ଭୁବନେଶ୍ୱର : ଓଡିଶାରେ ଦେଖାଦେଇଥିବା ସାମୁଦ୍ରିକ ଝଡ଼ବାତ୍ୟା ତିତଲି ପ୍ରଭାବରେ ପ୍ରବଳ ବର୍ଷା ଓ ବନ୍ୟା କାରଣରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବାତ୍ୟା ପରେ ପରେ ଆସିଥିବା ବନ୍ୟା ଯୋଗୁଁ ଲୋକଙ୍କ ଘରେ ବନ୍ୟା ପାଣି ପଶିଯାଇଥିବାରୁ ସବୁ ଆସବାବପତ୍ର ନଷ୍ଟ ହୋଇଯାଇଛି। ବର୍ତ୍ତମାନ କ୍ଷତିଗ୍ରସ୍ତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ସହ ପୀଡ଼ିତ ଲୋକମାନଙ୍କୁ ସରକାରଙ୍କ ପକ୍ଷରୁ ରିଲିଫ ଯୋଗାଇ ଦିଆଯାଉଛି। ତେବେ ଏହି ସମୟରେ ସେମାନଙ୍କୁ ସହଯୋଗର ହାତ ବଢାଇଛନ୍ତି ତିନୋଟି ତୈଳ ବିତରଣ କମ୍ପାନି। ବନ୍ୟା ସମୟରେ ଯେଉଁ ଏଲପିଜି ଉଜ୍ଜଳା ହିତାଧିକାରୀମାନଙ୍କ ଗ୍ୟାସ ହଜିଯାଇଛି ସେମାନଙ୍କୁ ମାତ୍ର ୨୦୦ଟଙ୍କା ମୂଲ୍ୟରେ ନୂତନ ଗ୍ୟାସ ସିଲିଣ୍ଡର ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି ତୈଳ ବିତରଣୀ କମ୍ପାନୀମାନେ।
ସେହିଭଳି ଅନ୍ୟାନ୍ୟ ଘରୋଇ ଉପଭୋକ୍ତା ମାନଙ୍କୁ ୧୨୦୦ଟଙ୍କାରେ ନୂତନ ସିଲିଣ୍ଡର ଯୋଗାଇ ଦିଆଯିବ। ଏଥିସହ ଗ୍ୟାସ ସମ୍ବନ୍ଧିତ କାଗଜପତ୍ର ହଜିଯାଇଥିଲେ କିମ୍ବା ନଷ୍ଟ ହୋଇଯାଇଥିଲେ ପୁଣି ଥରେ ନୂଆ କାଗଜ ତିଆରି କରି ଯୋଗାଇଦେବା ପାଇଁ ତୈଳ ବିତରଣ କମ୍ପାନି ମାନେ ସହଯୋଗ କରିବେ ବୋଲି ଆଇଓସିଏଲ ଚିଫ ଜେନେରାଲ ମ୍ୟାନେଜର ପ୍ରିତିସ ଭାରତ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି ଏହି ସୁବିଧା ଯୋଗାଇ ଦେବା ପାଇଁ ବିଭିନ୍ନ ସ୍ଥାନରେ କ୍ୟାମ୍ପମାନ ଆୟୋଜନ କରାଯିବ ଓ ଏହାର ସୂଚନା ଗ୍ୟାସ ବିତରକ ଓ ଅନ୍ୟାନ୍ୟ ମାଧ୍ୟମରେ ଉପଭୋକ୍ତାମାନଙ୍କ ପାଖରେ ପହଞ୍ଚାଇଦିଆଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/lpg.jpg)