ବହୁ ଦଶନ୍ଧି ପରେ ପ୍ରଥମ, ପାଲୁର କେନାଲରେ ଇରୱାଡ଼ି ଡଲଫିନ୍‌

ବ୍ରହ୍ମପୁର: ବହୁ ଦଶନ୍ଧି ପରେ ଗଞ୍ଜାମ ଜିଲ୍ଲାର ପାଲୁର କେନାଲରେ ବିରଳ ଇରାୱାଡ଼ି ଡଲ୍‌ଫିନ୍‌ ଦେଖାଯାଇଛି। ତାପୁଣି ଗୋଟିଏ ଦୁଇଟି ନୁହେଁ, ଦଳ ଦଳ ଡଲ୍‌ଫିନ୍‌ ଦେଖାଯିବା ପ୍ରକୃତିପ୍ରେମୀଙ୍କ ପାଇଁ ଖୁସି ଖବର। ଚିଲିକା ମୁହାଣ ସଫା କରାଯିବା ପରେ ପରେ କେନାଲର ଉପରମୁଣ୍ଡରୁ ଇରାଓ୍ବାଡ଼ି ଡଲ୍‌ଫିନ୍‌ଙ୍କ ଏକ ବଡ଼ ଦଳ ପାଲୁର କେନାଲକୁ ଚାଲି ଆସିଥିବା ଜଣାପଡ଼ିଛି। ପାଲୁର କେନାଲ ବ୍ରିଟିସ ଅମଳରୁ ନିର୍ମିତ ଓ ଏହା ପାଲୁର ସାହେବ କେନାଲ ଭାବେ ପରିଚିତ। ଏହି କେନାଲ ନଅଙ୍କ ଦୁର୍ଭିକ୍ଷ ସମୟରେ ବ୍ରିଟସମାନଙ୍କ ଦ୍ବାରା ଖନନ କରା ଯାଇଥିବା ଏହି ପ୍ରାଚୀନ ଲୁଣା କେନାଲଟି ଋଷିକୁଲ୍ୟା ମୁହାଣ ଓ ଚିଲିକାରେ ମିଶିଛି। ପାଲୁର କେନାଲ କଡ଼େ କଡ଼େ ବେଆଇନ୍‌ ଚିଙ୍ଗୁଡ଼ି ଘେରି ଯୋଗୁଁ ଚିଲିକା ମୁହାଣ ପୋତି ହୋଇ ପଡ଼ିଥିଲା। ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ(ସିଡିଏ) ଚିଲିକା ମୁହାଣ ଖନନ ସହ ସେଠାରେ ରହିଥିବା ଚିଙ୍ଗୁଡ଼ି ଘେରି ଖନ୍ଦା ଆଦି ହଟାଇଥିଲେ। ଏହାପ‌ରେ ଚିଲିକାରୁ କେନାଲରେ ଜଳପ୍ରବାହ ବୃଦ୍ଧି ପାଇଛି। ଫଳରେ ଚିଲିକାରୁ ଏକ ଇରାୱାଡ଼ି ଡଲ୍‌ଫିନ୍‌ ଦଳ ଆସି ପାଲୁର କେନାଲରେ ବିଚରଣ କରୁଥିବା ଚିଲିକା ମୁଖ୍ୟ କାର୍ଯ୍ୟ ନିର୍ବାହୀ ସୁଶାନ୍ତ ନନ୍ଦ ସୂଚନା ଦେଇଛନ୍ତି। ବର୍ତ୍ତମାନ ଚିଲିକାର ୧୫୦ ରୁ ୧୭୦ଟି ଇରାୱାଡ଼ି ଡଲ୍‌ଫିନ୍‌ ରହିଛନ୍ତି।

ସମ୍ବନ୍ଧିତ ଖବର