ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧିକୁ ରୋକିବା ମନ୍ତ୍ରୀଙ୍କ ପରାମର୍ଶ

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ସମୀକ୍ଷା

ମାଲକାନଗିରି: ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଦିନିକିଆ ମାଲକାନଗିରି ଜିଲ୍ଲା ଗସ୍ତ କରି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ। ସରକାରଙ୍କ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଦ୍ଵାରା ପରିଚାଳିତ ସମସ୍ତ ପ୍ରକାର ବ୍ୟବସ୍ଥା ଜିଲ୍ଲାରେ କିପରି ଭାବରେ ସୁସ୍ଥ ବାତାବରଣରେ ସମସ୍ତ ଖାଉଟିମାନଙ୍କ ପାଖକୁ ସୁରୁଖୁରୁରେ ପହଞ୍ଚିବ ସେଥିପ୍ରତି ଯତ୍ନବାନ ହେବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ନିୟମିତ ବ୍ୟବଧାନରେ ପେଟ୍ରୋଲ ପମ୍ପ ଗୁଡ଼ିକୁ ତନଖି କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧିକୁ ରୋକିବା ପାଇଁ ବିହିତ ପଦକ୍ଷେପ ନିମନ୍ତେ ଯୋଗାଣ ବିଭାଗକୁ ପରାମର୍ଶ ଦିଆଯାଇଛି। ମୃତ ଓ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦଦେଇ ଯୋଗ୍ୟ ହିତାଧିକାରୀଙ୍କୁ ଚୟନ କରି ରାସନ୍ କାର୍ଡରେ ସାମିଲ ପାଇଁ ପଦକ୍ଷେପ ନେବା ପାଇଁ କୁହାଯାଇଛି। ଧାନ ଓ ଚାଉଳର ସଂରକ୍ଷଣ ନିମନ୍ତେ ଗୋଦାମ ଗୃହ ବର୍ଦ୍ଧିତ ଉପରେ ମନ୍ତ୍ରୀ ଗୁରୁତ୍ବ ଆରୋପ କରିଥିଲେ।

ଏହି ଅବସରରେ ଜିଲ୍ଲାପାଳ ସଚିନ ପାୱାର ବିଭାଗୀୟ ମନ୍ତ୍ରୀ ଗୁରୁତ୍ବ ଆରୋପ କରିଥିବା ନିର୍ଦ୍ଦେଶ ଗୁଡ଼ିକୁ ପାଳନ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାରେ ଏକ ନୂତନ ସାଇନ୍ସ ପାର୍କ କିମ୍ବା ସାଇନ୍ସ ପ୍ଲାନେଟାରିୟମ ସ୍ଥାପନ ନିମନ୍ତେ ପ୍ରସ୍ତାବ ଦେବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଏଥି ନିମନ୍ତେ ସମସ୍ତ ପ୍ରକାର ସହଯୋଗ ଓ ବଜେଟ ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ଏହି ଅବସରରେ ମାଲକାନଗିରି ବିଧାୟକ ନରସିଂହ ମାଡକାମୀ ଜିଲ୍ଲା ତଥା ରାଜ୍ୟକୁ ବିକାଶ ପଥରେ ଆଗେଇ ନେବା ପାଇଁ ସମସ୍ତ ଅଧିକାରୀଙ୍କ ସହଯୋଗ କାମନା କରିଥିଲେ। ପରିଶେଷରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ନରେଶ ଚନ୍ଦ୍ର ଶବର ବୈଠକରେ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲୁ ମଞ୍ଚାସୀନ ଥିଲେ। ସିଏସଓ, ମନମୋହନ ପଟ୍ଟନାୟକଙ୍କ ସମେତ ସମସ୍ତ ବିଡ଼ିଓ, ତହସିଲଦାର ଓ ଜିଲ୍ଲାର ଅନ୍ୟାନ୍ୟ ଅଧିକାରୀ ଏହି ବୈଠକରେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର