ଭୁବନେଶ୍ବର: ନୋଭେଲ କରୋନା ଭାଇରସ ବା କୋଭିଡ୍-୧୯ ନେଇ ଆଜି ପୁଣିଥରେ ରାଜ୍ୟବାସୀଙ୍କୁ ସତର୍କ କରାଇଛନ୍ତି ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଏକ ଭିଡିଓ ବାର୍ତ୍ତା ଜାରି କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ମାତ୍ର ୧୦ ପ୍ରତିଶତ ଲୋକଙ୍କ ଭୁଲ ଯୋଗୁ ସମସ୍ୟା ୧୦୦ ଗୁଣ ବଢିପାରେ। ତେଣୁ ରାଜ୍ୟବାସୀ ସତର୍କ ରୁହନ୍ତୁ, ଓ ପ୍ରଶାସନ ସହ ସହଯୋଗ କରନ୍ତୁ ବୋଲି ସେ ଆହ୍ବାନ ଦେଇଛନ୍ତି।
ଆଜି ଜାରି ହୋଇଥିବା ଏକ ଭିଡିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି, ଗତ ୧୦ ଦିନ ତଳେ ମୁଁ ଆପଣମାନଙ୍କ ସହିତ କଥା ହୋଇଥିଲି । ସେତେବେଳେ ଆମ ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ୬୧ ଥିଲା । ଏବେ ତାହା ଦୁଇ ଗୁଣ ବଢିଗଲାଣି । କିନ୍ତୁ ଡ଼ରିବାର କିଛି ନାହିଁ । ଆମେ ସତର୍କ ରହିଲେ ବିପଦକୁ ଏଡେଇ ପାରିବା ।
/sambad/media/post_attachments/wp-content/uploads/2020/04/CM-Naveen-Patnaik-1.jpg)
ପ୍ରଥମେ ଆମ ପାଇଁ ଚ୍ୟାଲେଞ୍ଜ ଥିଲା ବିଦେଶରୁ ଫେରୁଥିବା ଓଡିଆ ଭାଇଭଉଣୀଙ୍କ ଯତ୍ନ ନେବା । ଓଡିଶା ପ୍ରଥମ ରାଜ୍ୟ, ଯିଏ କି ସେମାନଙ୍କ ପାଇଁ ରେଜିଷ୍ଟ୍ରେସନ ଆରମ୍ଭ କଲା। ସେତେବେଳେ ସରକାରଙ୍କୁ ସହଯୋଗ କରିବା ପାଇଁ ମୁଁ ଆପଣମାନଙ୍କୁ ଅନୁରୋଧ କରିଥିଲି । ଆପଣମାନେ ସହଯୋଗ କଲେ। ଆମେ ପରିସ୍ଥିତିକୁ ଭଲ ଭାବରେ ନିୟନ୍ତ୍ରଣ କରିପାରିଲେ।
ତା’ ପରେ ଚ୍ୟାଲେଞ୍ଜ ହେଲା ନିଜାମୁଦିନ୍ରୁ ଫେରୁଥିବା ବନ୍ଧୁମାନଙ୍କ ଠିକ୍ ଭାବରେ ଯତ୍ନ ନେବା। ମୁଁ ପୁଣି ଥରେ ଆପଣମାନଙ୍କୁ ଅନୁରୋଧ କଲି । ଆପଣମାନେ ସହଯୋଗ କଲେ । ଆମେ ଏଥରକ ମଧ୍ୟ ପରିସ୍ଥିତିକୁ ଭଲ ଭାବରେ ନିୟନ୍ତ୍ରଣ କରିପାରିଲେ ।
ଏବେ ଆମର ତୃତୀୟ ଆହ୍ବାନ ହେଉଛି, ପଶ୍ଚିମବଙ୍ଗରୁ ଫେରୁଥିବା ଭାଇଭଉଣୀମାନଙ୍କର ଯତ୍ନ । ରାଜ୍ୟରେ ବର୍ତ୍ତମାନ କରୋନା ପଜିଟିଭମାନଙ୍କ ମଧ୍ୟରୁ କେବଳ ପଶ୍ଚିମବଙ୍ଗ ଫେରନ୍ତା ହେଉଛନ୍ତି ୫୦ । ଆପଣମାନଙ୍କ ସହଯୋଗରେ ଆମେ ପରିସ୍ଥିତିକୁ ଭଲ ଭାବରେ ମୁକାବିଲା କରିପାରିଛୁ । ପରିସ୍ଥିତି ନିୟନ୍ତ୍ରଣରେ ଅଛି ।
ତେବେ, ଆଗାମୀ କିଛି ଦିନ ଆମ ପାଇଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ । ଦେଶର ସବୁଠାରୁ ଅଧିକ କରୋନା ସଂକ୍ରମିତ ରାଜ୍ୟ ମହାରାଷ୍ଟ୍ର, ଗୁଜୁରାଟ, ଦିଲ୍ଲୀ, ତାମିଲନାଡୁ, କର୍ଣ୍ଣାଟକ, ରାଜସ୍ଥାନ ତଥା ଆମ ପଡୋଶୀ ପଶ୍ଚିମବଙ୍ଗରୁ ବହୁ ଓଡିଆ ଭାଇଭଉଣୀ ରାଜ୍ୟକୁ ଫେରିବେ। ସେମାନେ ଆମ ଘର ଲୋକ। ବିପଦ ସମୟରେ ମା’ ଓ ମାତୃଭୂମି ଆଗ ଆମ ମନକୁ ଆସିଥାଏ । ସେମାନେ ସମସ୍ତେ ଆମର ପିଲାଛୁଆ । ଆମ ଭାଇଭଉଣୀ । ସେମାନଙ୍କ ଯତ୍ନ ନେବା ଆମର ଦାୟିତ୍ବ। ବାହାରୁ ଲୋକ ଆସିଲେ ପଜିଟିଭ ସଂଖ୍ୟା ବଢିବ। କିନ୍ତୁ ପରିସ୍ଥିତି ନିୟନ୍ତ୍ରଣରେ ରହିପାରିବ, ଯଦି ଆପଣମାନେ ସରକାରକୁ ପୁରା ସହଯୋଗ ଯୋଗାଇ ଦେବେ।
ତେଣୁ ଆମେ ସାବଧାନ ରହିବା । ଧୈର୍ଯ୍ୟ ରଖିବା । ବାହାରୁ ଫେରୁଥିବା ଲୋକଙ୍କ ରେଜିଷ୍ଟ୍ରେସନ କରିବା । ସେମାନଙ୍କୁ କ୍ବାରେଣ୍ଟାଇନରେ ରଖିବାରେ ସରକାରଙ୍କୁ ପୂରା ସହଯୋଗ କରିବା । ଏହାଦ୍ବାରା ସେମାନେ ସୁସ୍ଥ ରହିବେ । ଆମ ପରିବାର ସୁସ୍ଥ ରହିବ। ଆମ ଗାଁ ଓ ଆମ ସମାଜ ମଧ୍ୟ ସୁସ୍ଥ ରହିବ। ଆପଣମାନଙ୍କର ଟିକିଏ ହେଳା ସମସ୍ତଙ୍କୁ ବିପଦରେ ପକାଇ ପାରେ । ଏହା ହେଉଛି ଜୀବନ ଓ ମୃତ୍ୟୁର କଥା । ଏପରିକି ୧୦ ପ୍ରତିଶତ ଲୋକଙ୍କ ଭୁଲ ଦ୍ବାରା, ସମସ୍ୟା ୧୦୦ ଗୁଣ ବଢିଯିବ।
ଓଡିଶାର ପରିସ୍ଥିତି ଅନ୍ୟ ରାଜ୍ୟମାନଙ୍କ ଠାରୁ ବହୁତ ଭଲ ଅଛି । ଆମେ ଯଦି ସରକାରଙ୍କ ନିୟମ ମାନି ଚଳିବା, ସରକାରଙ୍କୁ ପୁରା ସହଯୋଗ ଯୋଗାଇ ଦେବା, ତେବେ ଓଡିଶା କରୋନା ନିୟନ୍ତ୍ରଣ କରିବାରେ ସାରା ଦେଶରେ ଇତିହାସ ସୃଷ୍ଟି କରିପାରିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/Naveen.jpg)