କ୍ଷୀତିଶ ରାୟ
ଭୁବନେଶ୍ବର: ବିଷାକ୍ତ ଓ ଅସୁରକ୍ଷିତ ଖାଦ୍ୟ ବିକ୍ରି କରି ଲୋକଙ୍କ ଜୀବନ ସହ ଖେଳ ଖେଳୁଥିବା ଦୋକାନୀଙ୍କୁ ସାବାଡ୍ କରିବା ପାଇଁ ସେମାନଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରାଯାଉଛି। ଏଭଳି ମାମଲା ସଂଖ୍ୟା ପ୍ରତିବର୍ଷ ବଢ଼ିବାରେ ଲାଗିଛି। ଗତ ୬ବର୍ଷରେ ଏଭଳି ୧୩୬ଟି ମାମଲା ବିଭିନ୍ନ ଏସ୍ଡିଜେଏମ୍ କୋର୍ଟରେ ଦାୟର ହେଲାଣି। ଉଦ୍ବେଗର ବିଷୟ ହେଲା, ଏ ମଧ୍ୟରୁ ଗୋଟିଏ ହେଲେ ମାମଲାର ରାୟ ଆସିନାହିଁ। କେବଳ ତାରିଖ ପରେ ତାରିଖ ଗଡ଼ୁଛି। ଅନ୍ୟପକ୍ଷରେ ମାମଲାର ବିଳମ୍ବିତ ରାୟ ଏଭଳି ଅସାଧୁ ଖାଦ୍ୟ ବ୍ୟବସାୟୀଙ୍କ ପାଇଁ ବରଦାନ ପାଲଟିଛି। ସେମାନେ ଏଭଳି ଆଇନକୁ ଫୁ କରିବା ଆରମ୍ଭ କଲେଣି।
ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ(ଏଫ୍ଏସ୍ଏସ୍ଏଆଇ) ପକ୍ଷରୁ ଅସୁରକ୍ଷିତ ଓ ନିମ୍ନମାନର ଖାଦ୍ୟକୁ ନେଇ ମାମଲା ଦାୟର କରିବା କ୍ଷମତା ଖାଦ୍ୟ ସୁରକ୍ଷା ଅଧିକାରୀ(ଏଫ୍ଏସ୍ଓ)ଙ୍କୁ ଦିଆଯାଇଛି। ଯଦି ଲାବୋରେଟାରି ପରୀକ୍ଷା ପରେ ସଂପୃକ୍ତ ଖାଦ୍ୟ ଅସୁରକ୍ଷିତ କିମ୍ବା ନିମ୍ନମାନର ବୋଲି ସ୍ପଷ୍ଟ ହୁଏ ତାହାଲେ ସେହି ଅନୁଯାୟୀ ଆପରାଧିକ ମାମଲା ଦାୟର କରାଯାଇଥାଏ। ତା’ ଭିତରେ ପାନ ମସଲା, ପ୍ୟାକିଂ ହୋଇଥିବା ଖାଦ୍ୟ, ପ୍ରସ୍ତୁତି ଖାଦ୍ୟ, ଅଟା, ମଇଦା, ଶସ୍ୟ ଆଦି ରହିଛି। ଖାଦ୍ୟ ସୁରକ୍ଷା କାର୍ଯ୍ୟାଳୟ ପକ୍ଷରୁ ରାଜ୍ୟବ୍ୟାପୀ ବିଭିନ୍ନ ସମୟରେ ଖାଦ୍ୟାନୁଷ୍ଠାନ ଉପରେ ନିୟମିତ ଯାଞ୍ଚ କରାଯାଉଛି। ଗତ ୬ବର୍ଷରେ ରାଜ୍ୟରେ ୧୧,୩୧୦ ଖାଦ୍ୟ ନମୁନା ପରୀକ୍ଷା ହୋଇଥିବା ବେଳେ ତହିଁରେ ୨୫୧୯ ନମୁନା ଅପମିଶ୍ରିତ ଓ ଅନ୍ୟର ବ୍ରାଣ୍ଡ ବ୍ୟବହାର କରିବା ଭଳି ଘଟଣା ନଜରକୁ ଆସିଥିଲା। ନିମ୍ନମାନର ଖାଦ୍ୟ(ସବ୍ ଷ୍ଟାଣ୍ଡାର୍ଡ) ବିକ୍ରି ପାଇଁ ସିଭିଲ୍ ମାମଲା ଦାୟର କରାଯାଉଛି। ଏ ସଂକ୍ରାନ୍ତ ମାମଲାର ବିଚାର ଏଡିଏମ୍ଙ୍କ ନିକଟରେ ହୋଇଥାଏ। ୨୦୧୮-୧୯ରେ ୪୨, ୨୦୨୧୯-୨୦ରେ ୨୯, ୨୦୨୦-୨୧ରେ ୩୩, ୨୦୨୧-୨୨ରେ ୬୧, ୨୦୨୨-୨୩ରେ ୮୪ ଓ ୨୦୨୩-୨୪(ଜାନୁଆରି ପର୍ଯ୍ୟନ୍ତ) ୨୦ଟି ମାମଲା ରୁଜୁ ହୋଇଛି। ତହିଁରୁ ଅନେକ ମାମଲାର ବିଚାର କରାଯାଇ ନିମ୍ନମାନର ଖାଦ୍ୟ ବିକ୍ରି କରୁଥିବା ବ୍ୟବସାୟୀଙ୍କଠାରୁ ଜରିମାନା ଆଦାୟ କରାଯାଇଥିବା ସୂଚନା ମିଳିଛି।
ଦାୟର ହେଉଥିବା ଆପରାଧିକ ମାମଲାର ବିଚାର ପାଇଁ ଏକ ଖାଦ୍ୟ ସୁରକ୍ଷା ଆପିଲେଟ୍ ଟ୍ରିବ୍ୟୁନାଲ୍ ଗଠନ କରାଯାଇଛି। ଖାଦ୍ୟ ସୁରକ୍ଷା ଓ ମାନକ ଆଇନ, ୨୦୦୬ ଅନୁଯାୟୀ କୌଣସି ଅଧିକାରୀଙ୍କ ନିଷ୍ପତ୍ତି ବିରୋଧରେ ଅପିଲ୍ କରିବା ପାଇଁ ଜଣେ ଟ୍ରିବ୍ୟୁନାଲ୍ର ଦ୍ବାରସ୍ଥ ହୋଇପାରିବେ। ହେଲେ ଟ୍ରିବ୍ୟୁନାଲ୍ ଘୋଷଣା ହୋଇଥିଲେ ହେଁ ତାହା ବର୍ତ୍ତମାନସୁଦ୍ଧା କାର୍ଯ୍ୟକ୍ଷମ ହୋଇପାରିନାହିଁ।
/sambad/media/post_attachments/wp-content/uploads/2024/01/dgjdgdjdjgdgjdjg.jpg)
ସେହିପରି ରାଜ୍ୟରେ ଖାଦ୍ୟ ପଦାର୍ଥର ଯାଞ୍ଚ ପରିସରକୁ ବଢ଼ାଇବା ପାଇଁ ଉଦ୍ୟମ କରାଯାଉଛି। ରାଜ୍ୟରେ ଏବେ ଗୋଟିଏ ଭ୍ରାମ୍ୟମାଣ ଖାଦ୍ୟ ପରୀକ୍ଷାଗାର ରହିଛି। ଚଳିତବର୍ଷ ଆହୁରି ୩ଟି ଏଭଳି ପରୀକ୍ଷାଗାର ଓଡ଼ିଶାକୁ ଆସିବ। ଏସବୁ ନମୁନା ପରୀକ୍ଷା ଗାଡ଼ି ୩ ଆରଡିସିଙ୍କ ଅଧୀନରେ କାର୍ଯ୍ୟ କରିବ। ଏଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଆର୍ଥିକ ସହାୟତା ଯୋଗାଇଦେବେ। ଭ୍ରାମ୍ୟମାଣ ପରୀକ୍ଷାଗାର ପାଇଁ ଏଫ୍ଏସ୍ଏସ୍ଏଆଇ ସହିତ ରାଜ୍ୟ ସରକାରଙ୍କ ଏକ ଏମ୍ଓୟୁ କରାଯିବ ବୋଲି ଜଣାପଡ଼ିଛି।
ଅପରପକ୍ଷରେ ରାଜ୍ୟରେ ଖାଦ୍ୟ ବିକ୍ରି କରୁଥିବା ବ୍ୟବସାୟୀମାନଙ୍କୁ ଲାଇସେନ୍ସ ପ୍ରଦାନ କରିବା ପ୍ରକ୍ରିୟା ଜାରି ରହିଛି। ଯେଉଁ ବ୍ୟବସାୟୀଙ୍କ ବାର୍ଷିକ ଖାଦ୍ୟ ବ୍ୟବସାୟ ୧୨ଲକ୍ଷରୁ ୨୦କୋଟି ଭିତରେ ରହିଛି ସେମାନଙ୍କୁ ଲାଇସେନ୍ସ ପ୍ରଦାନ କରାଯିବ। ମାତ୍ର ଯେଉଁ ବ୍ୟବସାୟୀଙ୍କ ବାର୍ଷିକ ବ୍ୟବସାୟ ୧୨ଲକ୍ଷରୁ କମ୍ ରହିଛି ସେମାନଙ୍କୁ କେବଳ ଫୁଡ୍ ରେଜିଷ୍ଟ୍ରେସନ୍ କରିବାକୁ ପଡ଼ିବ। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ପ୍ରାୟ ୫୦ହଜାର ବ୍ୟବସାୟୀ ଲାଇସେନ୍ସ ନେଇଥିବା ବେଳେ ୧୪ଲକ୍ଷରୁ ଅଧିକ ଫୁଡ୍ ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ୍ ପାଇଛନ୍ତି। ଏହି ଦୁଇ ବ୍ୟବସାୟୀଙ୍କ ଲାଇସେନ୍ସ ଓ ରେଜିଷ୍ଟ୍ରେସନ୍ ବାବଦରେ ପ୍ରାୟ ୨୦କୋଟି ଟଙ୍କା ଆଦାୟ କରାଯାଇଥିବା ଖାଦ୍ୟ ସୁରକ୍ଷା କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ମତରେ ଏଫ୍ଏସ୍ଏସ୍ଏଆଇ ଆଇନ ଅନୁସାରେ ଅପରାଧିକ ମାମଲାରେ ସର୍ବାଧିକ ୩ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ଥିବା ବେଳେ ୫-୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ ହୋଇପାରିବ। ମାତ୍ର ବିଚାର ପ୍ରକ୍ରିୟା ବିଳମ୍ବିତ ହେଉଥିବାରୁ ଅସୁରକ୍ଷିତ ଖାଦ୍ୟ ଓ ଏହାଜାତୀୟ ଦ୍ରବ୍ୟ ବିକ୍ରି କରୁଥିବା ବ୍ୟବସାୟୀଙ୍କ ମନରେ ଭୟ ସୃଷ୍ଟି ହେଉନାହିଁ। ଏହି ମାମଲାରେ ବ୍ୟାବସାୟିକ ପ୍ରତିଷ୍ଠାନକୁ ସିଲ୍ କରିବାର ବ୍ୟବସ୍ଥା ନ ଥିବାରୁ ମାମଲାର ରାୟ ନ ଆସିବା ପର୍ଯ୍ୟନ୍ତ ଜଣେ ବ୍ୟବସାୟ କରିପାରିବେ। ଯେହେତୁ ଗୋଟିଏ ବି ମାମଲାର ବିଚାର ହୋଇନାହିଁ, ତେଣୁ ଆପିଲେଟ୍ ଟ୍ରବ୍ୟୁନାଲକୁ ମଧ୍ୟ କୌଣସି ମାମଲା ବିଚାର ପାଇଁ ଯାଇ ନ ଥିବା ଅଧିକାରୀ ଜଣକ ସ୍ପଷ୍ଟ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/01/jgdgddgjjgddgjjg.jpg)