୪ଟି ଜିଲ୍ଲାରେ ଖାଦ୍ୟଶସ୍ୟ ଉତ୍ପାଦନ କମୁଛି, ପିଡିଏସ୍‌ ବ୍ୟବସ୍ଥା ଉପରେ ଲୋକ ଅଧିକ ନିର୍ଭରଶୀଳ

ରାଜ୍ୟରେ ପୁଷ୍ଟିହୀନତା ଓ ରକ୍ତହୀନତା କମୁଛି, ଖାଦ୍ୟ ନିରାପତ୍ତା ଓ ପୁଷ୍ଟି ଉପରେ ରିପୋର୍ଟ ଉନ୍ମୋଚିତ

ଭୁବନେଶ୍ବର: ଓଡ଼ିଶାରେ ଖାଦ୍ୟଶସ୍ୟ ଉତ୍ପାଦନ ବଢ଼ିଛି। ବଲାଙ୍ଗୀର, ସୁବର୍ଣ୍ଣପୁର, ଦେବଗଡ଼, ସୁନ୍ଦରଗଡ଼, ନୂଆପଡ଼ା, ନବରଙ୍ଗପୁର, ବୌଦ୍ଧ ଓ ରାୟଗଡ଼ାରେ ଖାଦ୍ୟଶସ୍ୟ ଉତ୍ପାଦନ ଧାର୍ଯ୍ୟ ଲକ୍ଷ୍ୟ ଠାରୁ ଅଧିକ ରହିଛି। କିନ୍ତୁ ଗଜପତି, ନୟାଗଡ଼, ଖୋର୍ଦ୍ଧା ଓ ଝାରସୁଗୁଡ଼ାରେ ଖାଦ୍ୟଶସ୍ୟ ଉତ୍ପାଦନ ଆଶାତୀତ ଭାବେ କମି କମି ଚାଲିଛି। ବିଂଶ ଶତାବ୍ଦୀର ଶେଷ ଭାଗ ତୁଳନାରେ ଚଳିତ ଦଶନ୍ଧିରେ ଏହି ଚାରିଟି ଜିଲ୍ଲାରେ ଉତ୍ପାଦନ ହ୍ରାସ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି। ଜାତିସଂଘର ୱାର୍ଲଡ୍‌ ଫୁଡ୍‌ ପ୍ରୋଗ୍ରାମ(ଡବ୍ଲ୍ୟୁଏଫ୍‌ପି) ପକ୍ଷରୁ ଖାଦ୍ୟ ନିରାପତ୍ତା ଓ ପୁଷ୍ଟି ସଂକ୍ରାନ୍ତରେ ସଦ୍ୟ ପ୍ରକାଶିତ ରିପୋର୍ଟରେ ଏହି ତଥ୍ୟ ଦିଆଯାଇଛି।

ରାଜ୍ୟ ସରକାରଙ୍କ ଯୋଜନା ଓ ସଂଯୋଜନ ବିଭାଗ ସହଯୋ‌ଗରେ ଡବ୍ଲ୍ୟୁଏଫ୍‌ପି ଏମିତି ରିପୋର୍ଟ ପ୍ରକାଶ କରିଛି।  ଖାଦ୍ୟ ଉତ୍ପାଦନ, ଯୋଗାଣ ଓ ବ୍ୟବହାର ଆଦି ତିନିଟି ଭାଗରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଲୋକଙ୍କ ପାଖରେ ଖାଦ୍ୟ ପହଞ୍ଚାଇବାରେ ଏବେ ସାଧାରଣ ବଣ୍ଟନ ବ୍ୟବସ୍ଥା ହିଁ ପ୍ରମୁଖ ମାଧ୍ୟମ ପାଲଟିଛି। ଗରିବ ପରିବାରମାନେ ପିଡିଏସ୍‌ ସାମଗ୍ରୀ ଉପରେ ଅତ୍ୟଧିକ ନିର୍ଭରଶୀଳ ହୋଇଛନ୍ତି। ଓଡ଼ିଶାରେ ବିଶେଷ କରି ଗ୍ରାମାଞ୍ଚଳରେ ଦୈନିକ ମୁଣ୍ଡପିଛା ହାରାହାରି ଖାଇବା ଖର୍ଚ୍ଚ କମ୍ ରହୁଛି। ପିଡିଏସ୍‌ ହିତାଧିକାରୀଙ୍କ କ୍ଷେତ୍ରରେ ଖାଇବା ଖର୍ଚ୍ଚ ଜାତୀୟ ସ୍ତର ଠାରୁ କମ୍ ରହିଛି। ତେବେ ୨୦୦୫-୦୬ରୁ ୨୦୧୫-୧୬ ମଧ୍ୟରେ ଓଡ଼ିଶାରେ ପୁଷ୍ଟିହୀନତା ବହୁ ମାତ୍ରାରେ କମିଛି। ରାଜ୍ୟରେ ଶିଶୁ ଓ ବୟସ୍କଙ୍କ କ୍ଷେତ୍ରରେ ରକ୍ତହୀନତା ଜାତୀୟ ସ୍ତର ତୁଳନାରେ ଦ୍ରୁତ ଗତିରେ ହ୍ରାସ ପାଇଛି। କିନ୍ତୁ ଏହି ସମୟ ମଧ୍ୟରେ ଉଭୟ ଓଡ଼ିଶା ଓ ଜାତୀୟ ସ୍ତରରେ ଖାଦ୍ୟ ନଷ୍ଟର ମାତ୍ରା ବଢ଼ିଛି, ଯାହା କି ଉଦ୍‌ବେଗର ବିଷୟ। ଜାତିସଂଘର ନିରନ୍ତର ବିକାଶ ଲକ୍ଷ୍ୟ(ଏସ୍‌ଡିଜି)-୨କୁ ହାସଲ କରିବା ପାଇଁ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇ ସରକାରଙ୍କୁ ଦିଆଯାଇଛି। ସମସ୍ତ ତଥ୍ୟକୁ ଅତି ସରଳ ଭାବେ ଉପସ୍ଥାପନ କରାଯାଇଛି, ଯାହା ଫଳରେ ଏ ନେଇ ବିଭିନ୍ନ ନୀତି ପ୍ରଣୟନ କଲା ବେଳେ ସରକାରଙ୍କୁ ସୁବିଧା ହେବ। ଏସ୍‌ଡିଜି-୨ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭୋକର ଅନ୍ତ ଘଟାଇବା, ଖାଦ୍ୟ ନିରାପତ୍ତା ଲକ୍ଷ୍ୟ ହାସଲ କରିବା, ପୁଷ୍ଟିର ଉନ୍ନତି ଓ ନିରନ୍ତର କୃଷି ଉତ୍ପାଦନକୁ ପ୍ରୋତ୍ସାହନ। ଏସ୍‌ଡିଜି ହାସଲ କରିବାକୁ ଓଡ଼ିଶା ପକ୍ଷରୁ ନିଆଯାଉଥିବା ବିଭିନ୍ନ ପଦେକ୍ଷପର ନୋଡାଲ୍‌ ବିଭାଗ ରହିଛି ଯୋଜନା ଓ ସଂଯୋଜନ ବିଭାଗ।

ରିପୋର୍ଟ ଉନ୍ମୋଚନ ଉତ୍ସବରେ ଡବ୍ଲ୍ୟୁଏଫ୍‌ପିର ଡେପୁଟି କଣ୍ଟ୍ରି ନିର୍ଦ୍ଦେଶକ ଏରିକ୍ କେନେଫିକ୍ କହିଥିଲେ, ଖାଦ୍ୟ ନିରାପତ୍ତା ଓ ପୁଷ୍ଟି ହାସଲ ପାଇଁ ସରକାର ଅନେକ ପଦକ୍ଷେପ ନେଉଛନ୍ତି। ତାହା ସତ୍ତ୍ବେ ଖାଦ୍ୟ ଉତ୍ପାଦନ, ଯୋଗାଣ ଓ ବ୍ୟବହାର ମଧ୍ୟରେ କିଛିଟା ବ୍ୟବଧାନ ରହିଯାଉଛି। ନିର୍ଦ୍ଦିଷ୍ଟ ଭାବେ ଦୁର୍ବଳ ସମ୍ପ୍ରଦାୟରେ ଏହା ଅଧିକ ଦେଖାଯାଉଛି। ଏହି ଆହ୍ବାନଗୁଡ଼ିକୁ ସମାଧାନ କରିବା ଦିଗରେ ସରକାରଙ୍କୁ ଡବ୍ଲ୍ୟୁଏଫ୍‌ପି ଆବଶ୍ୟକ ସହଯୋଗ ଯୋଗାଇ ଦେବାକୁ ପ୍ରସ୍ତୁତ ଅଛି। ରିପୋର୍ଟକୁ ଉନ୍ମୋଚନ କରି ଉନ୍ନୟନ କମିସନର୍‌ ସୁରେଶ ଚନ୍ଦ୍ର ମହାପାତ୍ର କହିଲେ, ଏସ୍‌ଡିଜି-୨ ହାସଲ ପାଇଁ ରଣନୀତି ପ୍ରସ୍ତୁତ କରିବାରେ ଏହି ରିପୋର୍ଟ ଉପାଦେୟ ହେବ। ଯୋଜନା ଓ ସଂଯୋଜନ ବିଭାଗର ସ୍ବତନ୍ତ୍ର ସଚିବ ଗୋପବନ୍ଧୁ ଶତପଥୀ, ୱାର୍ଲଡ୍‌ ଫୁଡ୍‌ ପ୍ରୋଗ୍ରାମ୍‌ର ଏଭିଡେନ୍ସ ଓ ରେଜଲ୍ଟ୍‌ ମୁଖ୍ୟ ଡକ୍ଟର୍‌ ଅଭୟ କୁମାର ଓ ରାଜ୍ୟ ପ୍ରକଳ୍ପ ସଂଯୋଜକ ହିମାଂଶୁ ବଳ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର