକୁ ଅତି କମ୍‌ରେ ଜଣେ ଅଭିଯୁକ୍ତର ଖାଇବା ଖର୍ଚ୍ଚ ୧୨୦ରୁ ୧୩୦ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ୩୦ ଟଙ୍କା ନିୟମରେ ପରିବର୍ତ୍ତନ ନକରି ଥାନାବାବୁଙ୍କୁ ଦୁର୍ନୀତି ପାଇଁ ଏକ ପ୍ରକାର ବାଟ ଛାଡ଼ିଦେଇଛି। ରାଜ୍ୟରେ ଜେଲ୍‌ରେ କଏଦୀ ପିଛା ଦୈନିକ ଖାଦ୍ୟ ବାବଦ ଖର୍ଚ୍ଚ ୬୪ ଟଙ୍କାରୁ ୮୦ ଟଙ୍କାକୁ ଗଲା ଏପ୍ରିଲ ୧୮ ତାରିଖରେ ଗୃହ ବିଭାଗ ବୃଦ୍ଧି କରିଥିବା ବେଳେ ପୁଲିସ ବିଭାଗ ଥାନା ସ୍ତରରେ ଏ ନିୟମ କେବେ କାର୍ଯ୍ୟକାରୀ କରିବ, ଏହାରି ଉପରେ ସମସ୍ତଙ୍କ ନଜର ରହିଛି।

ଅଭିଯୁକ୍ତଙ୍କ ଖାଦ୍ୟ ଖର୍ଚ୍ଚ ୮୦ ଟଙ୍କାକୁ ବୃଦ୍ଧି କରିବା ପାଇଁ ସ୍ବେଚ୍ଛାସେବୀ ସଂଗଠନ ‘ଓଲ୍‌ସା’ ପକ୍ଷରୁ ଆଇନଜୀବୀ ବିପିନ କୁମାର ଚୌଧୁରୀ ପୁଲିସ ଡିଜିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହାସହିତ ଗୃହ ବିଭାଗ ସଚିବ, ମୁଖ୍ୟ ସଚିବ, ଅର୍ଥ ସଚିବଙ୍କୁ ମଧ୍ୟ ଦାବିପତ୍ର ପ୍ରଦାନ କରି ତୁରନ୍ତ ଏ ଦିଗରେ ବିଚାର କରିବାକୁ ଦର୍ଶାଇଛନ୍ତି।

ଜଣେ ଅଭିଯୁକ୍ତର ମାନବାଧିକାର ସହିତ ଜଡ଼ିତ ଏଭଳି ସମ୍ବେଦନଶୀଳ ପ୍ରସଂଗରେ ପୂର୍ବତନ ପୁଲିସ ଡିଜି ବିପିନ ବିହାରୀ ମିଶ୍ର କହିଛନ୍ତି ଯେ ବର୍ତ୍ତମାନ ପୁଲିସ ବିଭାଗରେ ଯେଉଁ ଦୁଇ ପ୍ରକାରର ‘ବାଟା’ ଦେବାର ନିୟମ ରହିଛି, ଜଣେ ଅଭିଯୁକ୍ତଙ୍କୁ ୩୦ ଟଙ୍କାରେ ଦିନକୁ ତିନି ଥର ଖାଇବାକୁ ଦେବା କିଭଳି ସମ୍ଭବ? ଏଭଳି ବ୍ୟବସ୍ଥା ଦ୍ବାରା ଥାନା ବାବୁଙ୍କୁ ବାଧ୍ୟ କରାଯାଉଛି ଅନ୍ୟମାନଙ୍କ ଉପରେ ନିର୍ଭର ହେବାକୁ। ୧୯୬୯ରେ ଏକ ଛାତ୍ର ଆନ୍ଦୋଳନରେ ପୁରୀରେ କଚେରିକୁ ଅବରୋଧ କରୁଥିବା ଅନେକ ଛାତ୍ରଙ୍କୁ ଥାନାକୁ ଅଣାଯାଇଥିଲା। ପୁଲିସକୁ ଖାଇବାକୁ ଦେବାରେ ସମସ୍ୟା ହେବାରୁ ଏକ ଧର୍ମଶାଳାକୁ ଏଥିପାଇଁ ଅନୁରୋଧ କରାଯାଇଥିଲା। ଆଜି ବି ଥାନା ସ୍ତରରେ ସମାନ ପରିସ୍ଥିତି। ପୁଲିସ ଡିଜି ଖାଦ୍ୟ ଖର୍ଚ୍ଚ ବୃଦ୍ଧି ପାଇଁ ଗୃହ ବିଭାଗକୁ ପ୍ରସ୍ତାବ ଦିଅନ୍ତୁ। ତା’ ପୂର୍ବରୁ ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ ମାଧ୍ୟମରେ ଏ ଦିଗରେ ତର୍ଜମା କରି ଦୈନିକ କେତେ ଟଙ୍କା ଜଣେ ଅଭିଯୁକ୍ତ ପିଛା ଦେବା ଉଚିତ, ସେ ନେଇ ମଧ୍ୟ ଅନୁଧ୍ୟାନ କରାଯାଉଛି। ଏହା ମାନବାଧିକାର ଉଲ୍ଲଂଘନ ହେଉଥିବା ଶ୍ରୀ ମିଶ୍ର କ୍ଷୋଭ ପ୍ରକାଶ କରିଛନ୍ତି।

ହାଇକୋର୍ଟ ଆଇନଜୀବୀ ସୌରଚନ୍ଦ୍ର ମହାପାତ୍ର ଏହି ପ୍ରସଂଗରେ ମଧ୍ୟ ସମାନ ମତ ରଖିଛନ୍ତି। ସେ କହିଛନ୍ତି ଯେ ଥାନାରେ ଅଟକ ରହୁଥିବା ଗରିବ ଶ୍ରେଣୀୟ ଲୋକେ ଅଧିକ ପ୍ରଭାବିତ ହେଉଛନ୍ତି। ଥାନାରେ ଆବଶ୍ୟକ ଅନୁଯାୟୀ ଖାଦ୍ୟ ମିଳୁନାହିଁ। ପ୍ରଭାବଶାଳୀ ଲୋକେ ଘରୁ ଖାଦ୍ୟ ମଗାଇ ବେଆଇନ ଭାବେ ଖାଇବାର ନଜିର ରହିଛି। ଖର୍ଚ୍ଚ ବୃଦ୍ଧି ନିହାତି ଆବଶ୍ୟକ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର