କରୋନା ସଂକ୍ରମଣ ମୁକାବିଲା: ହିତାଧିକାରୀଙ୍କୁ ୩ ମାସର ଚାଉଳ, ଗହମ ଓ କିରୋସିନି ଆଗୁଆ ଦେବେ ସରକାର

ଭୁବନେଶ୍ୱର: କରୋନା ସଂକ୍ରମଣ ରୋକିବାକୁ ଅଣ୍ଟା ଭିଡିଛି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ | ଏଥିପାଇଁ କିଛି ନୂଆ ନିଷ୍ପତ୍ତି ବିଭାଗ ପକ୍ଷରୁ ନିଆଯାଇଛି | ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ତାଲିକାଭୁକ୍ତ ୩.୨୬ କୋଟି ହିତାଧିକାରୀ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହୋଇଥିବା ୪.୫ ଲକ୍ଷ ଯୋଗ୍ୟ ହିତାଧିକାରୀଙ୍କୁ ତିନି ମାସ ପାଇଁ ଆଗୁଆ ଖାଦ୍ୟ ସାମଗ୍ରୀ ଯୋଗାଇ ଦେବାକୁ ନିଷ୍ପତ୍ତି ନିଆଯାଇଛି | ୨୦୨୦ ମସିହା ଏପ୍ରିଲ, ମେ ଓ ଜୁନ ମାସ ପାଇଁ ଯୋଗ୍ୟ ହିତାଧିକାରୀଙ୍କୁ ଚାଉଳ, ଗହମ ଓ କିରୋସିନି ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେବାକୁ ଆଜି ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଘୋଷଣା କରିଛନ୍ତି |

ଆଗାମୀ ଏପ୍ରିଲ ପହିଲାରୁ ମେ ମାସ ୧୫ ତାରିଖ ମଧ୍ୟରେ ଆଗୁଆ ପିଡ଼ିଏସ ସାମଗ୍ରୀ ଯୋଗାଇ ଦିଆଯିବ | ସେହିପରି କରୋନା ଭାଇରସର ବ୍ୟାପ୍ତିକୁ ରୋକିବା ନିମନ୍ତେ ସୁଲଭ ମୂଲ୍ୟ ଦୋକାନଗୁଡିକରେ ଜନଗହଳି ବିନା ହିତାଧିକାରୀମାନେ ଯେପରି ରେସନ ସାମଗ୍ରୀ ଓ କିରୋସିନି ତେଲେ ଉଠାଣ କରିପାରିବେ ସେଥିପାଇଁ ୪୫ ଦିନର ସମୟ ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି | ଅନ୍ୟପଟେ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଇ-ପସ ମେସିନ ଜରିଆରେ ରେସନ ସାମଗ୍ରୀ ବଣ୍ଟନ ସମୟରେ ହିତାଧିକାରୀଙ୍କ ଟିପ ଚିହ୍ନ ଅଥବା ଆଖିଡୋଳା ତନଖିର ଆବଶ୍ୟକତାକୁ ବାଦ ଦିଆଯାଇଛି | ଆସନ୍ତା ଏପ୍ରିଲ ପହିଲାରୁ ବଣ୍ଟନ ପ୍ରକ୍ରିୟା ସାବଲୀଳ ଭାବରେ ଆରମ୍ଭ କରାଯିବା ନିମନ୍ତେ ଏକ ସପ୍ତାହ ମଧ୍ୟରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି |

Mint

ସେହିପରି ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହେବେ ଆଉ ୫ ଲକ୍ଷ ହିତାଧିକାରୀ । ଏହି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଏବେ ୫ ଲକ୍ଷ ନୂଆ ହିତାଧିକାରୀ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହେଲେ ରାଜ୍ୟର ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା ୯ ଲକ୍ଷ ହେବ । ଖାଦ୍ୟ ଯୋଗାଣ ମନ୍ତ୍ରୀ କହିଛନ୍ତି ନୂଆ ହିତାଧିକାରୀଙ୍କୁ ସାମିଲ ପାଇଁ ସମସ୍ତ ପ୍ରକ୍ରିୟା ଶେଷ ହୋଇସାରିଛି । ମୁଖ୍ୟମନ୍ତ୍ରୀ ଅନୁମୋଦନ କରିବା ପରେ ୫ଲକ୍ଷ ନୂଆ ହିତାଧିକାରୀଙ୍କୁ ୩ ମାସର ଅଗ୍ରୀମ ପିଡିଏସ ଥରକରେ ଦିଆଯିବ । ସେହିପରି ଅତ୍ୟାବଶ୍ୟକ ସାମଗ୍ରୀ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି । ତେଣୁ ଲୋକେ ବିବ୍ରତ ନହେବା ପାଇଁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ ରାଜା ସ୍ୱାଇଁ ।

ସମ୍ବନ୍ଧିତ ଖବର