ସିଙ୍ଗଡ଼ା: ଫୁଟ୍ବଲ୍ ଖେଳାଳି ତଥା ଫୁଟ୍ବଲ୍ ରେଫରୀ ଉତ୍କଳମଣି ବେହେରା। ଗାଁ ଗଣ୍ଡାରେ ଫୁଟ୍ବଲ ଖେଳ ହେଲେ ଦରକାର ପଡ଼ନ୍ତି ଉତ୍କଳମଣି। ଖରା ହେଉ କି ବର୍ଷା ଖେଳ ନାଁ ଶୁଣିଲେ ଧାଇଁ ଯାଆନ୍ତି ପଡ଼ିଆକୁ। ସେ ହେଉଛନ୍ତି ଫୁଟ୍ବଲ ପ୍ରେମୀ, ସରଳ ମଣିଷ ଉତ୍କଳମଣି (୩୬)। କରଞ୍ଜିଆ ବ୍ଲକ ସାରଙ୍ଗଗଡ଼ ଏକ ଛୋଟ ଗାଁରେ ତାଙ୍କର ଘର। ସ୍ଥାନୀୟ ଅଞ୍ଚଳର ଜଣେ ସୁନାମଧନ୍ୟ ଫୁଟ୍ବଲ ଖେଳାଳି ଭାବେ ପରିଚିତ। ଫୁଟ୍ବଲ ଖେଳ ପ୍ରତି ପ୍ରବଳ ନିଶା ଓ ଆନ୍ତରିକତା। ଜଣେ ଭଲ ଫୁଟବଲ ରେଫରୀ ମଧ୍ୟ।
ଉତ୍କଳମଣି ଯୁକ୍ତଦୁଇ ପାସ୍ କରିଛନ୍ତି ଅର୍ଥ ଅଭାବରୁ ଆଗଗୁ ପଢ଼ି ପାରି ନଥିଲେ। ଖେଳ ପ୍ରତି ଆଗ୍ରହ ଥିବାରୁ ରାଜ୍ୟସ୍ତରୀୟ ଫୁଟ୍ବଲ୍ ରେଫରୀ ପ୍ରତିଯୋଗିତାରେ ଉର୍ତ୍ତୀର୍ଣ୍ଣ ହୋଇଥିବାବେଳେ ଜାତୀୟସ୍ତରୀୟ ଫୁଟ୍ବଲ୍ ରେଫରୀ ପାଇଁ ପରୀକ୍ଷା ଆବେଦନ କରିଛନ୍ତି। ଆର୍ଥିକ ସଂକଟ ଭିତରେ ଥାଇ ଖେଳ ନିଶା ଛାଡ଼ି ନାହାନ୍ତି। ଏବେ ସେ ପରିବାର ଚଳାଇବା ପାଇଁ ନିଜସ୍ବ ଉଦ୍ୟମରେ ଏକ କୁକୁଡ଼ା ଫାର୍ମ କରିଛନ୍ତି। ପ୍ରଥମେ କିଛି ଦେଶୀ କୁକୁଡ଼ା ପୋଷିବା ଆରମ୍ଭ କରିଥିଲେ। ଅଧିକ ରୋଜଗାର ତଥା ଆଧୁନିକ ପ୍ରଣାଳୀରେ ଅଣ୍ଡା ଦିଆ କୁକୁଡ଼ା ଫାର୍ମ କରିବା ପାଇଁ ମନୋନିବେଶ କଲେ। ଏଥିପାଇଁ ଯାହା କିଛି ଅର୍ଥ ଲୋଡ଼ା ନିଜେ ଯୋଗାଡ଼ କରି ବାହାରୁ ଚିଆଁ କିଣି ଘରେ ରଖିବା ଆରମ୍ଭ କଲେ। ବର୍ତ୍ତମାନ ତାଙ୍କ ଫାର୍ମରେ ୧୦୦୦ରୁ ଊର୍ଦ୍ଧ୍ବ କୁକୁଡ଼ା ଅଛନ୍ତି।
ଏହି କୁକୁଡ଼ା ଦେଢ଼ ବର୍ଷ ପର୍ଯ୍ୟନ୍ତ ଅଣ୍ଡା ଦେଇଥାନ୍ତି। ସେମାନଙ୍କୁ ରଖିବା ପାଇଁ ଛୋଟିଆ ଘର ନିର୍ମାଣ କରିଛନ୍ତି। ସହଧର୍ମିଣୀ ରଇବାରୀ ବେହେରା ତାଙ୍କୁ ସଂପୂର୍ଣ୍ଣ ସହଯୋଗ କରୁଛନ୍ତି। ସ୍ତ୍ରୀ ରଇବାରୀ କୁକୁଡ଼ା ଉପଯୁକ୍ତ ଯତ୍ନନେବା ସହ ଠିକ୍ ସମୟରେ ଔଷଧ, ଖାଦ୍ୟ, ପାନୀୟ ଏବଂ ସକାଳେ ଅଣ୍ଡା ସାଉଁଟି ରଖିଥାନ୍ତି। ସରକାରୀ ସହାୟତା ମିଳିଲେ ବ୍ୟବସାୟ ଆଗକୁ ବଢ଼ାଇବା ସହ ଲୋକଙ୍କ ଆବଶ୍ୟକତା ମେଣ୍ଟାଇ ପାରିବେ ବୋଲି କହିଛନ୍ତି ଉତ୍କଳମଣି। କୁକୁଡ଼ା ଚାଷ କରି ସ୍ୱାବଲମ୍ବୀ ହେବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଉତ୍କଳମଣି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/23-19.jpg)