ଖାଦ୍ୟ ସୁରକ୍ଷା ଓଡ଼ିଶାକୁ ନୂଆ ପରିଚୟ ଦେଇଛି: ସୌମ୍ୟ

ସେମିଳିଗୁଡ଼ା‌େର ଖାଉଟି କାର୍ଡ ବଣ୍ଟନ

କୋରାପୁଟ/ସେମିଳିଗୁଡା: ଘରେ କେହି ଭୋକରେ ରହିଲେ ଘରର ଅମଙ୍ଗଳ ହୁଏ। ତେଣୁ ମା’ ସମସ୍ତଙ୍କୁ ଖୁଆଇଲା ପରେ ନିଜେ ଖାଏ। ଠିକ ସେମିତି ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଜଣଙ୍କୁ ହେଲେ ବି ଭୋକିଲା ନ ରଖିବାକୁ ଶପଥ ନେଇଛନ୍ତି। ଖାଲି କଥାରେ କହିନାହାନ୍ତି, କାମରେ କରି ଦେଖାଇଛନ୍ତି। ଅକ୍ଟୋବର ୨ ତାରିଖରୁ ରାଜ୍ୟର ନିଜସ୍ବ ଖାଦ୍ୟ ସୁରକ୍ଷା ଯୋଜନାରେ ଲୋକଙ୍କୁ ଖାଉଟି କାର୍ଡ ପ୍ରଦାନ କରାଯାଉଥିଲା ବେଳେ ଏହା ଓଡ଼ିଶାକୁ ନୂତନ ପରିଚୟ ପ୍ରଦାନ କରିଛି ବୋଲି କହିଛନ୍ତି ରାଜ୍ୟସଭା ସାଂସଦ ସୌମ୍ୟରଂଜନ ପଟ୍ଟନାୟକ। ଆଜି କୋରାପୁଟର ସେମିଳିଗୁଡା ବ୍ଲକ ପରିସରରେ ହିତାଧିକାରୀଙ୍କୁ ଖାଉଟି କାର୍ଡ ବଣ୍ଟନ କରିବା ଅବସରରେ ସେ ଏହା କହିଛନ୍ତି। ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଦେବେନ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆଜି ସେମିଳିଗୁଡା ବ୍ଲକ୍‌ରେ ହିତାଧିକାରୀଙ୍କୁ ଖାଉଟି କାର୍ଡ ପ୍ରଦାନ କରାଯାଇଥିଲା। ଏଥିରେ ରାଜ୍ୟସଭା ସାଂସଦ ସୌମ୍ୟରଂଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ହିତାଧିକାରୀଙ୍କୁ କାର୍ଡ ପ୍ରଦାନ କରିଥିଲେ। ଏହି ଅବସରରେ ଏକ ସାଧାରଣ ସଭାରେ ଉଦ୍‌ବୋଧନ ଦେଇ କହିଥିଲେ ଯେ, ଗରିବ ଲୋକଙ୍କ ପାଖରେ ସରକାରୀ ଯୋଜନା ପହଞ୍ଚିଲେ ରାଷ୍ଟ୍ରର ବିକାଶ ସମ୍ଭବପର ହୁଏ। ସମାଜର ତଥାକଥିତ ବଡ଼ବଡ଼ିଆମାନଙ୍କ ଉନ୍ନତି ବଦଳରେ ଗରିବଙ୍କୁ ଦୃଷ୍ଟି ଦେଲେ ସମାଜ ସୁଦୃଢ଼ ହୋଇ ପାରିବ। ଏହାକୁ ହିଁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୋଟିଏ ପରେ ଗୋଟିଏ ଯୋଜନା କରି ଚାଲିଛନ୍ତି। ଟାଟା, ଅମ୍ବାନି କି ଅଦାନି ପରି କଂପାନିର ସ୍ବାର୍ଥ ଅପେକ୍ଷା ଗରିବ ଲୋକଙ୍କ ପେଟକୁ ସେ ଅଧିକ ଗୁରୁତ୍ବ ଦେଇଛନ୍ତି। ତେଣୁ ନିଜସ୍ବ ଖାଦ୍ୟ ସୁରକ୍ଷା ଯୋଜନା କରି ଗରିବ ଲୋକଙ୍କୁ ଅଳ୍ପ ମୂଲ୍ୟରେ ଖାଦ୍ୟ ସାମଗ୍ରୀ ଯୋଗାଇବା ବ୍ୟବସ୍ଥା ହୋଇଛି। ଏହି ଯୋଜନା ଫଳରେ ରାଜ୍ୟରେ ଆଉ ଅନାହାର କି ଅର୍ଦ୍ଧାହାରରେ କେହି ରହିବେ ନାହିଁ। ୨୦୧୧ ଜନଗଣନା ଅନୁସାରେ କେନ୍ଦ୍ର ସରକାର ଖାଦ୍ୟ ସୁରକ୍ଷା ଆଇନ ଲାଗୁ କରିଥିଲା ବେଳେ ଏଥିରୁ ବହୁ ଯୋଗ୍ୟ ଲୋକ ବାଦ୍ ପଡିଥିଲେ। ଏବେ ସେମାନଙ୍କୁ ନିଜସ୍ବ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରି ରାଜ୍ୟବାସୀଙ୍କ ମୁହଁରେ ହସ ଫୁଟାଇଛନ୍ତି। ନବୀନ ବାବୁ ଏକ କ୍ଷୁଧାମୁକ୍ତ ଓଡ଼ିଶା ଗଠନ କରି ରାଜ୍ୟକୁ ଏକ ନୂଆ ପରିଚୟ ଦେଇଥିଲା ବେଳେ ବିଜୁ ସ୍ବାସ୍ଥ୍ୟ ଯୋଜନା ଗରିବ ଲୋକଙ୍କୁ ଆଶ୍ବସ୍ତ କରିଛି। ସମାଜର ତଳ ବର୍ଗର ଲୋକେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ବେଶି ଫାଇଦା ପାଉଛନ୍ତି ବୋଲି ସାଂସଦ ଶ୍ରୀ ପଟ୍ଟନାୟକ କହିଥିଲେ। କୋରାପୁଟ ସାଂସଦ ଝିନ୍ନ ହିକ୍‌କା କହିଲେ ଯେ, ପ୍ରତି ଗରିବ ଲୋକଙ୍କୁ ସରକାର ସ୍ବଳ୍ପ ମୂଲ୍ୟରେ ଖାଦ୍ୟ ପଦାର୍ଥ ଯୋଗାଇଦେବାକୁ ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି।

ଏହି କାର୍ଯ୍ୟକ୍ରମରେ ପଟାଙ୍ଗୀ ବିଧାୟକ ପ୍ରଫୁଲ୍ଲ ପାଙ୍ଗୀ, ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଈଶ୍ବର ପାଣିଗ୍ରାହୀ, ଖଦି ବୋର୍ଡ ଅଧ୍ୟକ୍ଷ ତେଜେଶ୍ବର ପରିଡା, କ୍ରିଟ ଅଧ୍ୟକ୍ଷ ଅଶୋକ ପାଙ୍ଗୀ, ପୂର୍ବତନ ବିଧାୟକ ରଘୁରାମ ପଡାଲ, ସେମିଳିଗୁଡା ବ୍ଲକ ଅଧ୍ୟକ୍ଷ ଦିନେଶ ଖରା, ସୁନାବେଡା ପୌର ଅଧ୍ୟକ୍ଷା ଶୁଭଶ୍ରୀ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ। ବିଡିଓ ତ୍ରିନାଥ ମାଝୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ପୂର୍ବରୁ ସାଂସଦ ଶ୍ରୀ ପଟ୍ଟନାୟକଙ୍କୁ ଏକ ବିଶାଳ ବାଇକ ଶୋଭାଯାତ୍ରାରେ କୋରାପୁଟରୁ ସେମିଳିଗୁଡା ପର୍ଯ୍ୟନ୍ତ ପାଛୋଟି ନିଆଯାଇଥିଲା। ପରେ ସେ ଦଶମନ୍ତପୁର ବ୍ଲକରେ ଅନୁଷ୍ଠିତ ଅନ୍ୟ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କୁ ଖାଉଟି କାର୍ଡ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର