ଖାଦ୍ୟ ସୁରକ୍ଷା ଯୋଜନା ପ୍ରସଂଗ: ହାଇକୋର୍ଟରେ ଖାଉଟି କଲ୍ୟାଣ ସଚିବଙ୍କ ସତ୍ୟପାଠ

ଆକ୍ସନ ପ୍ଲାନ୍ ସଂପର୍କିତ ତଥ୍ୟ ଦାଖଲ ହେଲାନାହିଁ

କଟକ : ଖାଦ୍ୟ ସୁରକ୍ଷା ଯୋଜନା କାର୍ଯ୍ୟକାରୀ ଓ ଯୋଗ୍ୟ ହିତାଧିକାରୀଙ୍କ ସାମିଲ ପ୍ରସଂଗରେ ରାଜ୍ୟ ସରକାର ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି। ହାଇକୋର୍ଟଙ୍କ ୨୦୨୧, ନଭେମ୍ବର ୨୫ର ନିର୍ଦ୍ଦେଶ ପାଳନ କରି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସଚିବ ଭି.ଭି. ଯାଦବ ଏହି ସତ୍ୟପାଠ ଦାଖଲ କରିଛନ୍ତି। ଏଥିରେ ସଚିବ ଦର୍ଶାଇଛନ୍ତି ଯେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ, ୨୦୧୩ ଅନୁସାରେ ରାଜ୍ୟ ସରକାର କେତେକ ମାନଦଣ୍ଡ ଧାର୍ଯ୍ୟ କରିଛନ୍ତି। ଖାଦ୍ୟ ସୁରକ୍ଷା ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କ ଚିହ୍ନଟ ଓ ଆପେ ସାମିଲ ପାଇଁ ୧୧ଟି ମାନଦଣ୍ଡ ରହିଥିବା ବେଳେ ଏଥିରୁ ବାଦ ଦେବା ଲାଗି ୯ଟି ରହିଛି।

ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ପାଇଁ ରହିଥିବା ମାନଦଣ୍ଡ ମଧ୍ୟ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କ ସାମିଲ ପାଇଁ ଲାଗୁ ହେଉଛି। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ୍‌ ପଡ଼ିଥିବା ଯୋଗ୍ୟ ହିତାଧିକାରୀଙ୍କ ପାଇଁ ରାଜ୍ୟ ସରକାର ନିଜର ଖାଦ୍ୟ ସୁରକ୍ଷା ଯୋଜନା କାର୍ଯ୍ୟକାରୀ କରିଥିଲେ। ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ଓ ବାଦ୍‌ ଦେବାପାଇଁ ରହିଥିବା ମାନଦଣ୍ଡ ଅନୁସାରେ ଯଦି କୌଣସି ହିତାଧିକାରୀ ଯୋଗ୍ୟ ଥା’ନ୍ତି ତେବେ ‌ସବୁ ସମୟରେ ତାଙ୍କୁ ଏପରି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ପାରିବ। ସକ୍ରିୟ ରାସନ କାର୍ଡ ଡାଟାବେସ୍ ବଜାୟ ରଖିବା ଲାଗି ୩୭୮ଟି ରାସନ କାର୍ଡ ମ୍ୟାନେଜମେଣ୍ଟ ସେଣ୍ଟର ୩୧୪ଟି ବ୍ଲକ ଓ ୬୪ଟି ସହରାଞ୍ଚଳରେ ବର୍ଷ ସାରା ୨୦୧୫ରୁ କାର୍ଯ୍ୟ କରୁଛନ୍ତି। ଏଭଳି କେନ୍ଦ୍ରରେ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ପାଇଁ ହିତାଧିକାରୀ ଦରଖାସ୍ତ କରି ପାରିବେ। ରାଜ୍ୟର ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସତ୍ୟପାଠରେ ଦର୍ଶାଯାଇଛି। କିନ୍ତୁ ସତ୍ୟପାଠରେ କୌଣସି ଆକ୍ସନ ପ୍ଲାନ ସଂକ୍ରାନ୍ତରେ ଉଲ୍ଲେଖ କରାଯାଇ ନାହିଁ।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ୨୦୨୧, ନଭେମ୍ବର ୨୫ରେ ହାଇକୋର୍ଟ ମାମଲାର ଶୁଣାଣି କରି ଖାଦ୍ୟ ସୁରକ୍ଷା ଯୋଜନାରୁ ଯେପରି କୌଣସି ଯୋଗ୍ୟ ହିତାଧିକାରୀ ବାଦ ନ ପଡ଼ନ୍ତି ତା ଉପରେ ଗୁରୁତ୍ବାରୋପ କରିଥିଲେ। ଖାଦ୍ୟ ସୁରକ୍ଷା ଯୋଜନାରେ ଅଧିକ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ ପାଇଁ ସରକାର କ’ଣ ପଦକ୍ଷେପ ଗ୍ରହଣ କରୁଛନ୍ତି ସେ ନେଇ ଅବଗତ କରିବାକୁ ହାଇକୋର୍ଟ କହିଥିଲେ। ଶିଶୁଙ୍କ ଉପରେ ସ୍ବତନ୍ତ୍ର ଧ୍ୟାନ ଦେବାକୁ ହାଇକୋର୍ଟ କହିଥିଲେ। ଜାନୁଆରି ୬ ସୁଦ୍ଧା ଏ ସଂପର୍କିତ ଆକ୍ସନ ପ୍ଲାନ ସଂପର୍କରେ ସତ୍ୟପାଠ ମାଧ୍ୟମରେ ଅବଗତ କରିବାକୁ ଖାଉଟି କଲ୍ୟାଣ ସଚିବଙ୍କୁ ହାଇକୋର୍ଟ ଗତ ନ‌ଭେମ୍ବର ୨୫ରେ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ସାନି ସତ୍ୟପାଠରେ ଆକ୍ସନ ପ୍ଲାନ ସଂପର୍କରେ କିଛି ତଥ୍ୟ ନାହିଁ। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ୍‌ ଏସ୍‌. ମୁରଲୀଧର ଓ ଜଷ୍ଟିସ ଆର୍‌କେ ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ପ୍ରଫୁଲ୍ଲ ସାମନ୍ତରାଙ୍କ ଏ ସଂପର୍କିତ ଜନସ୍ବାର୍ଥ ଆବେଦନର ପରବର୍ତ୍ତୀ ଶୁଣାଣି ଫେବ୍ରୁଆରି ୧୫କୁ ତାରିଖ ଧାର୍ଯ୍ୟ କରିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଈଶ୍ବର ମହାନ୍ତି ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର