ବାଲେଶ୍ବର ପାଇଁ ବିଜେପିରୁ ମାନସ, ବାପାଙ୍କ ଅଧୁରା ସ୍ବପ୍ନ ପୂରଣ କରିବି

ବାଲେଶ୍ବର: ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ବିଜେପି ଆଜି ବାଲେଶ୍ବର ସଦର ଉପନିର୍ବାଚନ ପାଇଁ ଦିବଂଗତ ବିଧାୟକ ମଦନମୋହନ ଦତ୍ତଙ୍କ ପୁତ୍ର ମାନସ ଦତ୍ତଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛି। ପ୍ରାର୍ଥିତ୍ବ ଉପରେ ମୋହର ବାଜିବା ପରେ ମାନସ ଅତ୍ୟନ୍ତ ଭାବବିହ୍ବଳ ହୋଇ ନିର୍ବାଚନମଣ୍ଡଳୀବାସୀଙ୍କ ଆଶୀର୍ବାଦ ଓ ସହଯୋଗ କାମନା କରିଛନ୍ତି। ପ୍ରତିକ୍ରିୟାରେ କହିଛନ୍ତି, ବାଲେଶ୍ବରବାସୀଙ୍କ ପାଇଁ ମୋ ବାପା ଅନେକ କିଛି ସ୍ବପ୍ନ ଦେଖିଥିଲେ। ଦିବଂଗତ ବାପାଙ୍କର ଏହି ଅଧୁରା ସ୍ବପ୍ନକୁ ସାକାର କରିବାକୁ ମୁଁ ପ୍ରାଣପଣେ ଚେଷ୍ଟା କରିବି। ମାନସଙ୍କ ପ୍ରାର୍ଥିତ୍ବ ଘୋଷଣା ପରେ ବିଜେପି ଶିବିରରେ ଖୁସିର ବାତାବରଣ ଦେଖିବାକୁ ମିଳିଛି।

ସଦର ଉପନିର୍ବାଚନ ପାଇଁ ତିନି ପ୍ରମୁଖ ଦଳରେ ପ୍ରାର୍ଥିତ୍ବକୁ ନେଇ ଦ୍ବନ୍ଦ୍ବ ରହିଥିବା ବେଳେ ବିଜେପି ସର୍ବପ୍ରଥମେ ପ୍ରାର୍ଥୀ ଘୋଷଣା କରି ସବୁ ଚର୍ଚ୍ଚା, ଆଲୋଚନାର ଅବସାନ ଘଟାଇଛି। ମାନସ ବାଲେଶ୍ବରର ଦିବଂଗତ ବିଧାୟକ ମଦନମୋହନ ଦତ୍ତଙ୍କ ଏକମାତ୍ର ପୁତ୍ର ହୋଇଥିବା ବେଳେ ତାଙ୍କ ବୟସ ଏବେ ୨୮ ବର୍ଷ। ବଳାଙ୍ଗୀ କଲେଜରେ ଯୁକ୍ତ ଦୁଇ ପଢ଼ିସାରିବା ପରେ ସେ ଗ୍ରାଫିକ୍ସ ଡିଜାଇନିଂରେ ଡିଗ୍ରୀ ହାସଲ କରିଛନ୍ତି। ଏବିଭିପି ଛାତ୍ର ସଂଗଠନର ବାଲେଶ୍ବର ଓ ରାଜ୍ୟ କାର୍ଯ୍ୟକାରିଣୀରେ ବିଭିନ୍ନ ଦାୟିତ୍ବ ତୁଲାଇବା ସହ ୨୦୧୭ ମସିହାରେ ବିଜେପିର ସକ୍ରିୟ ସଦସ୍ୟତା ଗ୍ରହଣ କରିଥିଲେ। ଗତ ପଞ୍ଚାୟତ ନିର୍ବାଚନ ଓ ୨୦୧୯ ସାଧାରଣ ନିର୍ବାଚନରେ ଦଳର ପ୍ରଚାର ଅଭିଯାନରେ ତାଙ୍କର ସକ୍ରିୟ ଭୂମିକା ରହିଥିଲା। ଏହାଛଡ଼ା ନିଜ ଦିବଂଗତ ବାପାଙ୍କ ସହ ବିଜେପିର ବିଭିନ୍ନ କାର୍ଯ୍ୟକ୍ରମ ଏବଂ କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ଯୋଜନାଗୁଡ଼ିକୁ ମିଡିଆ ଓ ସୋସିଆଲ ମିଡିଆରେ ପ୍ରଚାରପ୍ରସାର କାମ ମଧ୍ୟ ସେ ‌ଦେଖୁଥିଲେ। ବୟସରେ କମ୍ ଏବଂ ସକ୍ରିୟ ରାଜନୀତିରେ ନୂଆ ମୁହଁ ହୋଇଥିଲେ ବି ଦକ୍ଷତା ଓ ଅନୁକମ୍ପା ଆଧାରରେ ତାଙ୍କୁ ଭୋଟ ମିଳିବ ବୋଲି ଦଳ ଆଶା ରଖିଛି।

ଅନ୍ୟପକ୍ଷରେ ବିଜେଡି ଓ କଂଗ୍ରେସ ଏପର୍ଯ୍ୟନ୍ତ ପ୍ରାର୍ଥୀ ତାଲିକା ଘୋଷଣା କରିନାହାନ୍ତି। ୨୦୧୯ ସାଧାରଣ ନିର୍ବାଚନରେ ବାଲେଶ୍ୱରରୁ ସାଂସଦ ପ୍ରାର୍ଥୀ ହୋଇଥିବା ନବଜ୍ୟୋତି ପଟ୍ଟନାୟକଙ୍କ ନାଁ ଆରମ୍ଭରୁ ଚର୍ଚ୍ଚା ହେଉଥିଲା। ତତ୍‌ସହିତ ଅନ୍ୟତମ ଆଶାୟୀ ଭାବେ ଯୁବନେତା ବିକ୍ରମ ପଣ୍ଡା ମଧ୍ୟ ଲବିରେ ରହିଥିବା ଶୁଣାଯାଉଛି। କିନ୍ତୁ ଏବେ ସମ୍ଭାବ୍ୟ ପ୍ରାର୍ଥୀ ତାଲିକାରେ ମହିଳା ସମାଜସେବୀ ମମତା କୁଣ୍ଡୁଙ୍କ ନାଁ ଆସିଛି। ସେହିପରି ବିଜେଡିରୁ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କ ପତ୍ନୀ ସୁବାସିନୀଙ୍କ ନାଁ ଚର୍ଚ୍ଚାରେ ରହିଥିବାବେଳେ କଂଗ୍ରେସ ଶ୍ରୀମତୀ କୁଣ୍ଡୁଙ୍କୁ ଟିକେଟ୍‌ ଦେଇ ମହିଳା କାର୍ଡ ଖେଳିବାର ସମ୍ଭାବନା ଦେଖାଦେଇଛି। ଏ ‌ସମ୍ପର୍କରେ ଶ୍ରୀମତୀ କୁଣ୍ଡୁଙ୍କୁ ଯୋଗାଯୋଗ କରିବାରୁ ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି, ‌ରାଜନୀତିରେ ମୋର ବେଶି ଅଭିଳାଷ ନାହିଁ। ତେବେ ଜଣେ ସ୍ବେଚ୍ଛୀସେବୀ ଭାବରେ ସବୁବେଳେ ଲୋକଙ୍କ ପାଇଁ କାମ କରୁଛି। ଯେହେତୁ ଲୋକମାନେ ଚାହୁଁଛନ୍ତି ମୋ ଭଳି ଚେହେରା ରାଜନୀତିକୁ ଆସନ୍ତୁ, ସେଥିପାଇଁ ପ୍ରାର୍ଥୀ ତାଲିକାରେ ମୋ ନାଁ ରହିଛି। କେଉଁ ଦଳରୁ ପ୍ରାର୍ଥୀ ହେବି କିମ୍ବା ସ୍ବାଧୀନ ଭାବେ ଲଢ଼ିବି ସେ ସମ୍ପର୍କରେ ଖୁବ୍‌ଶୀଘ୍ର ସୂଚନା ଦେବି।

ସମ୍ବନ୍ଧିତ ଖବର