ଏଫ୍‌ଏମ ମେଡିକାଲ କଲେଜ ଓ ହସ୍ପିଟାଲର ସଫଳତା: ପ୍ରଥମ ଥର ପାଇଁ ହେଲା ଅସ୍ଥି କର୍କଟ ଅସ୍ତ୍ରୋପଚାର

ବାଲେଶ୍ବର : ବାଲେଶ୍ୱର ଫକୀରମୋହନ ମେଡିକାଲ କଲେଜ ଓ ହସ୍‌ପିଟାଲରେ ପ୍ରଥମଥର ପାଇଁ ଅସ୍ଥି କର୍କଟର ସଫଳ ଅସ୍ତ୍ରୋପଚାର କରାଯାଇଛି। ରାଜ୍ୟର କୌଣସି ନୂଆ ମେଡିକାଲ କଲେଜରେ ଏହି ଅସ୍ତ୍ରୋପଚାର ହୋଇନାହିଁ। ସୂଚନା ମୁତାବକ, ବାଲିଆପାଳ ଅଞ୍ଚଳର ସବିତା ଜେନା(୫୫) ବାମ ହାତର ଅସ୍ଥି ଫୁଲିବାରୁ ଡାକ୍ତରଖାନା ଆସି ଦେଖାଇଥିଲେ। ସେ ଅସ୍ଥି କର୍କଟ ରୋଗ‌ରେ ଆକ୍ରାନ୍ତ ଥିବା ପରୀକ୍ଷାରୁ ଜଣାପଡ଼ିଥିଲା। ଡାକ୍ତର ତାଙ୍କୁ ଭୁବନେଶ୍ବର ଏମ୍‌ସକୁ ସ୍ଥାନାନ୍ତର ନେଇ ବିଚାର କରିଥିଲେ। ତେବେ ସବିତାଙ୍କ ଆର୍ଥିକ ଅବସ୍ଥା ଭଲ ନଥିବାରୁ ସେ ସେଠାକୁ ଯିବାକୁ ରାଜି ହୋଇନଥିଲେ। ଫଳରେ ମେଡିକାଲ କଲେଜରେ ନୂଆରେ ଯୋଗ ଦେଇଥିବା ଅସ୍ଥିଶଲ୍ୟ ବିଭାଗ ପ୍ରଫେସର ଡା. ଅତନୁ ମହାନ୍ତି ଏହାକୁ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରି ଅସ୍ତ୍ରୋପଚାର ପାଇଁ ନିଷ୍ପତ୍ତି ନେଇଥିଲେ।

ପ୍ରଥମେ ସବିତାଙ୍କ ମଧୁମେହ ରୋଗ ନିୟନ୍ତ୍ରଣକୁ ଆଣି ଏହି ଅସ୍ତ୍ରୋପଚାର ଗତ ୩ ତାରିଖ ଦିନ ସଫଳତାର ସହ କରାଯାଇଥିଲା। ଆସନ୍ତା ଦିନେ ଦୁଇଦିନ ମଧ୍ୟରେ ସବିତା ଘରକୁ ଫେରିବେ ବୋଲି ଡାକ୍ତର ଶ୍ରୀ ମହାନ୍ତି କହିଛନ୍ତି। ଏହି ଅସ୍ତ୍ରୋପଚାରରେ ଡା. ଶ୍ରୀ ମହାନ୍ତି, ଡା. ବିଶ୍ବଜିତ ଦାସ, ଡା. ଲଳିତ କୁମାର ଦାସ, ଡା. ଶିବାନନ୍ଦ ରଥ, ଡା. ଅଭିଷେକ ମିଶ୍ର, ସେବିକା ସୁଶ୍ରୀ, ନିଶ୍ଚେତକ ଡାକ୍ତର ରଂଜିତା ମହାପାତ୍ର ସାମିଲ ହୋଇଥିଲେ। ଆଗାମୀ ଦିନରେ ଆଣ୍ଠୁ ଓ ଖଞ୍ଜା ପ୍ରତିରୋପଣ, ମେରୁଦଣ୍ଡ, ଲିଗାମେଣ୍ଟ ଅସ୍ତ୍ରୋପଚାର କରାଯିବ ବୋଲି ପ୍ରଫେସର ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର