ରାଜ୍ୟରେ ପ୍ରଥମଥର ଲାଗି ଯକ୍ଷ୍ମା ରୋଗର ଜିନୋମ ସିକ୍ବେନ୍ସିଂ

ଓଡ଼ିଶାରେ ଇଣ୍ଡୋ-ଓସନିକ୍, ଉତ୍ତର-ପୂର୍ବ ରାଜ୍ୟରେ ବେଜିଂ ଲିନିଏଜ୍‌ର ପ୍ରଭାବ ବିସ୍ତାର

ଭୁବନେଶ୍ବର: ରାଜ୍ୟରେ ପ୍ରଥମଥର ଲାଗି ଯକ୍ଷ୍ମାରୋଗର ଜିନୋମ ସିକ୍ବେନ୍ସିଂ କରାଯାଇଛି। ଆରଏମ୍‌ଆରସି ସହାୟତାରେ ଜୀବ ବିଜ୍ଞାନ ପ୍ରତିଷ୍ଠାନ(ଆଇଏଲଏସ୍‌)ରେ ଏହି ସିକ୍ବେନ୍ସିଂ ହୋଇଛି। ଯକ୍ଷ୍ମାରୋଗର ଜିନୋମ ସିକ୍ବେନ୍ସିଂ ଫଳରେ ଡ୍ରଗ୍ ରେଜିଷ୍ଟାଣ୍ଟ ଟିବିର ପୂର୍ବାନୁମାନ ସହିତ ଉତ୍ତମ ଚିକିତ୍ସା କ୍ଷେତ୍ରରେ ଏହା ବେଶ୍‌ ସହାୟକ ହୋଇପାରିବ ବୋଲି କୁହାଯାଉଛି। ଏହା ପୂର୍ବରୁ ଆଇଏଲଏସ୍‌ରେ କରୋନାର ଏକାଧିକର ଜିନୋମ ସିକ୍ବେନ୍ସିଂ କରାଯାଇଛି। ଯକ୍ଷ୍ମାର ନିରାକରଣ କ୍ଷେତ୍ରରେ ଡ୍ରଗ୍‌ ରେଜିଷ୍ଟାଣ୍ଟ ଟିବି(ଏମ୍‌ଡିଆର) ଓ ଏକ୍ସଟେନ୍‌ସିଭି ଡ୍ରଗ୍ ରେଜିଷ୍ଟାଣ୍ଟ ଟିବି(ଏକ୍ସଡିଆର-ଟିବି) ଏକ ପ୍ରମୁଖ ବାଧକ ରହିଆସିଛି। ଏଥିରେ ସଫଳତା ହାର ୫୪ ଓ ୩୦ ପ୍ରତିଶତ ରହିଛି। ଯକ୍ଷ୍ମା ରୋଗର ଚିହ୍ନଟ ପାଇଁ ମୁଖ୍ୟତଃ କଲଚର ପରୀକ୍ଷା(୩-୬ ସପ୍ତାହ) କରାଯାଇଥାଏ। ତେବେ କେଉଁ ମ୍ୟୁଟେସନ୍ ପାଇଁ ଏମ୍‌ଡିଆର ଭଳି ସ୍ଥିତି ଉପୁଜୁଛି ତାହା ମଲେକ୍ୟୁଲାର ଡାଏଗ୍ନୋଷ୍ଟିକ୍‌ରେ ଚିହ୍ନଟ କରିବା ସମ୍ଭବ ହେଉନାହିଁ। ତେବେ ଆଇଏଲଏସ୍‌-ଆରଏମ୍‌ଆରସି ପକ୍ଷରୁ ହୋଇଥିବା ଏହି ଗବେଷଣା ରୋଗର ଜିନ୍‌ଗତ ବିବିଧତା, ସଂକ୍ରମଣ ଢାଞ୍ଚା ଓ ଡ୍ରଗ୍‌ ରେଜିଷ୍ଟାଣ୍ଟ ଦିଗରେ ନୂତନ ଆଶାର ସଂଚାର କରିବ ବୋଲି ଆଶା କରାଯାଉଛି।

ନିକଟରେ ୧୧୮ଟି ଏମ୍‌ଡିଆର ଯକ୍ଷ୍ମାର ଜିନୋମ ସିକ୍ବେନ୍ସିଂ କରାଯାଇଥିଲା। ଏଥିରେ ଓଡ଼ିଶା, ସିକ୍କିମ୍ ଓ ମେଘାଳୟରୁ ୧୧୧ଟି ନମୁନା ଥିବା ବେଳେ ୭ଟି ଫଲୋ-ଅପ୍‌ ନମୁନା ରହିଥିଲା। ଓଡ଼ିଶାରୁ ସଂଗୃହୀତ ୪୮ଟି ନମୁନାରୁ ୩୯ଟି ଔଷଧ ସମ୍ବେଦନଶୀଳ, ୨ଟି ମନୋ ରେଜିଷ୍ଟାଣ୍ଟ ଓ ବଳକା ୭ଟି ନମୁନା ଏମ୍‌ଡିଆର ରହିଥିଲା। ଏଥିରେ ୫୭ଜଣ ପୁରୁଷ ଓ ୪୪ଜଣ ମହିଳା ରହିଛନ୍ତି। ଓଡ଼ିଶାରୁ ଅଧିକାଂଶ ଔଷଧ ସମ୍ବେଦନଶୀଳ ନମୁନା ଥିବା ବେଳେ ଉତ୍ତର-ପୂର୍ବ ରାଜ୍ୟମାନଙ୍କରୁ ଅଧିକାଂଶ ଏମ୍‌ଡିଆର ଓ ଏକ୍ସଡିଆର-ଟିବି ନମୁନା ରହିଥିଲା। ଏଥିରେ ମୋଟ ୧୨,୯୨୬ ଉଚ୍ଚ-ଗୁଣ ଥିବା ଏକକ ନ୍ୟୁକ୍ଲୋଓଟାଇଡ ପ୍ରଜାତି ଚିହ୍ନଟ କରିଥିବା ବେଳେ ଓଡ଼ିଶା ଓ ଉତ୍ତର-ପୂର୍ବ ରାଜ୍ୟମାନଙ୍କ ଭିତରେ ବ୍ୟାକ୍ଟେରିଆର ଲିନିଏଜ୍‌ରେ ବ୍ୟାପକ ଫରକ୍ ରହିଥିବା ଜାଣିବାକୁ ପାଇଛନ୍ତି। ଓଡ଼ିଶାରେ ପ୍ରାୟତଃ ଲିନିଏଜ୍‌-୧ ବା ଇଣ୍ଡୋ ଓସେନିକ୍, ଉତ୍ତର-ପୂର୍ବ ରାଜ୍ୟମାନଙ୍କରେ ବେଜିଂ ଲିନିଏଜ୍‌ ପ୍ରଭାବ ବିସ୍ତାର କରିଥିବା ନଜରକୁ ଆସିଛି। ଏହାସହ ଓଡ଼ିଶାରେ ଲିନିଏଜ୍‌-୩ ବା ମଧ୍ୟ ଏସିଆ ଲିନିଏଜ୍‌ ଚିହ୍ନଟ କରାଯାଇଛି। ସେହିପରି ଦକ୍ଷିଣ ଓଡ଼ିଶାରେ ଇଣ୍ଡୋ ଓସେନିକ୍ ଓ ମଧ୍ୟ ଓ ପୂର୍ବ ଓଡ଼ିଶାରେ ପ୍ରାୟତଃ ସବୁ ଲିନିଏଜ୍‌ ଚିହ୍ନଟ ହୋଇଥିବା ଆଇଏଲଏସ୍‌ ସୂତ୍ରରୁ ଜଣାପଡ଼ିଛି। ରାଜ୍ୟରେ ଡ୍ରଗ୍ ରେଜିଷ୍ଟାଣ୍ଟ ଯକ୍ଷ୍ମା ହାର ଅନ୍ୟ ରାଜ୍ୟ ତୁଳନାରେ କମ୍ ରହିଛି। ଆବଶ୍ୟକ ଚିକିତ୍ସା ସୁବିଧା, ଦୁର୍ବଳ ଜୀବନଶୈଳୀ ପାଇଁ ଲୋକମାନେ ଏହି ରୋଗରେ ଶିକାର ହେଉଥିବା ଗବେଷଣାରେ କୁହାଯାଇଛି। ଯକ୍ଷ୍ମା ରୋଗର ଚିହ୍ନଟ ପାଇଁ କମ୍ ମୂଲ୍ୟରେ ପରୀକ୍ଷା ସୁବିଧା ପ୍ରଦାନରେ ଏହି ଜିନୋମ ସିକ୍ବେନ୍ସିଂ ସହାୟକ ହୋଇପାରିବ। କମ୍ ସମୟ ଭିତରେ ରୋଗୀଙ୍କର ସଂଗୃହୀତ ନମୁନାରୁ ଡ୍ରଗ୍ ରେଜିଷ୍ଟାଣ୍ଟ ଯକ୍ଷ୍ମାକୁ ଚିହ୍ନଟ କରିବାରେ ସିକ୍ବେନ୍ସିଂ ଏକ ପ୍ରମୁଖ ଅସ୍ତ୍ର ହୋଇପାରିବ ବୋଲି ଗବେଷକମାନେ ଆଶାବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର