ପୁରୀ: ବନ୍ୟଜନ୍ତୁଙ୍କ ସ୍ଥିତି ସମ୍ପର୍କରେ ହେବ ସର୍ବେକ୍ଷଣ। ବିଶେଷକରି ପୁରୀ ବନଖଣ୍ଡରେ ମାଛରଙ୍କା ବିରାଡ଼ି ଓ ଅନ୍ୟ ମାଂସାହାରୀ ଜନ୍ତୁଙ୍କ ସମ୍ପର୍କରେ ସର୍ଭେ କରାଯିବ। କେଉଁ ପ୍ରଜାତିର କେତେ ବନ୍ୟଜନ୍ତୁ ଅଛନ୍ତି, ଏହାର ଡକୁମେଣ୍ଟେସନ୍ କରାଯିବ। ବନ୍ୟଜନ୍ତୁଙ୍କୁ ସୁରକ୍ଷା ଦେବା ପାଇଁ ଆବଶ୍ୟକ ପନ୍ଥା ଗ୍ରହଣ କରାଯିବ। ଏନେଇ ପୁରୀ ବନଖଣ୍ଡ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ବିଳମ୍ବ ହେଲେ ମଧ୍ୟ, ପ୍ରଥମଥର ପାଇଁ ସରକାରୀସ୍ତରରେ ପୁରୀ ବନଖଣ୍ଡରେ ଏଭଳି ଏକ ନିଆରା ପଦକ୍ଷେପ ନିଆଯାଇଛି।
ଜଙ୍ଗଲ ଜମି ଜବରଦଖଲ, ବନ୍ୟଜନ୍ତୁ ଶିକାର, କାଳକ୍ରମେ ଖାଦ୍ୟ ସାରଣୀ ଉଭେଇ ଯାଉଥିବାରୁ ବଣରେ ବନ୍ୟଜନ୍ତୁଙ୍କ ସ୍ଥିତି ସଙ୍କଟରେ ରହିଛି। ପୂର୍ବରୁ କୃଷ୍ଣସାର ମୃଗଙ୍କ ସଂଖ୍ୟା ଏକଦମ ବିଲୁପ୍ତ ହୋଇସାରିଥିବା ବେଳେ ପୁଣି ୨୮ଟି କୃଷ୍ଣସାର ମୃଗ ଆଣି ବଂଶ ବୃଦ୍ଧି ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା। ମାତ୍ର ସେଥିମଧ୍ୟରୁ ୯ଟି ମୃତ୍ୟୁବରଣ କରିସାରିଲେଣି। ହରିଣଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଉଛି। ସେହିଭଳି ମାଛରଙ୍କା ବିରାଡ଼ିଠାରୁ ନେଇ କିଛି ମାଂସାହାରୀ ଜନ୍ତୁଙ୍କର ମଧ୍ୟ ମୃତ୍ୟୁ ହେଉଛି। ଜଙ୍ଗଲରେ ସନ୍ତୁଳନ ରକ୍ଷା କ୍ଷେତ୍ରରେ ବନ୍ୟଜନ୍ତୁମାନଙ୍କର ମହତ୍ତ୍ବପୂର୍ଣ୍ଣ ଭୂମିକା ରହିଥିଲେ ହେଁ ସେମାନେ କେଉଁ ସ୍ଥାନରେ ରହିବାକୁ ଅଗ୍ରାଧିକାର ଦେଉଛନ୍ତି? ସେମାନଙ୍କ ସଂଖ୍ୟା କେତେ? ସେମାନଙ୍କ ବଂଶ ହ୍ରାସ ପାଇବା ପଛରେକାରଣ କ’ଣ, ସେମାନଙ୍କ ଖାଦ୍ୟପେୟର ସୁବିଧା ଉପଲବ୍ଧ ଅଛି କି ନାହିଁ? ଏ ସମସ୍ତ ଦିଗକୁ ଦୃଷ୍ଟିରେ ରଖି ଡକୁମେଣ୍ଟେସନ୍ କରାଯିବା ପାଇଁ ନିଷ୍ପତ୍ତି ହୋଇଛି।
ଏନେଇ ପୁରୀ ବନ୍ୟପ୍ରାଣୀ ବନଖଣ୍ଡର ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ବାବଧାରକ ଆକାଶ ରଂଜନ ରଥ କହିଛନ୍ତି, ପୂର୍ବରୁ ଘରୋଇ ସ୍ତରରେ ଓଧ, ପକ୍ଷୀମାନଙ୍କ ଉପରେ ସର୍ଭେ ହୋଇଛି। ତେବେ ସରକାରୀ ସ୍ତରରେ ଏହି ପଦକ୍ଷେପ ନିଆଯିବା ସ୍ବାଗତଯୋଗ୍ୟ। ବିଶେଷକରି ଫିସିଂ କ୍ୟାଟ୍ ଓ ମାଂସାହାରୀ ବନ୍ୟଜନ୍ତୁଙ୍କ ଡକୁମେଣ୍ଟେସନ୍କୁ ଗୁରୁତ୍ବ ଦିଆଯାଇଥିବାରୁ ବନ୍ୟଜୀବଙ୍କ ସୁରକ୍ଷା ଦିଗରେ ଏହା ବିଶେଷ ସହାୟକ ହେବ ବୋଲି ଆଶା। ଯଦି ବନ୍ୟଜନ୍ତୁ ସୁରକ୍ଷିତ ରୁହନ୍ତି, ତେବେ ଜଙ୍ଗଲ ଆପେଆପେ ସୁରକ୍ଷିତ ରହିବେ। ଫିସିଂ କ୍ୟାଟ ଆଇସିୟୁଏନ୍ ତାଲିକାରେ ସଙ୍କାଟାଭିମୁଖୀ ପର୍ଯ୍ୟାୟରେ ରହିଛି। ଆର୍ଦ୍ରଭୂମି ଓ ପ୍ରାକୃତିକ ଜଳାଶୟ ହ୍ରାସ ପାଉଥିବାରୁ ସେମାନଙ୍କ ସଂଖ୍ୟା ମଧ୍ୟ ଧୀରେଧୀରେ ହ୍ରାସ ପାଉଛି। ଡକୁମେଣ୍ଟେସନ୍ ହେଲେ, ସେମାନଙ୍କ ସ୍ଥିତି ସମ୍ବନ୍ଧରେ ପ୍ରଶାସନ ଅବଗତ ହୋଇପାରିବ। ସେଇ ଅନୁଯାୟୀ ବନ୍ୟଜନ୍ତୁଙ୍କ ସୁରକ୍ଷା ଦିଗରେ ଖସଡ଼ା ପ୍ରସ୍ତୁତ ହୋଇପାରିବ। ବହୁ ବନ୍ୟଜନ୍ତୁ ପ୍ରତିଦିନ ସଡ଼କ ଦୁର୍ଘଟଣାରେ ଶିକାର ହେଉଛନ୍ତି। ରାସ୍ତା ଅତିକ୍ରମ କରିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ଜଙ୍ଗଲ ନିକଟବର୍ତୀ ଗ୍ରାମବାସୀଙ୍କୁ ଏ ବାବଦରେ ସଚେତନ କରିବା ନିତାନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ସେ କହିଛନ୍ତି।
ପୁରୀ ବନଖଣ୍ଡ ଅଧିକାରୀ ବିବେକ କୁମାର କହିଛନ୍ତି, ଜଙ୍ଗଲର ସୁରକ୍ଷା ସହ ଜଙ୍ଗଲରେ ରହୁଥିବା ବନ୍ୟଜନ୍ତୁଙ୍କ ସୁରକ୍ଷା ଆମ ଦାୟିତ୍ବ। ତେବେ ସେମାନେ କେଉଁ ସ୍ଥିତିରେ ଅଛନ୍ତି, କେଉଁ ପ୍ରଜାତିର ବନ୍ୟଜନ୍ତୁ କେତେ ସଂଖ୍ୟାରେ କେଉଁଠି ଅଛନ୍ତି ତାହା ଜାଣିବା ପରେ ସେମାନଙ୍କ ସୁରକ୍ଷା ଦିଗରେ ଥିବା ଚ୍ୟାଲେଞ୍ଜଗୁଡ଼ିକ ଜଣାପଡ଼ିବ। ସେଇ ଅନୁଯାୟୀ ସୁରକ୍ଷା ନିମିତ୍ତ ଯୋଜନା ପ୍ରସ୍ତୁତ ହେବ। ଏହା ପୂର୍ବରୁ ଫିସିଂ କ୍ୟାଟ୍ ଓ ମାଂସାହାରୀ ଜନ୍ତୁଙ୍କ ସର୍ଭେ ସହ ଡକୁମେଣ୍ଟେସନ୍ କରାଯିବ ବୋଲି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/02/19/KsIfaJze88KSYnvzehlK.jpg)