ଖାଦ୍ୟ ସୁରକ୍ଷା ଯୋଜନା ମାମଲା: ହାଇକୋର୍ଟରେ ରାଜ୍ୟ ସରକାରଙ୍କ ସତ୍ୟପାଠ

‘ ଆଧାର ସଂଯୋଗ ହୋଇନଥିବା କାରଣରୁ କେହି ସୁବିଧାରୁ ବଞ୍ଚିତ ହେଉନାହାନ୍ତି ’

କଟକ: ବ୍ୟାଙ୍କ ଖାତା ସହିତ ଆଧାର ସଂଯୋଗ ହୋଇ ନଥିବା କାରଣରୁ ଜଣେ ବି ଯୋଗ୍ୟ ହିତାଧିକାରୀ ଖାଦ୍ୟ ସୁରକ୍ଷା ସୁବିଧାରୁ ଯେପରି ବଞ୍ଚିତ ନ ହେବେ, ତାହା ସୁନିଶ୍ଚିତ କରିବାପାଇଁ ସବୁ ଜିଲ୍ଲାପାଳଙ୍କୁ ସରକାରଙ୍କ ତରଫରୁ ସାନି ନିର୍ଦ୍ଦେଶନାମା ଜାରି କରାଯାଇଛି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ତରଫରୁ ଏପ୍ରିଲ ୧୮ରେ ଏ ନେଇ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ସ୍ପଷ୍ଟ ନିର୍ଦ୍ଦେଶନାମା ଜାରି କରାଯାଇଛି। ଆଜି ସରକାରଙ୍କ ତରଫରୁ ହାଇକୋର୍ଟରେ ଏପରି ତଥ୍ୟ ଉପସ୍ଥାପନ କରାଯାଇଛି। ଏପରି ନିର୍ଦ୍ଦେଶନାମା ପରେ ମଧ୍ୟ ଯଦି କୌଣସି ହିତାଧିକାରୀ ଖାଦ୍ୟ ସୁରକ୍ଷା ସାମଗ୍ରୀରୁ ବଞ୍ଚିତ ହୁଅନ୍ତି, ଏ ନେଇ ଜିଲ୍ଲାର ନୋଡାଲ ଅଧିକାରୀଙ୍କୁ ଅବଗତ କରାଯାଇପାରିବ। ଏଭଳି ଅଭିଯୋଗ ପାଇବାପରେ ନୋଡାଲ ଅଫିସର ତ୍ବରିତ୍‌ ପଦକ୍ଷପେ ଗ୍ରହଣ କରିବା ସହ ହିତାଧିକାରୀଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାର ସୁବିଧା ପ୍ରଦାନ ସୁନିଶ୍ଚିତ କରିବେ ବୋଲି ସରକାରଙ୍କ ତରଫରୁ ହାଇକୋର୍ଟରେ ଆଜି ଦର୍ଶାଯାଇଛି।

ହାଇକୋର୍ଟ ଏ ସଂପର୍କିତ ମାମଲାର ଶୁଣାଣି କରି ଆଧାର ସଂଯୋଗ ହୋଇ ନଥିବା କାରଣରୁ କୌଣସି ହିତାଧିକାରୀ ଖାଦ୍ୟ ସୁରକ୍ଷା ଯୋଜନାରୁ ବଞ୍ଚିତ ଯେପରି ନ ହୁଅନ୍ତି ତାହା ସୁନିଶ୍ଚିତ କରିବାକୁ କହିଛନ୍ତି। ଏହି ପ୍ରସଂଗରେ କ’ଣ ସାନି ସ୍ଥିତି ରହିଛି ସେ ନେଇ ପରବର୍ତ୍ତୀ ଶୁଣାଣି ସମୟରେ ଅବଗତ କରିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ପ୍ରଫୁଲ୍ଲ ସାମନ୍ତରାଙ୍କ ଜନସ୍ବାର୍ଥ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ମେ ୧୩କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଈଶ୍ବର ମହାନ୍ତି ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର