ସାରା ରାଜ୍ୟରେ ପ୍ରଥମ ଥର ଇ-ଲୋକ ଅଦାଲତ

ବିଚାରାଧୀନ ଓ ପ୍ରାକ୍-ମୋକଦ୍ଦମାସ୍ତରୀୟ ମାମଲା ଶୁଣାଣି, ୨୧ଶହ ମାମଲାର ଫଇସଲା

କଟକ : ଜନସାଧାରଣଙ୍କ ସୁରକ୍ଷା ତଥା କୋଭିଡ-୧୯ ନିୟମାବଳିକୁ ଦୃଷ୍ଟିରେ ରଖି ରାଜ୍ୟରେ ପ୍ରଥମ ଥର ପାଇଁ ଭିଡିଓ କନଫରେନ୍ସିଂ ବ୍ୟବସ୍ଥା ମାଧ୍ୟମରେ ଇ-ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ହାଇକୋର୍ଟ ସମେତ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ଥିବା ଜିଲ୍ଲାସ୍ତରୀୟ ଓ ତାଲୁକସ୍ତରୀୟ ବିଚାରବିଭାଗୀୟ ଅଦାଲତରେ ଏହି ଲୋକ ଅଦାଲତ ଅନୁଷ୍ଠିତ ହୋଇଛି। ପକ୍ଷମାନଙ୍କ ଅସୁବିଧା ଓ କୋଭିଡ-୧୯ ସମୟରେ ମାମଲାଗୁଡ଼ିକର ଆପୋସ ବୁଝାମଣାରେ ସମାଧାନ ପ୍ରସଂଗକୁ ଦୃଷ୍ଟିରେ ରଖି ରାଜ୍ୟ ଆଇନସେବା ପ୍ରାଧିକରଣର ମୁଖ୍ୟ ପୃଷ୍ଠପୋଷକ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ମହମ୍ମଦ ରଫିକଙ୍କ ମାର୍ଗଦର୍ଶନରେ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ସାରା ରାଜ୍ୟରେ ଏହି ଲୋକ ଅଦାଲତ ଅନୁଷ୍ଠିତ ହୋଇଛି।

ରାଜ୍ୟ ଆଇନସେବା ପ୍ରାଧିକରଣର କାର୍ଯ୍ୟ ନିର୍ବାହୀ ଅଧୢକ୍ଷା କୁମାରୀ ଜଷ୍ଟିସ ସଞ୍ଜୁ ପଣ୍ତା ଓ ହାଇକୋର୍ଟ ଆଇନସେବା କମିଟି ଅଧ୍ୟକ୍ଷ ଜଷ୍ଟିସ ସି.ଆର୍.ଦାଶଙ୍କ ନିର୍ଦ୍ଦେଶରେ ହାଇକୋର୍ଟରେ ଅନୁଷ୍ଠିତ ଏହି ଲୋକ ଅଦାଲତରେ ୧୦୭ଟି ମାମଲା ଫଇସଲା କରାଯାଇଛି। ବିଭିନ୍ନ ଜିଲ୍ଲାରେ ଅନୁଷ୍ଠିତ ଇ-ଲୋକ ଅଦାଲତରେ ଆପୋସ ବୁଝାମଣାରେ ମୋଟର ଦୁର୍ଘଟଣାଜନିତ ବୀମା କ୍ଷତିପୂରଣ ସଂପର୍କିତ ୬୬୫ଟି ମାମଲାର ଫୈସଲା କରାଯାଇଛି। କ୍ଷତିପୂରଣ ବାବଦରେ ୨୯ କୋଟି ୮୬ ଲକ୍ଷ ୧ ହଜାର ୧୪୩ ଟଙ୍କା ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ୫୨୧ଟି ଆର୍ଥିକ ସଂସ୍ଥାର ମାମଲା ଫୈସଲା କରାଯାଇ ୭ କୋଟି ୬୪ ଲକ୍ଷ ୪୭ ହଜାର ୪୧୩ ଟଙ୍କା ଆଦାୟ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ୨୩୬ଟି ପରିବାର ଅଦାଲତ ମାମଲା ମଧ୍ୟ ଏହି ଲୋକ ଅଦାଲତରେ ଫଇସଲା କରାଯାଇଛି। ଆଜି ସାରା ରାଜ୍ୟରେ ଅନୁଷ୍ଠିତ ଏହି ଇ-ଲୋକ ଅଦାଲତରେ ୨ ହଜାର ୬୧ଟି ମାମଲାର ଫଇସଲା କରାଯାଇଛି। ଏ ବାବଦରେ ବାବଦରେ ୪୭ କୋଟି ୫୭ ଲକ୍ଷ ୮୫ ହଜାର ୯୯୫ ଟଙ୍କା ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପ୍ରାକ୍‌ ମୋକଦ୍ଦମାସ୍ତରୀୟ ୧୭୧ଟି ମାମଲା ଫଇସଲା କରାଯାଇ ୧ କୋଟି ୪୦ ଲକ୍ଷ ୧ ହଜାର ୬୩୯ ଟଙ୍କା ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର