ନୀଳଗିରି: ବାଟବଣା ହୋଇଛି ମଧୁବାବୁ ପେନସନ ଯୋଜନା। ଯୋଗ୍ୟ ହିତାଧିକାରୀଙ୍କୁ ମିଳୁନି ଭତ୍ତା। ଗୁରୁଣ୍ଡି ଗୁରୁଣ୍ଡି ଭତ୍ତା ପାଇଁ ବିଡିଓଙ୍କ କାର୍ଯ୍ୟାଳୟରେ ପହଞ୍ଚିଲେ ଦିବ୍ୟାଙ୍ଗ। ବାରମ୍ବାର ଆବେଦନ ପରେବି ମିଳୁନି ଭତ୍ତା। ଏଭଳି ଏକ ଅଭାବନୀୟ ଘଟଣା ବାଲେଶ୍ବର ଜିଲ୍ଲା ନୀଳଗିରି ବ୍ଲକ କାର୍ଯ୍ୟାଳୟରେ ଦେଖିବାକୁ ମିଳିଛି।

Advertisment

ସୂଚନା ମୁତାବକ ନୀଳଗିରି ବ୍ଲକ କେପିଲାଖରାଜ ପଞ୍ଚାୟତ ଚଣ୍ଡୀପୁର ଗ୍ରାମର ରୁହିଆ ସିଂଙ୍କ ପୁଅ ବିଜୟ ସିଂ(୫୧) କିଛିବର୍ଷ ପୂର୍ବେ ମିତ୍ରପୁର ଛକ ନିକଟରେ ଏକ ବାଇକ ଦୁର୍ଘଟଣାରେ ତାଙ୍କର ଦୁଇଗୋଡ ଅକାମୀ ହୋଇ ଯାଇଥିଲେ। କାର୍ଯ୍ୟ ଅକ୍ଷମ ହେବା ପରେ ଘରେ ଥିବା ବୁଢୀ ମା’ର ଭାର ମୁଣ୍ଡରେ ଲଦି ପରେ ଘରେ ଭିକ୍ଷା କରି ଚଳନ୍ତି ବିଜୟ। ଭିକ୍ଷା କରି ଦୁଇ ପ୍ରାଣୀ କୁଟୁମ୍ବ ଚଳିବା କଷ୍ଟ ସାଧ୍ୟ ହୋଇପଡିଛି। ମଧୁବାବୁ ପେନସନ ଯୋଜନାରେ ଅନ୍ତର୍ଭୁକ୍ତ ହୋଇ କିଛି ପଇସା ମିଳିଲେ ଚଳିବାରେ ସୁବିଧା ହେବ ବୋଲି ବାରମ୍ବାର ବିଡିଓଙ୍କ କାର୍ଯ୍ୟାଳୟକୁ ଦୌଡି ଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ଦିବ୍ୟାଙ୍ଗ ବିଜୟଙ୍କୁ। ତିନିଥର ମେଡିକାଲ ସାର୍ଟିଫିକେଟ ନାହିଁ ବୋଲି କହି ବ୍ଲକ କତ୍ତୃପକ୍ଷ ଘରକୁ ଫେରେଇଦିଅନ୍ତି ବୋଲି କହିଛନ୍ତି ବିଜୟ।

publive-image

ଗତ ଜୁଲାଇ ୩୧ ତାରିଖରେ ଭୀମଭୋଇ ଦିବ୍ୟାଙ୍ଗ ଚିହ୍ନଟ ଶିବିରରେ ୨୧୦୮/୧୫୧୦୪୪୪ ଏନରୋଲ ମେଣ୍ଟ ନମ୍ବରରେ ମଧ୍ୟ ପଞ୍ଜୀକୃତ କରିଛନ୍ତି ବିଜୟ ହେଲେ ନା ସାର୍ଟିଫିକେଟ ମିଳୁଛି ନା କିଛି ସହାୟତା। ଚାଲିବାକୁ ସକ୍ଷମ ନଥିବା ବିଜୟ ଭତ୍ତା ଆସରେ କଷ୍ଟ କରି ଗୁରୁଣ୍ଡି ଗୁରୁଣ୍ଡି ବ୍ଲକ କାର୍ଯ୍ୟାଳୟକୁ ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ନା ସରପଞ୍ଚ ନା ରାଜନେତା ନା କୌଣସି ସ୍ଥାନୀୟ ପ୍ରତିନିଧି ବିଜୟଙ୍କ ଏପରି ଦୁରାବସ୍ଥାରେ ଦୃଷ୍ଟିନିକ୍ଷେପ କରିଛନ୍ତି। ଯାହା ପାଇଁ ବାଧ୍ୟ ହୋଇ ଆଜି ସେ ଟ୍ରଲି ରିକ୍ସାରେ ବ୍ଲକ ଅଫିସ ଆସି ଗୁରୁଣ୍ଡି ଗୁରୁଣ୍ଡି ବିଡ଼ିଓ ରାହୁଲ ମଣ୍ଡଳଙ୍କୁ ଭେଟିଛନ୍ତି।ତେବେ ତାଙ୍କର ଡାକ୍ତର ସାର୍ଟିଫିକେଟ ନଥିବାରୁ ଭତା ହୋଇପାରୁନାହିଁ। ତେଣୁ ତାଙ୍କୁ ସାର୍ଟିଫିକେଟ ବାହାର କରିବାକୁ କହିବା ସହ ଏକ ଟ୍ରାୟ ସାଇକେଲ ଦେବାର ବନ୍ଦୋଦବସ୍ତ କରିବେ ବୋଲି ବିଡ଼ିଓ ଶ୍ରୀ ମଣ୍ଡଳ ପ୍ରତିଶ୍ରୁତି ଦେଇଛନ୍ତି ଓ ଆଗକୁ ଭତାଟଙ୍କା ଶୀଘ୍ର ମିଳିବାକୁ ଉଦ୍ୟମ କରିବେ ବୋଲି କହିଛନ୍ତି। ହେଲେ ଏହି ପ୍ରତିଶ୍ରୁତି ପକେବଳ ବାକ୍ୟରେ ରହିଯିବନି ତ ବୋଲି ପ୍ରଶ୍ନ କରିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ। ନୀଳଗିରି ବ୍ଲକରେ ଶତାଧିକ ବୃଦ୍ଧ, ବୃଦ୍ଧା, ବିଧବା ଓ ଦିବ୍ୟାଙ୍ଗ ଏଯାବତ ଭତ୍ତାରୁ ବଞ୍ଚିତ ରହିଛନ୍ତି ସେମାନଙ୍କ ନିମନ୍ତେ ଏକ ସର୍ଭେ କରାଯାଇ ତୁରନ୍ତ ଭତ୍ତା କରାଇବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।