କେନ୍ଦୁଝର: କନ୍ଧମାଳରେ ଆମ୍ବଟାକୁଆ ଜାଉ ଖାଇ ୨ ଜଣ ଆଦିବାସୀ ମହିଳାଙ୍କ ମୃତ୍ୟୁକୁ ନେଇ ଗତ କିଛି ଦିନ ହେଲା ତମ୍ବିତୋଫାନ ଚାଲିଛି। ବିରୋଧୀ ଦଳ ରାଜ୍ୟ ସରକାରଙ୍କୁ ଏହି ପ୍ରସଙ୍ଗରେ ଘେରିଥିବା ବେଳେ ରାଜନୈତିକ ବୟାନବାଜି ମଧ୍ୟ ବଢ଼ିବାରେ ଲାଗିଛି। ଅନ୍ୟପକ୍ଷରେ ଜନଜାତିମାନଙ୍କ ପାରମ୍ପରିକ ଖାଦ୍ୟାଭାସ ବଦଳୁନି କି ବନଜାତ ଖାଦ୍ୟରୁ ସେମାନେ ମୋହ ତୁଟାଇ ପାରୁନାହାନ୍ତି। ଆଦିବାସୀମାନେ ଜଙ୍ଗଲରୁ ମିଳୁଥିବା କାଇରୁ ପ୍ରସ୍ତୁତ ଚଟଣିକୁ ପଖାଳ ସହ ଖାଉଛନ୍ତି ତ କେବେକେବେ ଏହାକୁ ତେଲରେ ଭାଜି ମୁଢ଼ି ସହ ମିଶାଇ ଖାଉଛନ୍ତି। କାଇଠାରୁ ଆରମ୍ଭ କରି ଝଡ଼ିପୋକ (କଲେଇ) ଜନଜାତିମାନଙ୍କର ପ୍ରମୁଖ ଖାଦ୍ୟ ହୋଇ ରହିଆସିଛି। ଜଙ୍ଗଲରୁ ମିଳୁଥିବା ବିଭିନ୍ନ ପ୍ରକାର ଛତୁ, ଜଙ୍ଗଲି ଶାଗ ଖାଇଥା’ନ୍ତି। ଅନେକ ସମୟରେ ଏହି ଜଙ୍ଗଲି ଛତୁରୁ ବିଷକ୍ରିୟା ହୋଇ ଜନଜାତି ପ୍ରାଣ ହରାଇଥିବାର ରିପୋର୍ଟ ଆସୁଛି। ଜନଜାତିଙ୍କୁ ଚାଉଳ ମିଳୁଥିଲେ ମଧ୍ୟ ସେମାନେ ପାରମ୍ପରିକ ବନଜାତ ଖାଦ୍ୟ ଖାଉଛନ୍ତି। ଏ ପ୍ରକାର ଅଭ୍ୟାସ ସଭ୍ୟ ସମାଜ ପାଇଁ ଅଭିଶାପ। ଏହାକୁ ନେଇ ବ୍ୟାପକ ସଚେତନତାର ଆବଶ୍ୟକତା ଥିବା ବୁଦ୍ଧିଜୀବୀ ମତ ରଖିଛନ୍ତି।
କେନ୍ଦୁଝରରୁ ଆରମ୍ଭ କରି ଆଦିବାସୀବହୁଳ ମୟୂରଭଞ୍ଜ, କୋରାପୁଟ, ରାୟଗଡ଼ା, ମାଲକାନଗିରି, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, ଗଜପତି ଆଦି ଜିଲ୍ଲାରେ ଆଦିବାସୀ ସମୁଦାୟ ନିଜର ଖାଦ୍ୟ ଓ ଜୀବିକା ପାଇଁ ଜଙ୍ଗଲ ଉପରେ ନିର୍ଭରଶୀଳ। ଖାଦ୍ୟ ହିସାବରେ ସେମାନେ ମାଣ୍ଡିଆ, ସୁଆଁ, ଗୁଳୁଦି, ବାଜରା ଆଦି ଶସ୍ୟକୁ ବହୁଳ ଭାବେ ବ୍ୟବହାର କରନ୍ତି। ସେହିପରି କେନ୍ଦୁ, ପିତାଳୁ, ବନ୍ତାଳୁ, କନ୍ଦମୂଳ, କରମଙ୍ଗା, ଗିଲିରି ଫୁଲ, ଫୁଟି କାକୁଡ଼ି, ବାଉଁଶ କରଡ଼ି, ସର୍ଗିଫୁଲ, ମହୁଲ ଫୁଲ ଓ ବିଭିନ୍ନ ପ୍ରକାର କୋଳି ସେମାନଙ୍କ ପସନ୍ଦ। ଏହାଛଡ଼ା କାଈ ଓ ଝଡ଼ିପୋକକୁ ମଧ୍ୟ ଜନଜାତି ସମ୍ପ୍ରଦାୟ ଖାଦ୍ୟ ହିସାବରେ ଗ୍ରହଣ କରିଥାନ୍ତି। ନିକଟରେ କେନ୍ଦ୍ର ସରକାର ମୟୂରଭଞ୍ଜ ଜିଲ୍ଲାରେ କାଇରୁ ପ୍ରସ୍ତୁତ ଚଟଣିକୁ ଜିଆଇ ଟ୍ୟାଗ୍ ପ୍ରଦାନ କରିଛନ୍ତି। ସେହିପରି ପାନୀୟ ହିସାବରେ ସଲପ, ହାଣ୍ଡିଆ, ମହୁଲି ଓ ତାଡ଼ି ଜନଜାତି ସମ୍ପ୍ରଦାୟରେ ଲୋକପ୍ରିୟ। ଆଦିବାସୀମାନେ ସାଧାରଣତଃ ଜଙ୍ଗଲରୁ ସଂଗୃହୀତ ଖାଦ୍ୟକୁ ବର୍ଷବର୍ଷ ଧରି ପାରମ୍ପରିକ ପଦ୍ଧତିରେ ସଂରକ୍ଷିତ କରି ରଖିଥାନ୍ତି। ଖାଦ୍ୟାଭାବ ସମୟରେ ତାହାକୁ ଖାଇଥାନ୍ତି। ବେଳେବେଳେ ଏହି ଖାଦ୍ୟ ବିଷକ୍ରିୟା ସୃଷ୍ଟି କରିଥାଏ। କେନ୍ଦୁଝରରେ ଅନେକ ସମୟରେ ଜଙ୍ଗଲୀ ଛତୁ ଖାଇ ଜନଜାତି ମୃତ୍ୟୁମୁଖରେ ପଡ଼ୁଥିବାର ଖବର ଆସିଥାଏ। ଏହା ସତ୍ତ୍ବେ ସେମାନେ ଏ ଦିଗରେ ଆଦୌ ସଚେତନ କିମ୍ବା ଯତ୍ନଶୀଳ ନୁହନ୍ତି।
ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଜାତୀୟ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଆଦିବାସୀ ପରିବାରଗୁଡ଼ିକୁ ଚାଉଳ ଯୋଗାଉଛନ୍ତି। ଏହା ସତ୍ତ୍ୱେ ସେମାନଙ୍କ ପାରମ୍ପରିକ ଖାଦ୍ୟାଭ୍ୟାସ ବଦଳୁନାହିଁ। ଏ ସମ୍ପର୍କରେ ପରିବେଶବିତ୍ ଡକ୍ଟର ବିମ୍ବାଧର ବେହେରା କହିଛନ୍ତି, ଖାଦ୍ୟ ପାଇଁ ଆଦିବାସୀମାନେ ଜଙ୍ଗଲ ଉପରେ ପୁରୁଷ ପୁରୁଷ ଧରି ନିର୍ଭର କରିଆସୁଛନ୍ତି। ଗୋଟିଏ ଦିନରେ ଏହାକୁ ବଦଳାଇବା ସମ୍ଭବ ନୁହେଁ। ଆଦିବାସୀଙ୍କ ଖାଦ୍ୟ ଅଭ୍ୟାସରେ ପରିବର୍ତ୍ତନ ଆଣିବାକୁ ହେଲେ ବ୍ୟାପକ ଶିକ୍ଷା ଓ ସଚେତନତା ଆବଶ୍ୟକ। ଆଜିର ବିଜ୍ଞାନ ଯୁଗରେ ଦେଶ ମଙ୍ଗଳ ଅଭିଯାନର ସ୍ବପ୍ନ ଦେଖୁଥିବା ବେଳେ ଜନଜାତିଙ୍କ ଖାଦ୍ୟ ଅଭ୍ୟାସ ନ ବଦଳିବା ସଭ୍ୟ ସମାଜ ପାଇଁ କୌଣସି ଅଭିଶାପଠାରୁ କମ୍ ନୁହେଁ ବୋଲି ସେ କହିଛନ୍ତି।