ଆହାର କେନ୍ଦ୍ରରେ ମିଳୁନି ଖାଦ୍ୟ

ବ୍ୟାସନଗର: ଆହାର କେନ୍ଦ୍ରରେ ମିଳୁନି ଗରିବ ଖଟିଖିଆଙ୍କୁ ପାଞ୍ଚ‌ଟଙ୍କିଆ ଖାଦ୍ୟ। ଆଜି ଦୁଇ ଦୃଷ୍ଟିହୀନ ଓ ଦୁଇଜଣ ଶ୍ରମଜୀବୀ ବ୍ୟାସନଗର ପୌରାଞ୍ଚଳର ଗୋପବନ୍ଧୁ ଛକରେ ଥିବା ଆହାର କେନ୍ଦ୍ରକୁ ଆସି ଖାଦ୍ୟ ନପାଇ ନିରାଶ ହୋଇ ଫେରିଛନ୍ତି। ଆଜି କୋରେଇ ବ୍ଲକ ପଛିକୋଟ ଗ୍ରାମର ଦୃଷ୍ଟିହୀନ କଳାକାର ଫୁକୁନ ମଲିକ(୩୯) ଓ ରଗଡ଼ିର ପ୍ରଫୁଲ୍ଲ ଦାସ (୪୧) ଏବଂ କେନ୍ଦୁଝର ଜିଲ୍ଲା ପୁରୁଝାଟିଆର ଶ୍ରମିକ ମୁରଲୀ ବେହେରା ଓ ସୁଙ୍କୁଡ଼ାର ଗଜେନ୍ଦ୍ର ପାତ୍ର ଆହାର କେନ୍ଦ୍ରକୁ ଖାଇବାକୁ ଆସିଥିଲେ।

ସମୟ ହୋଇଥିଲା ପ୍ରାୟ ୧୨ଟା ୪୫ ମିନିଟ। ନା ଟୋକନ କାଉଣ୍ଟର ଖୋଲାଥିଲା, ନା କେନ୍ଦ୍ର। ଆହାର କେନ୍ଦ୍ର ସଟର ପଡ଼ିଥିବା ଦେଖି ନିରାଶ ହୋଇ ଦୃଷ୍ଟିହୀନ କଳାକାରଦ୍ବୟ ରାଜ୍ୟ ଆହାର କେନ୍ଦ୍ର ପରିଚାଳନା ଉପରେ ପ୍ରଶ୍ନ ଉଠାଇଥିଲେ। ଗରିବଙ୍କୁ ଖାଇବାକୁ ମିଳୁନଥିବା ବେଳେ ଆଚାର ଓ ଭାତ ଏଠାରୁ ପାର୍ସଲ ହେଉଛି ବୋଲି ଗୀତ ମାଧ୍ୟମରେ ସେମାନେ କଟାକ୍ଷ କରିଥିଲେ। କେନ୍ଦ୍ର ପୂର୍ବାହ୍ନ ୧୧ଟାରୁ ଅପରାହ୍‌ଣ ୩ ଟାଯାଏ ଖୋଲା ରହିବାର ନିୟମ ରହିଥିବା ବେଳେ ନିର୍ଦ୍ଧାରିତ ସମୟ ପୂର୍ବରୁ ତାହା ବନ୍ଦ ହୋଇଯାଇଥିଲା। ସବୁ ବେଳେ ଖାଦ୍ୟ ମିଳୁନଥିବାର ସେମ‌ାନେ ଅଭିଯୋଗ କରିଥିଲେ। ଏହି କଳାକାରଦ୍ବୟ ହାରମୋନିୟମ ଓ ତବଲା ଧରି ବିଭିନ୍ନ ଛକ ବଜାରରେ ଗୀତ ଗାଇଥାନ୍ତି। ଶ୍ରୋତାଙ୍କଠାରୁ ମିଳୁଥିବା ଦାନ ଅର୍ଥରେ ପେଟ ପୋଷିଥାନ୍ତି।

ବ୍ୟାସନଗରଠାରେ ୨୦୧୬ ରେ ଖୋଲିଥିଲା ଏହି ଆହାର କେନ୍ଦ୍ର। ଗରିବ ଖଟିଖିଆଙ୍କୁ ମାତ୍ର ପାଞ୍ଚ‌ ଟଙ୍କାରେ ଭାତ, ଡାଲମା ସହ ଆଚାର ଯୋଗାଇ ଦେବାକୁ ରାଜ୍ୟ ସରକାର ବ୍ୟବସ୍ଥା କରିଛନ୍ତି। ଏହି ଯୋଜନା ଗରିବ ଲୋକଙ୍କ ପାଇଁ ମଧ୍ୟ ବେଶ୍‌ ଉପଯୋଗୀ ହୋଇପାରିଛି। ମାତ୍ର ଉପଯୁକ୍ତ ପରିଚାଳନା ଅଭାବରୁ ଏପରି ବ୍ୟତିକ୍ରମ ଘଟୁଛି। ଏହି କେନ୍ଦ୍ରକୁ ଏବେ ଦେଢ଼ଶହ ଲୋକଙ୍କ ପାଇଁ ଖାଦ୍ୟ ଆସୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର