ଖାଦ୍ୟ ସୁରକ୍ଷା ଯୋଜନା ମାମଲା: ଆଧାର ପାଇଁ ଯୋଗ୍ୟ ହିତାଧିକାରୀ ବଞ୍ଚିତ ହୋଇନାହାନ୍ତି

ହାଇକୋର୍ଟରେ ସରକାରଙ୍କ ସତ୍ୟପାଠ ଦାଖଲ

କଟକ : ଆଧାର ସଂଯୋଗ ହୋଇ ନଥିବା କାରଣରୁ କୌଣସି ଜଣେ ବି ଯୋଗ୍ୟ ହିତାଧିକାରୀ ଖାଦ୍ୟ ସୁରକ୍ଷା ସୁବିଧାରୁ ବଞ୍ଚିତ ହୋଇନାହାନ୍ତି। ରାଜ୍ୟର ୩୧୪ଟି ବ୍ଲକ ଓ ୬୪ଟି ସହରାଞ୍ଚଳରେ ମୋଟ ୩୭୮ଟି ରାସନ କାର୍ଡ ମ୍ୟାନେଜମେଣ୍ଟ ସେଣ୍ଟର କାର୍ଯ୍ୟ କରୁଛି। ଯୋଗ୍ୟ ହିତାଧିକାରୀ ନୂଆ ରାସନ କାର୍ଡ ପାଇଁ ଏପରି ସେଣ୍ଟର ମାଧ୍ୟମରେ ଦରଖାସ୍ତ କରି ପାରୁଛନ୍ତି। ପୁରୁଣା ହିତାଧିକାରୀ ନିଜ କାର୍ଡ ମଧ୍ୟ ଅପ୍-ଡେଟ୍ କରି ପାରୁଛନ୍ତି। ‌ଯୋଗ୍ୟ ହିତାଧିକାରୀଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ପାଇଁ ପଦକ୍ଷେପ ନିଆଯାଉଛି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସଚିବ ହାଇକୋର୍ଟରେ ଦାଖଲ କରିଥିବା ସତ୍ୟପାଠରେ ଏପରି ତଥ୍ୟ ଉଲ୍ଲେଖ କରାଯାଇଛି।

ସୋମବାର ମାମଲାର ଶୁଣାଣି ସମୟରେ ଖାଦ୍ୟ ସୁରକ୍ଷା ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କ ସାମିଲ ପାଇଁ ବିଭାଗ ତରଫରୁ ନିଆଯାଉଥିବା ପଦକ୍ଷେପ ସଂକ୍ରାନ୍ତରେ ତଥ୍ୟ ଉପସ୍ଥାପନ ପାଇଁ ସରକାରଙ୍କ ପକ୍ଷରୁ ଅନୁମତି ଲୋଡ଼ା ଯାଇଥିଲା। ଖାଦ୍ୟ ଯୋଗାଣ ବିଭାଗ ଅଧିକାରୀ ପରବର୍ତ୍ତୀ ଶୁଣାଣି ସମୟରେ ହାଇକୋର୍ଟରେ ସମସ୍ତ ତଥ୍ୟ ପାୱାରପଏଣ୍ଟ ପ୍ରେଜେ‌େଣ୍ଟସନ୍ ମାଧ୍ୟମରେ ଦେଖାଇବେ। ଖାଦ୍ୟ ଯୋଗାଣ ବିଭାଗ ଅଧିକାରୀମାନେ ଭର୍ଚୁଆଲ ମୋଡରେ ତଥ୍ୟ ଉପସ୍ଥାପନ କରିବେ ବୋଲି ହାଇକୋର୍ଟ କହିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ମେ ୧୯କୁ ଧାର୍ଯ୍ୟ କରାଯାଇଛି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ପ୍ରଫୁଲ୍ଲ ସାମନ୍ତରାଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, କରୋନା ଭୂତାଣୁ ସଂକ୍ରମଣକୁ ନେଇ ଦେଖାଦେଇଥିବା ସ୍ଥିତିରେ ରାସନ କାର୍ଡ ନଥିବା ଗରିବ ପରିବାର ଗୁଡିକୁ ମାଗଣା ଖାଦ୍ୟଶସ୍ୟ ସହିତ ଶିଶୁ ଓ ଗର୍ଭବତୀ ମହିଳାଙ୍କୁ ପୁଷ୍ଟିକର ଖାଦ୍ୟ ପ୍ରଦାନ ପ୍ରସଂଗକୁ ନେଇ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରାଯାଇଥିଲା। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଈଶ୍ବର ମହାନ୍ତି ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର