ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୩ ଲକ୍ଷ ୮୪ ହଜାର ନୂତନ ହିତାଧିକାରୀ ସାମିଲ

ଭୁବନେଶ୍ବର : କରୋନା ସମୟରେ ଖାଦ୍ୟ ସୁରକ୍ଷାକୁ ଅଗ୍ରାଧିକାର ଦିଆଯାଇ ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୫୩ ହଜାର ୮୪୭ଟି ନୂତନ ପରିବାରର ୩ ଲକ୍ଷ ୮୪ ହଜାର ୯୫୯ ଜଣଙ୍କୁ ସାମିଲ କରାଯାଇଛି। ଏହାସହିତ ମୋଟ ୧୧ ଲକ୍ଷ ମେଟ୍ରିକ୍‌ ଟନ୍‌ ଖାଦ୍ୟଶସ୍ୟ ଉଭୟ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍‌ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଗତ ହିତାଧିକାରୀଙ୍କୁ ଯୋଗାଇ ଦିଆଯାଇଛି। ସାଧାରଣ ବଣ୍ଟନ ବ୍ୟବସ୍ଥାରେ ହିତାଧିକାରୀଙ୍କୁ ରାସନ୍‌ ପ୍ରଦାନ କାର୍ଯ୍ୟକ୍ରମର ସମୀକ୍ଷା କରିବା ଅବସରରେ ଏହି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ।

ସମୀକ୍ଷା ବୈଠକରୁ ଜଣାପଡ଼ିଛି, କୋଭିଡ୍‌ ପରିସ୍ଥିତିରେ ହିତାଧିକାରୀଙ୍କୁ ୩ ମାସର ଏକକାଳୀନ ଆଗୁଆ ରାସନ୍‌ ପ୍ରଦାନ କରିବା କାର୍ଯ୍ୟ ଶେଷ ହୋଇଛି। ଏ ବାବଦରେ ୯୨ ଲକ୍ଷ ୯୬ ହଜାର ୩୨୩ ଜଣ କାର୍ଡ଼ଧାରୀ ପରିବାରକୁ ମୋଟ୍‌ ୫.୬୪ ଲକ୍ଷ ମେଟ୍ରିକ୍‌ ଟନ୍‌ ଖାଦ୍ୟଶସ୍ୟ ବଣ୍ଟନ କରାଯାଇ ପାରିଛି। ସେହିପରି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ହିତାଧିକାରୀଙ୍କୁ ଏପ୍ରିଲ୍‌, ମେ ଓ ଜୁନ୍‌ ମାସର ଚାଉଳ ଓ ଡାଲି ବିନା ମୂଲ୍ୟରେ ଯୋଗାଇ ଦିଆଯାଇଛି। ଅଦ୍ୟାବଧି ମୋଟ ୮୯ ଲକ୍ଷ ୯୦ ହଜାର ୫୮୩ କାର୍ଡ଼ଧାରୀଙ୍କୁ ବିନା ମୂଲ୍ୟରେ ୪.୮୮ ଲକ୍ଷ ମେଟ୍ରିକ୍‌ ଟନ୍‌ ଚାଉଳ ଓ ୨୭ ହଜାର ୯୬୬ ମେଟ୍ରିକ୍‌ ଟନ୍‌ ଡାଲି ଯୋଗାଇ ଦିଆଯାଇଛି। ଏବେସୁଦ୍ଧା ୯୨.୩୭ ଲକ୍ଷ କାର୍ଡ଼ଧାରୀ ପରିବାରଙ୍କୁ କାର୍ଡ଼ ପିଛା ୧ ହଜାର ଟଙ୍କା ନଗଦ ରିଲିଫ୍‌ ଆକାରରେ ୯୨୩ କୋଟି ୭୪ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଭାରତ ସରକାରଙ୍କ ଆତ୍ମ ନିର୍ଭର ଭାରତ କାର୍ଯ୍ୟକ୍ରମରେ ପ୍ରବାସୀ ଶ୍ରମିକ ପରିବାରକୁ ମୁଣ୍ଡ ପିଛା ୫ କିଲୋ ଚାଉଳ ହିସାବରେ ୨ ମାସ ପାଇଁ ୧୦ କିଲୋଗ୍ରାମ୍‌ ଚାଉଳ ଓ ପରିବାର ପିଛା ୧ କିଲୋ ଲେଖାଏଁ ଚଣା ୨ ମାସ ପାଇଁ ବିନା ମୂଲ୍ୟରେ ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର