ଭୁବନେଶ୍ବର: ଜାତୀୟ ଖାଦ୍ୟ ସୁରକ୍ଷା ଆଇନର ଦଶନ୍ଧି ପୂର୍ତ୍ତି ଅବସରରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଇନ ସେବା ଅନୁଷ୍ଠାନ କ୍ଳାପ ଦ୍ବାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଖାଦ୍ୟ ସୁରକ୍ଷା ଆଇନ ପ୍ରସ୍ତୁତିରେ ଗୁରୁତ୍ବପୂର୍ଣ ଭୂମିକା ନିର୍ବାହ କରିଥିବା ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇ ଆଇନଗତ ଅଧିକାର ଦ୍ୱାରା ଦେଶରୁ କ୍ଷୁଧା ଓ ଅନାହାର ମୃତ୍ୟୁ ବହୁ ପରିମାଣରେ ଲାଘବ ହୋଇଥିବା କହିଛନ୍ତି।

Advertisment

କ୍ଲାପର ସଭାପତି ଡ. ବିକାଶ ଦାସଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ଦିଲ୍ଲୀ ସ୍କୁଲ ଅଫ ଇକୋନୋମିକସର ପ୍ରାକ୍ତନ ଅଧ୍ୟାପକ ଜନ ଡ୍ରଜ, ସୁପ୍ରିମ କୋର୍ଟର ବରିଷ୍ଠ ଆଇନଜୀବୀ ଡ. କଲିନ ଗନସାଲଭେଷ, ବେଙ୍ଗାଲୁରୁ ସ୍ଥିତ ଜାତୀୟ ଆଇନ ବିଶ୍ୱ ବିଦ୍ୟାଳୟର ଖାଦ୍ୟ ସୁରକ୍ଷା ନିର୍ଦେଶିକା ଡ. ନିତୁ ଶର୍ମା, ଜାତୀୟ ଖାଦ୍ୟ ସୁରକ୍ଷା ଅଭିଯାନର ସଂଯୋଜକ ରାଜ ଶେଖର, ପୂର୍ବତନ ସ୍ବାସ୍ଥ୍ୟ ନିର୍ଦେଶିକା ଡ. ସେବା ମହାପାତ୍ର ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ। ଡ. ସଦାନନ୍ଦ ବାଗ ଓଡ଼ିଶାରେ ଖାଦ୍ୟ ସୁରକ୍ଷା ଆଇନର ସ୍ଥିତି ଉପରେ ଏକ ସନ୍ଧର୍ଭ ଉପସ୍ଥାପନ କରି ରାଜ୍ୟରେ ୯୨, ୮୯, ୩୪୧ ରେସନ କାର୍ଡ ଧାରୀ ୧୧, ୯୭୫ ଖୁଚୁରା ବିକ୍ରୟ କେନ୍ଦ୍ର ଜରିଆରେ ଉପକୃତ ହେଉଥ‌ିବା କହିଥିଲେ।

ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଖାଦ୍ୟ ଆୟୋଗ ତଥା ଜିଲ୍ଲାସ୍ତରୀୟ ଅଭିଯୋଗ ସମାଧାନ ଅଧିକାରୀ (ଡିଜିଆରଓ) ଏବଂ ନୋଡାଲ ଅଫିସରମାନଙ୍କର ଭୂମିକା ସମ୍ପର୍କରେ ବିଶିଷ୍ଟ ସମାଜସେବୀ ପ୍ରଫୁଲ୍ଲ କୁମାର ସାହୁ, ବରିଷ୍ଠ ଆଇନଜୀବୀ ମାନସ ମହାପାତ୍ର, ମହିଳା କମିସନର ପୂର୍ବତନ ସଦସ୍ୟା ସ୍ନିଗ୍ଧା ପାଣିଗ୍ରାହୀ, ପୁରୁଷୋତ୍ତମ ସାହୁ, ସଂଗୀତା ମାଝୀ, ସାଗର ସଙ୍ଗମ ରାଜୁ ଆଲୋଚନା କରିଥିଲେ। ଏହି ଆଇନ ଅନ୍ତର୍ଗତ ଉତ୍ତରଦାୟିତ୍ବ ବ୍ୟବସ୍ଥା ଏବଂ ଭିଜିଲାନ୍ସ କମିଟି ଗଠନ ପାଇଁ କ୍ଲାପର ସମ୍ପାଦକ ପୁରୁଷୋତ୍ତମ ସାହୁ ଦାବି କରିଥିଲେ।