ପରିପୂରକ ଖାଦ୍ୟାଭ୍ୟାସ ସଚେତନତା ଅଭିଯାନର ଶୁଭାରମ୍ଭ

ଭୁବନେଶ୍ୱର: ମହିଳା ଓ ଶିଶୁ ବିକାଶ ଏବଂ ମିସନ ଶକ୍ତି ବିଭାଗ ପକ୍ଷରୁ ଆଜି ରାଜ୍ୟବ୍ୟାପୀ ପରିପୂରକ ଖାଦ୍ୟାଭ୍ୟାସ ସଚେତନତା ଅଭିଯାନର ଶୁଭାରମ୍ଭ ହୋଇଛି। ଇଡ୍‌କଲ ଅଡିଟୋରିୟମରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଭାଗୀୟ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଛନ୍ତି। ଏହି ଅଭିଯାନ ବଳରେ ୬ ମାସରୁ ୨୪ ମାସ ମଧ୍ୟରେ ଥିବା ଶିଶୁମାନଙ୍କ ସନ୍ତୁଳିତ ଅଭିବୃଦ୍ଧି ହୋଇପାରିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ଏହି ଅବସରରେ ଶ୍ରୀ ସାମଲ କହିଲେ, ରାଜ୍ୟରେ ୦-୬ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କ ସଂଖ୍ୟା ହେଉଛି ୪୩ ଲକ୍ଷ ୫୩ ହଜାର। ଏଥିରେ ୦-୩ବର୍ଷର ଶିଶୁଙ୍କ ସଂଖ୍ୟା ୧୮ଲକ୍ଷ ୪୩ହଜାର ହୋଇଥିବା ବେଳେ ୩-୬ବର୍ଷର ଶିଶୁଙ୍କ ସଂଖ୍ୟା ହେଉଛି ୧୭ ଲକ୍ଷ ୩୩ ହଜାର। ଏହାସହ ଗର୍ଭବତୀ ମହିଳାଙ୍କ ସଂଖ୍ୟା ୭.୩ ଲକ୍ଷ। ଶିଶୁର ସାମୂହିକ ବିକାଶ ପାଇଁ ଠିକ୍‌ ସମୟରେ ଉପଯୁକ୍ତ ଖାଦ୍ୟ ଓ ପୋଷଣ ଅତ୍ୟନ୍ତ ଜରୁରୀ। ମାତ୍ର ଆଜିର ସମୟରେ ଉଭୟ ବାପା-ମା’ କାର୍ଯ୍ୟ କରୁଥିବାରୁ ଶିଶୁ ଅବହେଳିତ ହେଉଛି। ଅବହେଳିତ ଶିଶୁର ଯତ୍ନ ନେବା ମହିଳା ଓ ଶିଶୁ ବିକାଶ ବିଭାଗ ଗୁରୁତ୍ୱ ଦେଇଛି। ମାତୃ ଓ ଶିଶୁ ମୃତ୍ୟୁହାର କମାଇବା, ସ୍ୱାସ୍ଥ୍ୟାନୁଷ୍ଠାନରେ ପ୍ରସବ କ୍ଷେତ୍ରରେ ଓଡ଼ିଶା ବେଶ୍‌ ପ୍ରଶଂସିତ ହୋଇଛି। ବିଭାଗର ସମସ୍ତ କର୍ମଚାରୀ ମହିଳା ବୋଲି ଶ୍ରୀ ସାମଲ କହିଛନ୍ତି। ବିଭାଗୀୟ ସଚିବ ଅନୁ ଗର୍ଗ କହିଲେ, ଆଇସିଡିଏସ୍‌ କାର୍ଯ୍ୟକ୍ରମ ଜରିଆରେ ୪୫ଲକ୍ଷ ମା’ ଓ ଶିଶୁଙ୍କୁ ପ୍ରତିଦିନ ଖାଦ୍ୟ ଦିଆଯାଉଛି। ଶିଶୁର ବିକାଶ ପାଇଁ ସନ୍ତ୍ୟପାନ କରାଇବା ଆବଶ୍ୟକ। ୬ମାସର ଶିଶୁଙ୍କୁ ୨ବର୍ଷ ପର୍ଯ୍ୟନ୍ତ ପରିପୂରକ ଖାଦ୍ୟ ଦେବା ଅତ୍ୟନ୍ତ ଜରୁରୀ। ଫଳରେ ଶିଶୁର ଉଭୟ ଶାରୀରିକ ଓ ମାନସିକ ବିକାଶ ହୋଇପାରିବ। ରାଜ୍ୟବ୍ୟାପୀ ଏହି ଅଭିଯାନ ଆସନ୍ତା ୧ ବର୍ଷ ପାଇଁ ଚାଲିବ। ଏଥିରେ ସ୍ଥାନୀୟ ଅଞ୍ଚଳରେ ଉପଲବ୍ଧ ହେଉଥିବା ଖାଦ୍ୟକୁ ବିଶେଷ ଗରୁତ୍ୱ ଦିଆଯାଇଛି ବୋଲି ଶ୍ରୀମତୀ ଗର୍ଗ କହିଥିଲେ। ପ୍ରାରମ୍ଭରେ ଆଇସିଡିଏସ୍‌ ଓ ସାମାଜିକ କଲ୍ୟାଣର ନିର୍ଦେଶକ ପ୍ରଶାନ୍ତ କୁମାର ରେଡ୍ଡୀ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିଥିଲେ। ଏସ୍‌ଆଇଏଚ୍‌ଏଫ୍‌ଡବ୍ଲ୍ୟୁର ନିର୍ଦେଶକ ବିନାୟକ ପ୍ରସାଦ ପୃଷ୍ଟି ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର