ବୁଗୁଡ଼ା: କିଛି ଦିନ ପରେ ଗଞ୍ଜାମ ଜିଲ୍ଲା ଦକ୍ଷିଣ ଘୁମୁସର ବନଖଣ୍ଡରେ ପୁଣି ଆତଙ୍କ ସୃଷ୍ଟି କରିଛି ମହାବଳ। ବୁଗୁଡ଼ା ବନାଞ୍ଚଳ କିରିଆମ୍ବା ଜଙ୍ଗଲରୁ ଆଜି ଏକ ଗାଈର କ୍ଷତାକ୍ତ ଶବ ମିଳିବା ପରେ ଏହାକୁ ବାଘ ମାରି ଖାଇଥିବା ଅଭିଯୋଗ ହୋଇଛି। ଗତକାଲି ହୀରାପଲ୍ଲୀ ଗ୍ରାମର ଦେବ ନାୟକଙ୍କ ଗାଈଗୋଠ ଜଙ୍ଗଲକୁ ଚରିବାକୁ ଯାଇଥିଲେ। ସନ୍ଧ୍ୟାରେ ଗାଈପଲ ଫେରି ଆସିଥିଲେ ‌‌‌‌ହେଁ ଗୋଟିଏ ଗାଈ ଫେରି ନଥିଲା। ଫଳରେ ଗ୍ରାମବାସୀ ଆଖପାଖ ଇଲାକାରେ ଖୋଜାଖୋଜି କରିଥିଲେ। କିନ୍ତୁ ଗାଈଟିର ପତ୍ତା ମିଳି ନଥିଲା। ଆଜି ସକାଳେ ଗ୍ରାମର କିଛି ଲୋକ କାଠ ସଂଗ୍ରହ ପାଇଁ ଜଙ୍ଗଲକୁ ଯାଇଥିବା ବେଳେ ଗାଈଟିର କ୍ଷତାକ୍ତ ଶବ ଦେଖିଥିଲେ। ଶବ ନିକଟରେ ବାଘର ପାଦଚିହ୍ନ ପଡ଼ିଥିବା ସନ୍ଦେହ କରି ବନବିଭାଗକୁ ସୂଚନା ଦିଆ ଯାଇଥିଲା। ବନ କର୍ମଚାରୀ ପହଞ୍ଚି ଯାଞ୍ଚ କରିଥିଲେ।

Advertisment

ପାଦର ମାପ ଏକଫୁଟରୁ ଅଧିକ ହୋଇଥିବାରୁ ଏହା ମହାବଳ ବାଘର ବୋଲି ଅନୁମାନ ବଳବତ୍ତର ହେଉଥିବା ‌ବୁଗୁଡ଼ା ରେଞ୍ଜର୍ ପ୍ରଦୀପ କୁମାର ମିଶ୍ର ସୂଚନା ଦେଇଛନ୍ତି। ଫଳରେ ନିକଟ ଗାଁରେ ଏବେ ଆତଙ୍କ ଦେଖାଦେଇଛି। ଅନ୍ୟପକ୍ଷରେ ପ୍ରାଣୀଧନ ଚିକିତ୍ସାଧିକାରୀ ଓ ଟିମ୍ ପହଞ୍ଚି ଶବ ବ୍ୟବଚ୍ଛେଦ କରିଛନ୍ତି। ବାଘ ଆକ୍ରମଣରେ ଗାଈଟିର ମୃତ୍ୟୁ ହୋଇଥିବା ଜଣାପଡ଼ିଲେ ମାଲିକଙ୍କୁ ୩୩ ହଜାର ୫ ଶହ ଟଙ୍କା କ୍ଷତିପୂରଣ ଦିଆଯିବ ବୋଲି ରେଞ୍ଜର୍ କହିଛନ୍ତି l