କଟକ: ଏସ୍ସିବିରେ ସଫଳତାର ସହ ପୁଣି ଏକ କାଡାଭରିକ୍ କିଡନି ପ୍ରତିରୋପଣ କରାଯାଇଛି। ଭୁବନେଶ୍ବରର ଆପୋଲୋ ହସ୍ପିଟାଲରେ ଜଣେ ମସ୍ତିଷ୍କ ମୃତ ମହିଳାଙ୍କ ପରିବାର ଅଙ୍ଗଦାନ ପାଇଁ ସମ୍ମତି ପ୍ରଦାନ କରିବା ଫଳରେ ତାଙ୍କର କିଡ୍ନି କଢ଼ାଯାଇ ଦୁଇ ରୋଗୀଙ୍କଠାରେ ପ୍ରତିରୋପଣ କରାଯାଇଛି। ଏହି ପ୍ରକ୍ରିୟାରେ ଝାରସୁଗୁଡ଼ାର ରଶ୍ମିପ୍ରଭା ପଟେଲ(୪୧)ଙ୍କ ପାଇଁ ଏସ୍ସିବିରେ କେନ୍ଦୁଝର ଜିଲ୍ଲାର ଭରତ ଚନ୍ଦ୍ର ରାଉତ(୩୪) ଓ ଆପୋଲୋ ହସ୍ପିଟାଲରେ ଜଣେ କିଡ୍ନି ରୋଗୀ ନୂଆ ଜୀବନ ପାଇଛନ୍ତି। ଆଜିର ପ୍ରତିରୋପଣକୁ ମିଶାଇଲେ ଏସ୍ସିବିରେ ୧୫ଟି କାଡାଭରିକ୍ କିଡ୍ନି ପ୍ରତିରୋପଣ କରାଯାଇଛି।
ଆପୋଲୋରେ ଚିକିତ୍ସିତ ହେଉଥିବା ରଶ୍ମିପ୍ରଭା ପଟେଲଙ୍କ ମସ୍ତିଷ୍କ ମୃତ୍ୟୁ ହେବାପରେ ଡାକ୍ତରୀ ଟିମ୍ ତାଙ୍କ ପରିବାରବର୍ଗଙ୍କୁ ଏ ସଂପର୍କରେ ଅବଗତ କରିଥିଲେ। ପରିବାରବର୍ଗ ଅଙ୍ଗଦାନ ପାଇଁ ସହମତି ପ୍ରଦାନ କରିଥିଲେ। ଆପୋଲୋରେ ଅସ୍ତ୍ରୋପଚାର କରାଯାଇ ରଶ୍ମିପ୍ରଭାଙ୍କ ଶରୀରରୁ ଦୁଇଟି କିଡ୍ନି କଢ଼ାଯାଇଥିଲା। ସେଥିରୁ ଏସ୍ସିବିକୁ ସ୍ବତନ୍ତ୍ର ଗ୍ରିନ୍ କରିଡରରେ ଗୋଟିଏ କିଡ୍ନି ଅଣାଯାଇଥିଲା। ଏସ୍ସିବି ନେଫ୍ରୋଲୋଜି ୱାର୍ଡରେ ଚିକିତ୍ସିତ ହେଉଥିବା ଓ ଡାଏଲିସିସ୍ ଚାଲିଥିବା କେନ୍ଦୁଝର ଜିଲ୍ଲାର ଭରତ ଚନ୍ଦ୍ର ରାଉତ୍ଙ୍କ ସହ କ୍ରସ୍ ମ୍ୟାଚିଂ ହେବା ଫଳରେ ତାଙ୍କ ଶରୀରରେ କିଡ୍ନି ପ୍ରତିରୋପଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏସ୍ସିବି ୟୁରୋଲୋଜି ବିଭାଗ ଓଟିରେ ୟୁରୋଲୋଜି ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ସମୀର ରଞ୍ଜନ ସ୍ବାଇଁ ଓ ନେଫ୍ରୋଲୋଜି ବିଭାଗ ମୁଖ୍ୟ ଡାକ୍ତର ଅରୁଣା ଆଚାର୍ଯ୍ୟ, ଡାକ୍ତର ସବ୍ୟସାଚୀ ପଣ୍ଡା, ଡାକ୍ତର ସଞ୍ଜୟ ଚୌଧୁରୀ, ଡାକ୍ତର ଅମୀୟ ପାଲ, ଡାକ୍ତର ଉଦୟ ବେହେରା, ଡାକ୍ତର ପ୍ରତୀଶ୍, ଡାକ୍ତର ରାକେଶଙ୍କ ସମେତ ଏସ୍ସିବିର ଉଭୟ ବିଭାଗର ଡାକ୍ତରୀ ଟିମ୍ ଓ ଅନ୍ୟ ବିଭାଗର ଡାକ୍ତର ଓ କର୍ମଚାରୀ ଏହି ପ୍ରତିରୋପଣ ପ୍ରକ୍ରିୟାରେ ସାମିଲ ହୋଇଥିଲେ।