ସହରାଞ୍ଚଳର ବୁଲା ପ୍ରାଣୀଙ୍କୁ ଦିଆଯିବ ଖାଦ୍ୟ

ଭୁବନେଶ୍ବର : ସାରା ଓଡ଼ିଶାରେ ଲକ୍‌ଡାଉନ୍‌ ଜାରି ରହିବାକୁ ଥିବାରୁ ସହରାଞ୍ଚଳର ବୁଲା ପ୍ରାଣୀଙ୍କ ପାଇଁ ଖାଦ୍ୟ ଅଭାବ ଦେଖାଦେଇଛି। ତାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଲକ୍‌ଡାଉନ୍ ସମୟରେ ସହରାଞ୍ଚଳ ଓ ଅର୍ଦ୍ଧସହରୀ ଅଞ୍ଚଳରେ ବୁଲା ପ୍ରାଣୀଙ୍କୁ ଖାଦ୍ୟ ଯୋଗାଣ ପାଇଁ ବ୍ୟବସ୍ଥା କରିବାକୁ ଗୃହ ଓ ନଗର ଉନ୍ନୟନ ବିଭାଗ ମୁଖ୍ୟ ଶାସନ ସଚିବ ଜି. ମାଥିଭାଥନନ ସମସ୍ତ ମ୍ୟୁନିସିପାଲିଟି କର୍ପୋରେସନ୍‌ କମିସନର ଓ ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ କହିଛନ୍ତି।

ଶ୍ରୀ ମାଥିଭାଥନନ କହିଛନ୍ତି ଯେ ରାଜ୍ୟରେ ତାଲା ବନ୍ଦ ଯୋଗୁଁ ବୁଲା କୁକୁରଙ୍କ ସମେତ ବହୁ ପ୍ରାଣୀ ଭୋକ ଉପାସରେ ରହିବେ। ଖାଦ୍ୟ ଖୋଜିବା‌ ସେମାନଙ୍କ ପାଇଁ କଷ୍ଟକର ହୋଇପଡ଼ିବ। ଅନାହାର ସମେତ ଅନ୍ୟାନ୍ୟା ଅସୁବିଧା ହୋଇପାରେ। ତେଣୁ ଉପଲବ୍ଧ ପାଣ୍ଠିରୁ ଖର୍ଚ୍ଚ କରି ଖାଦ୍ୟ ଯୋଗାଣ ଦିଗରେ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି। ଭୁବନେଶ୍ବର ମହାନଗର ନିମଗ(ବିଏମ୍‌ସି)‌ ଅଞ୍ଚଳରେ ଦୈନିକ ୨୦ ହଜାର ଟଙ୍କାର ଖାଦ୍ୟ ବ୍ୟବସ୍ଥା କରିବାକୁ ସ୍ଥିର ହୋଇଛି। ଏହାବ୍ୟତୀତ ବ୍ରହ୍ମପୁର, କଟକ, ରାଉରକେଲା ଓ ସମ୍ବଲପୁର ମ୍ୟୁନିସିପାଲିଟି କର୍ପୋରେସନ୍‌ ପାଇଁ ୧୦ ହଜାର, ସମସ୍ତ ମ୍ୟୁନିସିପାଲ ସଂସ୍ଥା ଲାଗି ୫ ହଜାର ଲେଖାଏଁ ଓ ଏନ୍‌ଏସିଗୁଡ଼ିକ ପାଇଁ ଦୁଇ ହଜାର ଟଙ୍କାର ବ୍ୟୟ କରିପାରିବେ।

ବୁଲା କୁକୁରଙ୍କ ସମେତ ଅନ୍ୟାନ୍ୟ ପଶୁଙ୍କ ପାଇଁ ଏହା ଯେପରି ନିଶ୍ଚିନ୍ତ ଖର୍ଚ୍ଚ ହେବ, ସେ ଦିଗରେ କର୍ତ୍ତୃପକ୍ଷ ପଦକ୍ଷେପ ନେବେ। ଅନାହାର ଯୋଗୁଁ ବୁଲା କୁକୁର ଓ ପଶୁମାନଙ୍କ ଆକ୍ରମଣାତ୍ମକ ଆଚରଣ କମିବାରେ ଏହା ସହାୟକ ହେବ। ସହରାଞ୍ଚଳ ସଂସ୍ଥାଗୁଡ଼ିକ ସେମାନଙ୍କ ଅଞ୍ଚଳରେ ପଶୁ କଲ୍ୟାଣ ପାଇଁ କାର୍ଯ୍ୟ କରୁଥିବା ସଂସ୍ଥାଙ୍କ ସହ ମିଶି ଏଦିଗରେ ପଦକ୍ଷେପ ନେଇପାରନ୍ତି। ଯେଉଁଠି ଏଭଳି କୌଣସି ସଂସ୍ଥା ନ ଥିବେ ସେଠାରେ ମିସନ ଶକ୍ତି ଗୋଷ୍ଠୀଙ୍କ ସହ ମିଶି କାର୍ଯ୍ୟ ହାତକୁ ନେଇପାରିବେ। ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର ଅଧିକାରୀଙ୍କୁ ସାମିଲ କରାଯାଇପାରେ। ଯେତେଶୀଘ୍ର ସମ୍ଭବ ଏଦିଗରେ ପଦକ୍ଷେପ ନେବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର