ସମ୍ବଲପୁର: ସମ୍ବଲପୁର ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ସଂଜୀବ ମିତ୍ତଲଙ୍କୁ ଆଗକୁ ଆହୁରି ଜଟିଳ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବା ଏକ ପ୍ରକାର ନିଶ୍ଚିତ ହୋଇଛି। ଆର୍ଥିକ ଅନିୟମିତତା ପ୍ରସଂଗରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବାକୁ କୁଳାଧିପତିଙ୍କ ଦପ୍ତରରୁ ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି।
ସମ୍ବଲପୁର ବିଶ୍ବବିଦ୍ୟାଳୟର କୁଳପତି ଥିବା ସମୟରେ ସ୍ବଚ୍ଛ ବିଦ୍ୟାଳୟ ପ୍ରକଳ୍ପ ଅଭିଯାନ ପାଣ୍ଠିର ପ୍ରାୟ ୨୯ ଲକ୍ଷ ଟଙ୍କା ପ୍ରଫେସର ମିତ୍ତଲ ନିଜ ପତ୍ନୀ ଓ ପୁତ୍ରଙ୍କ ବ୍ୟାଙ୍କ୍ ଖାତାକୁ ଦୁଇଟି ପର୍ଯ୍ୟାୟରେ ସ୍ଥାନାନ୍ତର କରିଥିଲେ। ଏହି ଘଟଣା ଜଣାପଡ଼ିବା ପରେ ରାଜ୍ୟପାଳଙ୍କ ଦପ୍ତରର ନିର୍ଦେଶକ୍ରମେ ଉଚ୍ଚଶିକ୍ଷା ବିଭାଗ ଅତିରିକ୍ତ ସଚିବ ବୀରେନ୍ଦ୍ର କୋର୍କୋରାଙ୍କ ନେତୃତ୍ବରେ ଏକ ଟିମ୍ ଏହି ଘଟଣାର ତଦନ୍ତ କରିଥିଲେ। ତଦନ୍ତ ପରେ ସମ୍ଭବତଃ ଚାପରେ ପ୍ରଫେସର ମିତ୍ତଲ ଉକ୍ତ ଟଙ୍କା ଫେରସ୍ତ କରିବା ସହିତ ଅଚାନକ ପ୍ରଥମେ ୩ଟି ଦଫାରେ ଛୁଟିରେ ଗଲେ। ପରବର୍ତ୍ତୀ ସମୟରେ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ କୁଳପତି ପଦରୁ ଇସ୍ତଫା ଦେଇଥିଲେ। ତେବେ, ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି ହୋଇଥିଲା। ପୂର୍ବତନ ସିଣ୍ଡିକେଟ ସଦସ୍ୟ, ଆଇନଜୀବୀମାନେ ଲିଖିତ ଭାବେ କୁଳାଧିପତିଙ୍କ ଦପ୍ତର ସହିତ ରାଜ୍ୟ ସରକାରଙ୍କୁ ଚିଠି ଲେଖିଥିଲେ। ପ୍ରଫେସର ମିତ୍ତଲଙ୍କ କାର୍ଯ୍ୟକାଳ ସମୟରେ ବହୁ ବେନିୟମ କାମ ହୋଇଥିବା ନେଇ ଅଭିଯୋଗ କରାଯିବା ସହିତ ସମସ୍ତ ପ୍ରକାର କ୍ରୟ ଓ ଅନ୍ୟାନ୍ୟ କାମର ଅଡିଟ୍ କରାଇବାକୁ ବି ଦାବି କରିଥିଲେ।
ଏହା ପରେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ସଚିବ ବୀରେନ୍ଦ୍ର କୋର୍କୋରା ଗତ ୧୭ ସେପ୍ଟେମ୍ବରରେ ବିଶ୍ବବିଦ୍ୟାଳୟର କୁଳସଚିବଙ୍କୁ ଚିଠି(୩୯୫୧୫/୧୭.୯.୨୦୨୨)ଲେଖି ପ୍ରଫେସର ମିତ୍ତଲଙ୍କ ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ନିଆଯାଇଛି କି ନାହିଁ ତାହା ଜାଣିବାକୁ ଚାହି ଥିଲେ। ଯଦି, କିଛି କାର୍ଯ୍ୟାନୁଷ୍ଠାନ ନିଆଯାଇଛି, ସେ ସଂପର୍କରେ ତୁରନ୍ତ ଅବଗତ କରିବାକୁ ପରାମର୍ଶ ଦେଇଥିଲେ। କୁଳସଚିବ ମଧ୍ୟ ତୁରନ୍ତ ଚିଠିର ଜବାବ ପଠାଇଥିଲେ। ତଥାପି, ଉଚ୍ଚଶିକ୍ଷା ବିଭାଗ ନିରବଦ୍ରଷ୍ଟା ସାଜିଥିଲା। ବିଳମ୍ବରେ ହେଲେ ବି କୁଳାଧିପତିଙ୍କ ଦପ୍ତରରୁ ଏହି ଆର୍ଥିକ ଅନିୟମିତତା ସଂକ୍ରାନ୍ତରେ ଉଲ୍ଲେଖ କରାଯାଇ ନିଜସ୍ବ ସ୍ତରରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବାକୁ କୁଳସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କୁଳସଚିବ ଏହି ମାମଲାରେ କ’ଣ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି,ଏବେ ତାହା ଉପରେ ସମସ୍ତଙ୍କ ନଜର ରହିଛି। ଏପଟେ ସମାବର୍ତ୍ତନ ଉତ୍ସବରେ ମେଧାବୀ ଛାତ୍ରଛାତ୍ରୀଙ୍କୁ ପ୍ରଦତ୍ତ ସ୍ବର୍ଣ୍ଣପଦକରେ ସୁନାର ମାନ ଓ ସ୍ବଚ୍ଛତା କମ୍ ଥିବା ପ୍ରମାଣିତ ହୋଇଥିବା ବେଳେ ବି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ।