ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଜଗନ୍ନାଥ ଖାଦ୍ୟପ୍ରେମୀ। ଖାଦ୍ୟକୁ ନେଇ ଭାରତର ଏକ ସ୍ବତନ୍ତ୍ର ସଂସ୍କୃତି ରହିଛି। କିନ୍ତୁ ଆମେ ସାହିତ୍ୟରେ ଖାଦ୍ୟକୁ ସେତେଟା ଗୁରୁତ୍ବ ଦେଉନା। କିଛି ବ୍ୟଞ୍ଜନର ପ୍ରସ୍ତୁତି ପ୍ରଣାଳୀରେ ଆମେ ‘ଖାଦ୍ୟ ସାହିତ୍ୟ’କୁ ସୀମିତ ରଖିଦେଉ। କିନ୍ତୁ ଖାଦ୍ୟକୁ ନେଇ କାଳ୍ପନିକ, ଐତିହାସିକ, ରୋମାଞ୍ଚଭରା ସାହିତ୍ୟ ମଧ୍ୟ ରଚନା କରିହେବ। ଗପ, କାହାଣୀ, ଉପନ୍ୟାସ ମାଧ୍ୟମରେ ଆମେ ଏକ କାଳଖଣ୍ଡର ଖାଦ୍ୟାଭ୍ୟାସ, ଖାଦ୍ୟ ସଂସ୍କୃତି, ଗୁରୁତ୍ବ ଓ ଉପକାରିତା ସମ୍ପର୍କରେ ପାଠକଙ୍କୁ ସଚେତନ କରାଇପାରିବା। ‘ସମ୍ବାଦ’ ସହଯୋଗରେ ଭୁବନେଶ୍ବର କ୍ଲବ୍ରେ ଚାଲିଥିବା ଟାଟା ଷ୍ଟିଲ୍ ଭୁବନେଶ୍ବର ସାହିତ୍ୟ ଉତ୍ସବର ଅନ୍ତିମ ଦିନର ପ୍ରଥମ ଅଧିବେଶନ ‘ଫିଷ୍ଟିଂ ଇଣ୍ଡିଆ’ ଶୀର୍ଷକ ଆଲୋଚନାଚକ୍ରରେ ଆଭାସୀ ମାଧ୍ୟମରେ ଯୋଗଦେଇ ଭାରତୀୟ ଖାଦ୍ୟ ଐତିହାସିକ ତଥା ଔପନ୍ୟାସିକା ଚିତ୍ରିତା ବାନାର୍ଜୀ ଆଜି ଏହା କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସେ ଆହୁରି କହିଥିଲେ, ‘ମୁଁ ଏତେ ଖାଦ୍ୟପ୍ରିୟ ଯେ ଖାଦ୍ୟ ପ୍ରସ୍ତୁତ କରିବା, ଖୁଆଇବା ଓ ଖାଇବାକୁ ପାଗଳ ଥିଲି। ଖାଦ୍ୟକୁ ନେଇ ଲେଖିବା ବି ଆରମ୍ଭ କଲି। ସୌଭାଗ୍ୟବଶତଃ ମୁଁ ୯୦ ଦଶକରେ ଯେତେବେଳେ ଲେଖା ଆରମ୍ଭ କଲି, ସେତେବେଳେ ଇଣ୍ଟରନେଟ୍ ବିକଶିତ ହୋଇ ଚାଲିଥିଲା। ପୁସ୍ତକଗୁଡ଼ିକର ଡିଜିଟାଇଜେସନ୍ ଓ ଇଣ୍ଟରନେଟ୍ରେ ମୋ ଲେଖାର ସହଜ ଉପଲବ୍ଧତା, ମୋତେ ଆହୁରି ଲୋକପ୍ରିୟ କରିଥିଲା। ଖାଦ୍ୟ ସାହିତ୍ୟର ପରିଭାଷା ବି ବଦଳିଥିଲା। ରୋଶନୀ ବଜାଜ୍ ସାଂଘ୍ଭି ଅଧିବେଶନକୁ ପରିଚାଳନା କରିଥିଲେ।