ଭାପୁର: ବାପାର ଦ୍ୱିତୀୟ ବିବାହ ପ୍ରସ୍ତାବକୁ ବିରୋଧ କରୁଥିବା ଦୁଇ ନାବାଳକ ପୁଅଙ୍କର ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ଦୁଇ ପୁଅଙ୍କୁ ହତ୍ୟା କରି ବାପା ଟାଙ୍ଗି ଦେଇଥିବା ନାବାଳକଙ୍କ ମାମୁ ଫତେଗଡ଼ ଥାନାରେ ଅଭିଯୋଗ କରିଥିବା ବେଳେ ନାବାଳକଦ୍ବୟ ଆତ୍ମହତ୍ୟା କରିଥିବା ଜେଜେମା ପ୍ରକାଶ କରିଛନ୍ତି। ବଡ଼ନାତି ସାନନାତିର ହାତଗୋଡ଼ ବାନ୍ଧି ଝୁଲାଇ ଦେବା ପରେ ବଡ଼ନାତି ନିଜ ବେକରେ ଲୁଗାବାନ୍ଧି ଝୁଲିପଡ଼ିଥିବା ନିଜ ବୟାନରେ କହିଛନ୍ତି ଜେଜେମା। ତେବେ ଦୁଇଜଣ ବାଳୁତ ପିଲା ଆତ୍ମହତ୍ୟା କରିବେ, ତାହା ଗାଁ ଲୋକେ କ’ଣ; ଆଖପାଖ ଅଞ୍ଚଳରେ ବି କେହି ବିଶ୍ବାସ କରିପାରୁନାହାନ୍ତି। ଘଟଣାର ପୃଷ୍ଠଭୂମି ଉପରେ ଜେଜେମା’ର ସ୍ବୀକାରୋକ୍ତି ଓ ଏହାର ସତ୍ୟତା ନେଇ ମଧ୍ୟ ସମସ୍ତେ ସନ୍ଦେହ ପ୍ରକାଶ କରିଛନ୍ତି। ଅଭିଯୁକ୍ତ ବାପାକୁ ପୁଲିସ ଅଟକ ରଖି ପଚରାଉଚରା କରିବା ସହ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତନାଘନା ଚଳାଇଛି।
ଆଜି ଭୋର୍ ସମୟରେ ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଅନ୍ତର୍ଗତ ଧାନଚାଙ୍ଗଡା ଗ୍ରାମର ଅଚ୍ୟୁତ ମହାନ୍ତିଙ୍କ ଘରେ ତାଙ୍କର ଦୁଇପୁଅ ଆକାଶ ମହାନ୍ତି (୧୪) ଓ ବିକାଶ ମହାନ୍ତି (୧୧)ଙ୍କର ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ଦୁଇ ନାବାଳକ ପିଲାଙ୍କ ଆକସ୍ମିକ ମୃତ୍ୟୁ ଘଟଣାରେ ଗାଁ ଲୋକେ ଚକିତ ହୋଇ ପଡ଼ିଥିବାବେଳେ ଅଚ୍ୟୁତଙ୍କ ଘରେ ସମସ୍ତେ ଜମା ହୋଇ ଯାଇଥିଲେ। ଖବର ପାଇ ନୟାଗଡ଼ ଏସ୍ପି ଏସ୍ ସୁଶ୍ରୀ, ଖଣ୍ଡପଡ଼ା ଏସ୍ଡିପିଓ ମଦନମୋହନ ପ୍ରଧାନ, ଫତେଗଡ଼ ଥାନା ଅଧିକାରୀ ପଞ୍ଚାନନ ପରିଡ଼ା ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ସହ ପହଞ୍ଚି ତଦନ୍ତ କରିଥିଲେ।
ଘରୁ ମିଳିଲା ଝୁଲନ୍ତା ମୃତଦେହ
ବାପାକୁ ଅଟକ, ପଚରାଉଚରା
ରାତିରେ ସମସ୍ତେ ଖାଇପିଇ ଶୋଇବା ପରେ ଦୁଇନାତି ଲୁଗାରେ ଫାଶୀ ଲଗାଇ ଝୁଲି ପଡ଼ିଥିବା ଜେଜେମା ସୌରୀ ମହାନ୍ତି ପୁଲିସକୁ କହିଛନ୍ତି। ଅପରପକ୍ଷେ ମୃତ ନାବାଳକଦ୍ବୟଙ୍କ ମାମୁ ଲକ୍ଷ୍ମଣ ନାୟକ ଫତେଗଡ଼ ଥାନାରେ ଅଭିଯୋଗ କରିଛନ୍ତି ଯେ ତାଙ୍କ ଭିଣୋଇ ପ୍ରକାଶ ମହାନ୍ତି ହିଁ ଆକାଶ ଓ ବିକାଶଙ୍କୁ ମାରି ଝୁଲାଇ ଦେଇଛନ୍ତି। ୩ ବର୍ଷ ତଳେ ଭଉଣୀ କୁମା ମହାନ୍ତିର ମୃତ୍ୟୁ ପରେ ପ୍ରକାଶ ଦୁଇ ଭଣଜାଙ୍କୁ ବିଭିନ୍ନ ସମୟରେ ନିର୍ଯାତନା ଦେଉଥିଲେ। ଏପରିକି ଗତକାଲି ପ୍ରକାଶଙ୍କର ବିବାହ ନିମନ୍ତେ ପ୍ରସ୍ତାବ ଆସିବାରୁ ଦୁଇ ନାବାଳକ ପୁଅ ବିରୋଧ କରିବା ସହିତ ମାମୁଘରକୁ ଖବର ଦେଇଥିଲେ। ତେବେ ବୁଝାସୁଝା ପରେ ନାବାଳକଦ୍ୱୟ ଚୁପ ରହିଥିବା ବେଳେ ରାତି ପାହିଲେ ସେମାନଙ୍କୁ ଆସି ନେଇଯିବେ ବୋଲି ଲକ୍ଷ୍ମଣ ସେମାନଙ୍କୁ କହିଥିଲେ। ମାତ୍ର ବିଳମ୍ବିତ ରାତିରେ ପ୍ରକାଶ ସେମାନଙ୍କୁ ମାରି ଟାଙ୍ଗି ଦେଇଥିବା ଲକ୍ଷ୍ମଣ ଅଭିଯୋଗ କରିଛନ୍ତି।
ଏ ସମ୍ପର୍କରେ ଫତେଗଡ଼ ଥାନା ଆଇଆଇସି ଶ୍ରୀ ପରିଡ଼ା କହିଛନ୍ତି, ଅଭିଯୋଗ ଆଧାରରେ ଫତେଗଡ଼ ଥାନାରେ (୬୧/୨୦୨୫), ବିଏନ୍ଏସ୍ ୧୦୩ରେ ହତ୍ୟା ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତ ବାପାକୁ ପୁଲିସ ପଚରାଉଚରା କରୁଛି। ଶବ ଜବତ କରାଯାଇ ଖଣ୍ଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହତ୍ୟାର କାରଣ ସ୍ପଷ୍ଟ ହେବ ଏବଂ ସେହି ଅନୁସାରେ ପୁଲିସ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଶ୍ରୀ ପରିଡ଼ା କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/03/10/XEFcjH1BgZJZv7hRHMbp.jpg)