ଇବ ଥର୍ମାଲ : ଫର୍ଷ୍ଟେନଙ୍କ ଡାଳିସାପ କେବଳ ଗଛରେ ବାସକରେ। ଏହି ସାପ ଯଦିଓ ଓଡ଼ିଶାରେ କିଛି ଜିଲ୍ଲାରେ ଠାବ କରାଯାଇଥିଲା, ତେବେ ଝାରସୁଗୁଡ଼ା ଜିଲ୍ଲାରେ ଏହାକୁ କେହି କେବେ ଦେଖିନଥିଲେ। ଓଡ଼ିଶାରେ ମାତ୍ର ୧୦ଟି ଜିଲ୍ଲାରୁ ଏହି ସାପ ଆଗରୁ ରେକର୍ଡ କରାଯାଇଥିବା ବେଳେ ପ୍ରଥମ କରି ଝାରସୁଗୁଡ଼ା ଜିଲ୍ଲାରୁ ଠାବ କରିଛନ୍ତି ଫାୟାରମ୍ୟାନ ତଥା ସ୍ନେକ୍ ହେଲ୍ପ ଲାଇନ ସଦସ୍ୟ ବବୁଲ ରାଉତ। ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବ୍ଲକ୍ ବିଶିପଲ୍ଲୀ ଗ୍ରାମର ସ୍ଵର୍ଗତ ଧିରୁ ଦୀକ୍ଷିତଙ୍କ ଘରୁ ଏକ ୫ ଫୁଟ ଲମ୍ବର ଏକ ନାଲି ପ୍ରଜାତି ଫର୍ଷ୍ଟେନ ଡାଳିସାପ ଉଦ୍ଧାର କରିଛନ୍ତି ବବୁଲ। ସାପଟି ଘର ଭିତରେ ଝୁଲୁଥିବା ଫ୍ୟାନ ବିମ୍ ଉପରେ ଥିବାବେଳେ ଧୀରୁଙ୍କ ପରିବାର ପାଖରୁ ଖବର ପାଇ ବବୁଲ ରାତି ୧୨ଟା ସମୟରେ ସାପଟିକୁ ଉଦ୍ଧାର କରିଥିଲେ।
ଯଦିଓ ସାପଟିକୁ ଏକ ଡାଳିସାପ ବୋଲି ଚିହ୍ନି ପାରିଥିଲେ କିନ୍ତୁ, ଧରିବା ବେଳେ ଏହାକୁ ଫର୍ଷ୍ଟେନ ଡାଳିସାପ ବୋଲି ଚିହ୍ନିବା କଷ୍ଟକର ଥିଲା। ବବୁଲ କହିଛନ୍ତି ‘ଯେହେତୁ ଆଗରୁ ଝାରସୁଗୁଡ଼ା ଜିଲ୍ଲାରେ ଫର୍ଷ୍ଟେନଙ୍କ ଡାଳିସାପ କେହି ଉଦ୍ଧାର କରିନଥିଲେ, ମୁଁ ସାପର କିଛି ଫୋଟୋ ସ୍ନେକ୍ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କୁ ପଠାଇଥିଲି। ସେ ମଧ୍ୟ ଏଇ ସାପଟିକୁ ଫର୍ଷ୍ଟେନଙ୍କ କ୍ୟାଟ୍ ସ୍ନେକ୍ ବୋଲି ଚିହ୍ନଟ କରିବା ପରେ ମୋତେ ଖୁସି ଲାଗିଥିଲା। ସାପଟିକୁ ବବୁଲ ହୀରାକୁଦ ଡ୍ୟାମ ନିକଟରେ ଥିବା ସୁନାରୀ ଜଙ୍ଗଲରେ ଛାଡ଼ି ଦେଇଛନ୍ତି। ସାଧାରଣତଃ ଓଡ଼ିଶାରେ ଫର୍ଷ୍ଟେନଙ୍କ ଡାଳିସାପ ର କଳା ଏବଂ ନାଲି (ଇଟା) ରଙ୍ଗର ଦୁଇଟି ଅଲଗା ଭେରାଇଟି ଦେଖାଯା’ନ୍ତି।
୨୦୦୯ମସିହାରେ ‘ରସିଆନ ଜର୍ଣ୍ଣାଲ ଅଫ ହରପେଟୋଲୋଜି’ରେ ପ୍ରତ୍ୟୁଷ ମହାପାତ୍ର ଏବଂ ଅନ୍ୟମାନେ ଓଡ଼ିଶାର ୧୦ ଜିଲ୍ଲାରୁ ଫର୍ଷ୍ଟେନ ଡାଳିସାପ ରେକର୍ଡ କରିଥିଲେ। ସେଗୁଡିକ ହେଲା ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର, ଖୋର୍ଦ୍ଧା, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି ଏବଂ ନୂଆପଡ଼ା ଜିଲ୍ଲା। ବବୁଲଙ୍କ ଯୋଗୁଁ ଝାରସୁଗୁଡ଼ା ଜିଲ୍ଲା ମଧ୍ୟ ଫର୍ଷ୍ଟେନଙ୍କ ଡାଳିସାପ ଡିଷ୍ଟ୍ରିବ୍ୟୁସନ୍ ତାଲିକାରେ ଯୋଡ଼ି ହୋଇ ପାରିଲା। ସ୍ନେକ୍ ହେଲ୍ପ ଲାଇନ ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି ‘ଫର୍ଷ୍ଟେନଙ୍କ ଡାଳିସାପ ଏକ ସ୍ୱଳ୍ପ ବିଷଧାରୀ ସାପ। ଏମାନଙ୍କ ବିଷ ଚଢ଼େଇ ବା ଏଣ୍ଡୁଅ ଆଦିଙ୍କ ପାଇଁ କ୍ଷତିକାରକ ହୋଇଥାଏ। ତେବେ ମଣିଷଙ୍କ ପାଇଁ ଏହି ସାପବିଷ କିଛି ବିପଜ୍ଜନକ ପ୍ରଭାବ ପକାଇ ନ ଥାଏ। ଏହା ଏକ ରାତ୍ରିଚର ସାପ ଯାହା ପ୍ରାୟ ସାଢେ଼ ୭ ଫୁଟ ଲମ୍ବା ଯାଏଁ ବଢ଼ି ପାରନ୍ତି। ଏଣ୍ଡୁଅ, ପକ୍ଷୀ, କୁକୁଡ଼ା ଚିଆଁ, ପକ୍ଷୀଅଣ୍ଡା, ବାଦୁଡ଼ି ଓ ମୂଷା ଆଦି ଶିକାର କରିଥା’ନ୍ତି। ବବୁଲ ଉଦ୍ଧାର କରିଥିବା ସାପଟି ସମ୍ଭବତଃ ଖାଦ୍ୟକୁ ପିଛା କରି ଘରଭିତରେ ପଶିଥିବା ସମ୍ଭାବନା।