ଛତ୍ରପୁର: ସରକାରୀ ଓ ବେସରକାରୀ ସ୍ତରରେ ବ୍ୟାପକ ସଚେତନତା ସତ୍ତ୍ବେ ସମାଜରୁ ବାସନ୍ଦ ପ୍ରଥା ହଟିପାରୁନି। ଶେଷରେ ଖୋଦ୍ ସରକାରୀ ଅଧିକାରୀ ବି ଏଥିରୁ ବାଦ୍ ପଡ଼ୁନାହାନ୍ତି। ଯାହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାରେ। ଅନ୍ୟ ଜାତିର ଝିଅକୁ ବାହା ହେବାରୁ ଆସିକା ଅତିରିକ୍ତ ତହସିଲଦାର ସୌଦାଗର ବେହେରାଙ୍କ ପରିବାରକୁ କୁଳସମାଜ ବାସନ୍ଦ କରିଥିବା ଅଭିଯୋଗ ହୋଇଛି। ଫଳରେ ନ୍ୟାୟ ପାଇଁ ବାପା ବିଜୟ ବେହେରା ଆଜି ଛତ୍ରପୁର ଥାନାର ଦ୍ବାରସ୍ଥ ହୋଇ ଲିଖିତ ଏତଲା ଦେଇଛନ୍ତି।
ଅତିରିକ୍ତ ତହସିଲଦାର ଶ୍ରୀ ବେହେରା ହେଉଛନ୍ତି, ଛତ୍ରପୁର ଥାନା ଅଧୀନ ମୁନିଷିପେଣ୍ଠ ଗ୍ରାମର ମୂଳବାସିନ୍ଦା। ଚଳିତବର୍ଷ ଫେବ୍ରୁଆରି ମାସରେ ସେ ଜଣେ ଅନ୍ୟ ଜାତିର ଯୁବତୀଙ୍କୁ ବିବାହ କରିଥିଲେ। ଏହାପରେ ବାପା ବିଜୟ କୁଳସମାଜକୁ ଏହି ବାହାଘର ବିଷୟରେ ଅବଗତ କରାଇଥିଲେ। ତେବେ ସମାଜ ପକ୍ଷରୁ ତାଙ୍କୁ ‘ପୁଅ ତୁମ ସହ ରହିବ ନା ଅଲଗା ରହିବ’ ବୋଲି ପ୍ରଶ୍ନ କରାଯାଇଥିଲା। ପୁଅ ପରିବାର ସହ ରହିବ କହିବାରୁ ଏନେଇ ବିଚାର କରାଯିବ ବୋଲି କୁଳସମାଜ ପକ୍ଷରୁ ବିଜୟଙ୍କୁ ପ୍ରତିଶ୍ରୁତି ଦିଆଯାଇଥିଲା। ଚଳିତମାସ ୨୩ ତାରିଖରେ ଗାଁର ଏକ ବିବାହ ଭୋଜିକୁ ବିଜୟ ଯାଇ ଖାଉଥିବା ବେଳେ ଜୋର୍ ଜବରଦସ୍ତ ତାଙ୍କ ଖଲିପତ୍ରକୁ ଉଠାଇ ଏହି ଭୋଜିକୁ ତୁମକୁ କିଏ ଡାକିଛି ବୋଲି ପଚାରି ଅପମାନିତ କରାଯାଇଥିଲା।
ଏହାସହ ତାଙ୍କ ପରିବାର ପ୍ରତି କଟୁଭାଷା ପ୍ରୟୋଗ କରାଯାଇଥିଲା। ପୁଅ ଅନ୍ୟ ଜାତିରେ ବାହା ହୋଇଥିବାରୁ ପରିବାରକୁ ବାସନ୍ଦ କରାଯାଇଥିବା କୁଳସମାଜର କର୍ମକର୍ତ୍ତାଗଣ କହିଥିବା ବିଜୟ ତାଙ୍କ ଏତଲାରେ ଦର୍ଶାଇଛନ୍ତି। ଅନ୍ୟପକ୍ଷରେ ଛତ୍ରପୁର ଥାନାରେ ଆଜି କୁଳସମାଜର କର୍ମକର୍ତ୍ତା ଓ ବିଜୟଙ୍କ ପରିବାରକୁ ଡାକି ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲେ ହେଁ, ସମାଧାନର ବାଟ ଫିଟିପାରିନି। କୌଣସି ମାମଲା ମଧ୍ୟ ରୁଜୁ ହୋଇ ନଥିବା ଥାନାଧିକାରୀ ସବ୍ୟସାଚୀ ମଲ୍ଲ କହିଛନ୍ତି। ତେବେ ଉକ୍ତ ପରିବାରକୁ ବାସନ୍ଦ କରାଯାଇନି ବୋଲି ସମାଜ ପକ୍ଷରୁ କୁହାଯାଇଛି। ପରବର୍ତ୍ତୀ ସମୟରେ ସମାଜର ମହାସଭା କର୍ମକର୍ତ୍ତାଙ୍କୁ ନେଇ ଆଲୋଚନା ହେବ ବୋଲି ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/28/jgdjgdgjcbn-2025-11-28-02-25-41.jpg)