ରାଉରକେଲାର ‘ଫୁଡ୍ ମ୍ୟାନ୍’: ଘରକୁ ଘର ଯାଇ ସୁଷମ ଖାଦ୍ୟ ବାଣ୍ଟୁଛନ୍ତି ଦୁଇ ବନ୍ଧୁ

ରାଉରକେଲା: ଜିଲ୍ଲାରେ କୋଭିଡ୍ ମହାମାରୀ ଅଣାୟତ୍ତ ହେବାରେ ଲାଗିଛି। ଜିଲ୍ଲାର ମୋଟ୍ ଦୈନିକ ଆକ୍ରାନ୍ତଙ୍କ ମଧ୍ୟରୁ ୭୦ ପ୍ରତିଶତରୁ ଅଧିକ କେବଳ ଇସ୍ପାତ ସହରର। ସହରରେ ସଂକ୍ରମଣ ବୃଦ୍ଧି ଯୋଗୁଁ ଦୋକାନ ବଜାର ପ୍ରାୟ ବନ୍ଦ ରହୁଛି। ଫଳରେ ଘରେ ଏକାନ୍ତବାସ ଓ ସଙ୍ଗରୋଧରେ ରହୁଥିବା କରୋନା ଆକ୍ରାନ୍ତ ଖାଦ୍ୟପେୟର ଢ଼େର୍ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦି’ ଓଳି ଖାଇବାକୁ ସେମାନେ ଯାବତୀୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଭଳି ସମୟରେ ସଂଗରୋଧ ଓ ଏକାନ୍ତବାସରେ ଥିବା ଅସହାୟ କରୋନା ଆକ୍ରାନ୍ତଙ୍କୁ ଦୁଇଓଳି ସମ୍ପୂର୍ଣ୍ଣ ମାଗଣାରେ ଆହାର ପହଞ୍ଚାଇବା ଦାୟିତ୍ୱ ହାତକୁ ନେଇଛନ୍ତି ସହରର ଦୁଇ ସମଭାବାପନ୍ନ ବନ୍ଧୁ ତଥା ଯୁବ ସମାଜସେବୀ ସୁଶାନ୍ତ ଦାସ ଓ ସଞ୍ଜୀବ ମହାପାତ୍ର। ଆଉ ଏଥିରେ ସହଯୋଗର ହାତ ବଢ଼େଇଛନ୍ତି ସେମାନଙ୍କ ପରିବାର ସଦସ୍ୟ।

ଏଭଳି ଏକ ଘଡିସନ୍ଧି ମୁହୂର୍ତ୍ତରେ ଏକାନ୍ତବାସରେ ରହି ଖାଦ୍ୟପେୟ ପାଇଁ ସମସ୍ୟାର ସମ୍ମୁଖୀନ ହେଉଥିବା କରୋନା ଆକ୍ରାନ୍ତଙ୍କ ପାଇଁ ଦେବଦୂତ ପାଲଟିଛନ୍ତି ଉଭୟଙ୍କ ପରିବାର। ନିଜ ବାସଭବନରେ ସୁସ୍ୱାଦୁ ନିରାମିଷ ବ୍ୟଞ୍ଜନ ରନ୍ଧାଯିବା ପରେ ପରିବାର ସଦସ୍ୟଙ୍କ ଦ୍ୱାରା ଖାଦ୍ୟ ପ୍ୟାକେଟ ପ୍ରସ୍ତୁତ କରାଯାଇଥାଏ। ଖାଦ୍ୟ ପ୍ୟାକେଟ୍ରେ ଫଳ ଓ ଜୁସ ମଧ୍ୟ ଦିଆଯାଇଥାଏ। ଆଶୁ ଆରୋଗ୍ୟ କାମନା ଉଲ୍ଲେଖ ଥିବା ଷ୍ଟିକର ପ୍ୟାକେଟ ଉପରେ ଲଗାଇ ନିଜ ନିଜ କାରରେ ବ୍ୟକ୍ତିଗତ ଡ୍ରାଇଭରଙ୍କୁ ଧରି ବାହାରିଯାଆନ୍ତି ସୁଶାନ୍ତ ଓ ସଞ୍ଜୀବ। ସଠିକ ସମୟରେ ଆକ୍ରାନ୍ତ ରହୁଥିବା ଠିକଣାରେ ପହଞ୍ଚାଇ ଫେରିଆସନ୍ତି ଉଭୟେ। ପୁଣି ଅର୍ଡର ଅନୁଯାୟୀ ରାତ୍ରିଭୋଜନ ପ୍ରସ୍ତୁତରେ ଲାଗିପଡ଼ନ୍ତି ଉଭୟ ପରିବାର। ଏହି ଦୁଇ ଯୁବ ସମାଜସେବୀଙ୍କୁ ବର୍ତ୍ତମାନ ରାଉରକେଲାର ‘ଫୁଡ୍ ମ୍ୟାନ୍’ ଭାବେ ଅବିହିତ କରାଯାଉଛି।

ଗତ ୨୬ ତାରିଖରୁ ଏମାନେ ଏହି ଖାଦ୍ୟ ଯୋଗାଣ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ପ୍ରଥମ ଦିନରେ ୬୫ ଜଣଙ୍କୁ ଖାଦ୍ୟ ଯୋଗାଇଥିବାବେଳେ ବର୍ତ୍ତମାନ ସୁଦ୍ଧା ୧୬୦ରୁ ଅଧିକ ଲୋକଙ୍କୁ ଖାଦ୍ୟ ଯୋଗାଉଛନ୍ତି। ରାଉରକେଲା ମହାନଗର ନିଗମ ସମେତ ସେକ୍ଟର ଅଞ୍ଚଳରେ ଏକାନ୍ତବାସ, ସଙ୍ଗରୋଧରେ ଥିବା ଲୋକଙ୍କୁ ଖାଦ୍ୟ ଯୋଗାଉଛନ୍ତି। ଏହି ଖାଦ୍ୟ ପୁଡ଼ିଆରେ ସୁଷମ ତଥା ରୁଚିକର ଖାଦ୍ୟ ସହ ଫଳ ଓ ଜୁସ୍ ମଧ୍ୟ ଦିଆଯାଉଛି। ଯାହା ସମସ୍ତଙ୍କୁ ଆଦୃତ କରୁଛି, ସେଇଟା ହେଲା ଖାଦ୍ୟ ପୁଡ଼ିଆରେ ସଂଲଗ୍ନ ଶୁଭେଚ୍ଛା ବାର୍ତ୍ତା। ସଂକ୍ରମିତଙ୍କ ଆଶୁ ଆରୋଗ୍ୟ କାମନା କରି ଶୀଘ୍ର ସୁସ୍ଥ ହେବାକୁ ମଙ୍ଗଳ କାମନା କରାଯାଉଛି। ଏହି ଶୁଭେଚ୍ଛା ବାର୍ତ୍ତା ହିଁ ସଂକ୍ରମଣ ହୋଇ ଏକାନ୍ତବାସରେ ଥିବା ବ୍ୟକ୍ତିଙ୍କ ମୁହଁରେ ହସ ଫୁଟାଇବାର ପ୍ରମୁଖ ମାଧ୍ୟମ ପାଲଟିଛି। ଖାଦ୍ୟ ପ୍ରସ୍ତୁତି ପାଇଁ ରୋଷେୟା ନିଯୁକ୍ତ କରାଯାଇଛି। ରୋଷେଇବେଳେ ପୁରା ପରିବାରବର୍ଗ ସହଯୋଗ କରୁଥିବାବେଳେ ସମସ୍ତ ସୁରକ୍ଷା, ସ୍ବଚ୍ଛତାକୁ ବିଶେଷ ଧ୍ୟାନ ଦିଆଯାଉଛି। ଅନ୍ୟ କାହାରି ଉପରେ ନିର୍ଭରଶୀଳ ନ ହୋଇ ଶ୍ରୀ ଦାଶ ଓ ଶ୍ରୀ ମହାପାତ୍ର ଖୋଦ୍ ଘରକୁ ଘର ଯାଇ ଖାଦ୍ୟ ଯୋଗାଉଛନ୍ତି। କେବଳ ଗୋଟିଏ ଫୋନ୍ କଲ୍‌ରେ ଖାଦ୍ୟ ପାଇଁ ଅର୍ଡର ନିଆଯାଉଛି। ଅସହାୟ ବ୍ୟକ୍ତି ଓ ପରିବାରର ଦୁଃଖ ଓ ଆବଶ୍ୟକତା ସମୟରେ ସେମାନଙ୍କୁ ଯତ୍କିଞ୍ଚିତ ସହଯୋଗ କରି ଖୁବ ଶାନ୍ତି ଓ ଆନନ୍ଦ ମିଳୁଥିବା କହିଛନ୍ତି ଉଭୟଙ୍କ ପରିବାର।

ଏନେଇ ଶ୍ରୀ ଦାସ କହିଲେ, ସଂପ୍ରତି ସହରର ପ୍ରତ୍ୟେକ କୋଣ ଅନୁକୋଣରୁ ସଂଗରୋଧରେ ଥିବା ଆକ୍ରାନ୍ତଙ୍କ ଅର୍ଡର ଆସିବାରେ ଲାଗିଛି। ଯେତେ ସଂଖ୍ୟାରେ ଆସିଲେ ବି’ ଆମେ ଯୋଗାଇଦେବାକୁ ପ୍ରସ୍ତୁତ। ଲୋକଙ୍କ ସେବା କରିବା ଏହା ଆମ ପାଇଁ ଏକ ସୁଯୋଗ ଓ ସୌଭାଗ୍ୟ। ସୁଦୂର ଦିଲ୍ଲୀ, ପୁନେ, ଔରଙ୍ଗାବାଦ ଓ ଅହମଦାବାଦ ରେ ରହୁଥିବା ଆକ୍ରାନ୍ତଙ୍କ ପରିବାର ସଦସ୍ୟ ଫୋନ କରି ସେମାନଙ୍କ ମହତ କାର୍ଯ୍ୟ ପାଇଁ ସାଧୁବାଦ ଜଣାଉଛନ୍ତି। ଏମିତିକି ଆର୍ଥିକ ସହାୟତା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି। ତେବେ, ଏହାକୁ ସହୃଦୟତାର ସହ ପ୍ରତ୍ୟାଖ୍ୟାନ କରୁଛୁ। ଏହି ଆକ୍ରାନ୍ତଙ୍କ ପରିବାର ସଦସ୍ୟଙ୍କ ଭଲପାଇବା, ଆଶୀର୍ବାଦ, ଆମକୁ ଏହି ସେବାକୁ ଆହୁରି ତ୍ବରାନ୍ବିତ କରିବାକୁ ପ୍ରେରଣା ଦେଉଛିବୋଲି ଶ୍ରୀ ଦାସ କହିଛନ୍ତି।

ସମ୍ବନ୍ଧିତ ଖବର