ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ..

କରୋନା ଭୂତାଣୁଜନିତ ମହାମାରୀର ମୁକାବିଲା ପାଇଁ ପାଠକବନ୍ଧୁମାନେ ଯେଉଁ ଧୈର୍ଯ୍ୟ, ଶୃଙ୍ଖଳା ଓ ସାହସର ପରିଚୟ ଦେଇଛନ୍ତି, ସେଥିପାଇଁ ‘ସମ୍ବାଦ’ ପରିବାର ତରଫରୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। ମହାମାରୀ ଯୋଗୁଁ ଲାଗୁ କରାଯାଇଥିବା ଲକ୍‌ଡାଉନ୍ ଫଳରେ ଆମ ବ୍ୟବସ୍ଥାର ପ୍ରତ୍ୟେକ ଅଙ୍ଗ ପ୍ରଭାବିତ ହୋଇଛନ୍ତି। ଆଗକୁ ପରିସ୍ଥିତି କ’ଣ ହେବ, ତାହା ନିର୍ଦ୍ଦିଷ୍ଟ ଭାବେ ଆକଳନ କରିହେଉନାହିଁ। ଆମର ଶିକ୍ଷା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍ ପଡ଼ିନାହିଁ। ବିଦ୍ୟାଳୟଗୁଡ଼ିକ ପ୍ରାୟ ଦୁଇମାସ ଆଗରୁ ବନ୍ଦ ହେଲେଣି ଏବଂ ଆସନ୍ତା ଜୁଲାଇ ପୂର୍ବରୁ ଖୋଲିବାର ସମ୍ଭାବନା ଦେଖାଯାଉନାହିଁ। ଇତିମଧ୍ୟରେ ମାଧ୍ୟମିକ ଶିକ୍ଷା ପରିଷଦ ପାଠ୍ୟକ୍ରମରେ ପରିବର୍ତ୍ତନର ସୂଚନା ଦେଇଛନ୍ତି ଓ ନୂଆ ବହି ଛପାଯାଇଛି ବୋଲି ଘୋଷଣା କରିଛନ୍ତି। ତେବେ ବହିଗୁଡ଼ିକ ଏପର୍ଯ୍ୟନ୍ତ ଓଡ଼ିଶାର ପୁରପଲ୍ଲୀରେ ପହଞ୍ଚି ପାରିନାହିଁ। ଆମ ମାଧ୍ୟମିକ ଶିକ୍ଷାବ୍ୟବସ୍ଥା ମୋଟାମୋଟି ଅଚଳ ହୋଇଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ବେସରକାରୀ ଇଂରାଜୀ ମାଧ୍ୟମ ସ୍କୁଲଗୁଡ଼ିକ ଅନ୍‌ଲାଇନ୍ ପାଠପଢ଼ା କାର୍ଯ୍ୟକ୍ରମ ଆରମ୍ଭ କଲେଣି। ଆମର ଓଡ଼ିଆ ମାଧ୍ୟମ ସରକାରୀ ସ୍କୁଲଗୁଡ଼ିକରେ ଏପରି ଉଦ୍ୟମ ଆରମ୍ଭ ହୋଇଥିଲେ ମଧ୍ୟ ସେ ସୁବିଧା ସାରା ଓଡ଼ିଶାରେ ପହଞ୍ଚାଇବା ସମ୍ଭବ ନୁହେଁ।

ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ‘ସମ୍ବାଦ’ ପରିବାର ତରଫରୁ ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଏକ ବିଶେଷ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଆସନ୍ତା ସପ୍ତାହରୁ ପ୍ରତିଦିନ ‘ଶିକ୍ଷା ସମ୍ବାଦ’ ଶୀର୍ଷକ ଗୋଟିଏ ପୃଷ୍ଠା ୯ମ ଓ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସମର୍ପିତ ହେବ। ଅତୀତର ‘ଶିକ୍ଷା ସମ୍ବାଦ’ ପରି ଅଭିଜ୍ଞ ଶିକ୍ଷକଶିକ୍ଷୟିତ୍ରୀମାନଙ୍କ ଦ୍ବାରା ନୂଆ ପାଠ୍ୟକ୍ରମ ଅନୁସାରେ ଏହି ପୃଷ୍ଠାଟି ପ୍ରସ୍ତୁତ ହେବ। ‘ସମ୍ବାଦ’ର ପାଠକ ପରିବାରରେ ଥିବା ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଲକ୍‌ଡାଉନ୍ ଓ ସ୍କୁଲ ବନ୍ଦ ସମୟରେ ତାଙ୍କର ସମୟକୁ ସଦୁପଯୋଗ କରିବାରେ ଏହା ସହାୟକ ହେବ ବୋଲି ଆମର ବିଶ୍ବାସ। ଯେଉଁ ପରିବାରରେ ହାଇସ୍କୁଲ ଛାତ୍ରଛାତ୍ରୀ ନଥିବେ ସେଦିନର ‘ସମ୍ବାଦ’ ପଢ଼ିସାରିଲା ପରେ ସେମାନେ ଯାହା ଘରେ ୯ମ କିମ୍ବା ୧୦ମ ଶ୍ରେଣୀର ଛାତ୍ରଛାତ୍ରୀ ଥିବେ ସେମାନଙ୍କୁ ଏହି ସମ୍ବାଦପତ୍ରଟିକୁ ଦେଇ ସାହାଯ୍ୟ କରିବେ ବୋଲି ଅନୁରୋଧ କରୁଛି।
ପୁଣି ଥରେ ଶୁଭେଚ୍ଛା ସହ ରହୁଛି।

–ସମ୍ପାଦକ

ସମ୍ବନ୍ଧିତ ଖବର