ବାଲେଶ୍ବର/ଭୋଗରାଇ: ବାଲେଶ୍ବର ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ସରିଥିଲେ ସୁଦ୍ଧା ଭୋଗରାଇ, ନୀଳଗିରି, ରେମୁଣା ଓ ସିମୁଳିଆ ବିଧାନସଭା ଆସନରେ ଶାସକ ଦଳର ଅଙ୍କ ଛିଣ୍ଡୁନି। ଏହି ୪ ନିର୍ବାଚନମଣ୍ଡଳୀରୁ କାହାକୁ ପ୍ରାର୍ଥୀ କରାଯିବ ଏବଂ କାହାକୁ ବାଦ୍‌ ଦିଆଯିବ; ତାକୁ ନେଇ ଶୀର୍ଷ ନେତୃତ୍ବ ମଧ୍ୟ ଗୋଲକଧନ୍ଦାରେ ପଡ଼ିଛନ୍ତି। ଭୋଗରାଇ ଆସନରୁ ବିଜେଡିର ସର୍ବାଧିକ ଆଶାୟୀ ଥିବା ବେଳେ ଏଠାରୁ ୪ ଥର ବିଧାୟକ ନିର୍ବାଚିତ ହୋଇଥିବା ଅନନ୍ତ ଦାସ ଆଜି ତାଙ୍କ ପୁଅ ଅଭିଜିତ ଓ ସମର୍ଥକମାନଙ୍କୁ ସାଙ୍ଗରେ ଧରି ନବୀନ ନିବାସରେ ପହଞ୍ଚିଥିଲେ। ପୁଅ ଅଭିଜିତ ଦାସଙ୍କୁ ଟିକେଟ୍‌ ଦେବାପାଇଁ ସେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଓ ଭି.କେ.ପାଣ୍ଡିଆନ୍‌ଙ୍କୁ ଭେଟି ଅନୁରୋଧ କରିଥିବା ଜଣାପଡ଼ିଛି।

Advertisment

ଭୋଗରାଇ ଆସନ ପାଇଁ ବିଜେଡିର ମୁଖପାତ୍ର ଗୌତମବୁଦ୍ଧ ଦାସ, ବିଶିଷ୍ଟ କର୍କଟ ରୋଗ ବିଶେଷଜ୍ଞ ଡାକ୍ତର ସରୋଜ ଦାସମଜୁମଦାର, ବିଦୁବେନ୍ଦୁ ପାତ୍ର, ନିବେଦିତା ମହାନ୍ତି, ବିଧାୟକ ଅନନ୍ତ ଦାସଙ୍କ ପୁଅ ଅଭିଜିତ ଦାସ ଆଶାୟୀ ଅଛନ୍ତି। ହେଲେ ଦଳ କାହା ସଂପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନେଇ ପାରୁନାହିଁ। ଦଳୀୟ ଟିକେଟ୍‌ ପାଇଁ ଛକାପଞ୍ଝା ଲାଗି ରହିଥିବା ବେଳେ ପୁଅ ଅଭିଜିତଙ୍କୁ ଧରି ଅନନ୍ତ ଆଜି ନବୀନ ନିବାସରେ ପହଞ୍ଚିବା ଘଟଣା ଭୋଗରାଇ ରାଜନୀତିକୁ ସରଗରମ କରିଛି। ନବୀନ ନିବାସରୁ ଫେରିବା ପରେ ଅନନ୍ତଙ୍କ ପୁଅ ଅଭିଜିତ ଦାସ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଭୋଗରାଇ ପାଇଁ ମୁଖ୍ୟମନ୍ତ୍ରୀ ସବୁବେଳେ ଠିକ୍‌ ନିଷ୍ପତ୍ତି ନେଇ ଆସିଛନ୍ତି। ଏବେ ବି ସେହି ବିଶ୍ବାସ ତାଙ୍କ ଉପରେ ଅତୁଟ ରହିଛି।