ଭୁବନେଶ୍ବର: ସାଧାରଣ ନିର୍ବାଚନରେ ବିଜେଡିକୁ ହରାଇ ବିଜେପି କ୍ଷମତାକୁ ଆସିବା ପରେ ଏବେ ତୃଣମୂଳ ସଂଗଠନ ବଢ଼ାଇବାକୁ ଉଦ୍ୟମ କରୁଛି। ଏଥିପାଇଁ ଦଳ ପକ୍ଷରୁ ଚାଲିଥିବା ସଦସ୍ୟତା ଅଭିଯାନରେ ରାଜ୍ୟର ୧କୋଟି ଲୋକଙ୍କୁ ଦଳର ସଦସ୍ୟ କରିବାକୁ ଟାର୍ଗେଟ ରଖିଛି। ଏପଟେ ତୃଣମୂଳ ସ୍ତରେ ମଜବୁତ୍ ସଂଗଠନ ପାଇଁ ଦୀର୍ଘ ୨୪ବର୍ଷ କ୍ଷମତାରେ ରହିବା ପରେ ବିରୋଧୀ ଆସନରେ ବସିଥିବା ବିଜେଡି ବି ସଂଗଠନ ଯେପରି ନଭାଙ୍ଗିବ ସେଥିପାଇଁ ପ୍ରୟାସ ଆରମ୍ଭ କରିଛି। ବିଜେଡି ମଧ୍ୟ ବିଜେପି ଭଳି ୧କୋଟି ସଦସ୍ୟ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛି। ଏଥିପାଇଁ ଦୁଇ ଦଳ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରି ଜୋରଦାର ଉଦ୍ୟମ ଚଳାଇଛନ୍ତି। ହେଲେ ଏହା କେତେଦୂର ସଫଳ ହେବ ତାହା ଉପରେ ସମସ୍ତଙ୍କ ନଜର। ଗତ ସାଧାରଣ ନିର୍ବାଚନରେ ବିଜେପି ବିଧାନସଭା ନିର୍ବାଚନରେ ୧କୋଟି ୬୪ହଜାର ୮୨୭ଖଣ୍ଡ ଭୋଟ୍ ପାଇଥିବାବେଳେ ଲୋକସଭା ନିର୍ବାଚନରେ ୧କୋଟି ୧୩ଲକ୍ଷ ୩୫ହଜାର ୫୪୯ଖଣ୍ଡ ଭୋଟ୍ ପାଇଛି। ଦୁଇଟି ଯାକ ନିର୍ବାଚନରେ ବିଜେପି ଭୋଟ୍ ସଂଖ୍ୟା ପ୍ରଥମ ଥର ପାଇଁ ୧କୋଟି ଟପିଥିବାରୁ ଦଳର ରାଷ୍ଟ୍ରୀୟ ନେତୃତ୍ବ ଉତ୍ସାହିତ ଅଛନ୍ତି। ତେଣୁ ଓଡ଼ିଶା ବିଜେପିକୁ ୧କୋଟି ସଭ୍ୟ ସଂଗ୍ରହ କରିବାକୁ ଟାର୍ଗେଟ୍ ଦେଇଛନ୍ତି।
ଏହାକୁ ନଜରରେ ରଖି ବିଜେପି ପକ୍ଷରୁ ଓଡ଼ିଶାରେ ସେପ୍ଟେମ୍ବର ୩ରୁ ଆରମ୍ଭ ହୋଇଥିବା ସଦସ୍ୟତା ଅଭିଯାନର ପ୍ରଥମ ପର୍ଯ୍ୟାୟ ସେପ୍ଟେମ୍ବର ୨୫ରେ ସରିଛି। ଅକ୍ଟୋବର ୧ରୁ ଦ୍ବିତୀୟ ପର୍ଯ୍ୟାୟ ଅଭିଯାନ ଆରମ୍ଭ ହୋଇଛି। ହେଲେ ପ୍ରଥମ ପର୍ଯ୍ୟାୟରେ ଦଳ ତା’ର ଲକ୍ଷ୍ୟ ହାସଲରେ ସଫଳ ହୋଇନି। ଏହି ପର୍ଯ୍ୟାୟରେ ଅନଲାଇନ୍ ଜରିଆରେ ସଭ୍ୟ ସଂଗ୍ରହ ହୋଇଥିବାବେଳେ ପ୍ରାୟ ୨୧ଲକ୍ଷ ସଦସ୍ୟ ସଂଗ୍ରହ ହୋଇଛି। ତେଣୁ କୋଟିଏ ସଦସ୍ୟ ସଂଗ୍ରହ ଟାର୍ଗେଟ୍ କିପରି ପୂରଣ ହେବେ ତାହା ଏବେ ଦଳୀୟ ନେତାଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି। ନିକଟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଭୁବନେଶ୍ବର ଆସିଥିବାବେଳେ ଦଳୀୟ ପଦାଧିକାରୀ, ସାଂସଦ, ମନ୍ତ୍ରୀ ଓ ବିଧାୟକଙ୍କ ସହ ସଦସ୍ୟତା ଅଭିଯାନ ନେଇ ଆଲୋଚନା କରିଥିଲେ। ଏଥିରେ ଜଣାପଡ଼ିଥିଲା ଯେ ମନ୍ତ୍ରୀ, ସାଂସଦ ଓ ବିଧାୟକଙ୍କ ନିର୍ବାଚନମଣ୍ଡଳୀରେ ଆଶାନୁରୂପ ସଦସ୍ୟ ସଂଗ୍ରହ ହୋଇନି। ନଡ୍ଡା କ୍ଷୋଭ ପ୍ରକାଶ କରିବା ସହ ମନ୍ତ୍ରୀ, ସାଂସଦ ଓ ବିଧାୟକଙ୍କୁ ନିର୍ବାଚନମଣ୍ଡଳୀକୁ ଯାଇ ସଦସ୍ୟ ଅଭିଯାନକୁ ତ୍ବରାନ୍ବିତ କରିବାକୁ ତାଗିଦ୍ କରିଥିଲେ।
ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ବିଭିନ୍ନ ଦଳୀୟ ବୈଠକରେ କହୁଛନ୍ତି, ପୂର୍ବରୁ ବିଜେପିର ୪୧ଲକ୍ଷ ସଦସ୍ୟ ଓଡ଼ିଶାରେ ଥିଲେ। ଏବେ ଆମେ ସରକାରରେ ଅଛୁ। ତେଣୁ ଏହା ନିଶ୍ଚିତ ୧କୋଟି ଛୁଇଁବ। ଏପରିକି ଏଥର ସରକାରୀ କର୍ମଚରୀ, ଡାକ୍ତର, ଇଞ୍ଜିନିୟରଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବର୍ଗର ଲୋକଙ୍କୁ ସାମିଲ କରିବାକୁ କୁହାଯାଇଛି। ବିଜେପି ସଦସ୍ୟ ଟାର୍ଗେଟ ପୂରଣ ପାଇଁ ଘନଘନ ବୈଠକ କରୁଥିଲେ ହେଁ ଲୋକଙ୍କ ମଧ୍ୟରେ ଏନେଇ ବିଶେଷ ଆଗ୍ରହ ନଥିବା ତୃଣମୂଳ ସ୍ତରର ନେତା ବୈଠକରେ କହୁଛନ୍ତି।
ବିଜେପିର ଜଣେ ବରିଷ୍ଠ ନେତାଙ୍କ କହିବାନୁଯାୟୀ, ଆମେ ଗତ ୬ବର୍ଷରେ ଦୁଇଟି ଅଭିଯାନରେ ୪୧ଲକ୍ଷ ସଦସ୍ୟ ସଂଗ୍ରହ କରିଥିଲୁ। ଏଥର ଆମର ଭୋଟ୍ ହାର ବଢ଼ିଥିଲେ ହେଁ ବହୁ ଲୋକ ବିଜେପିର ସଦସ୍ୟ ହେବାକୁ ସହମତି ଦେଉନାହାନ୍ତି। ପ୍ରଥମ ପର୍ଯ୍ୟାୟରେ ଲୋକଙ୍କ ମୋବାଇଲ୍ରୁ ମିସ୍କଲ୍ କରି ଓଟିପି ମାଧ୍ୟମରେ ସଦସ୍ୟତା ଫର୍ମ ପୂରଣ ହେଉଥିଲା। ଯେଉଁମାନେ ଆଗ୍ରହ ଦେଖାଉଥିେଲ ସେମାନଙ୍କ ପରିବାରର ସଦସ୍ୟଙ୍କ ପାଖରେ ଯେତିକି ମୋବାଇଲ ଫୋନ୍ ଥିଲା ସେଥିରୁ ମିସ୍ କଲ୍ କରି ସଦସ୍ୟ କରାଯାଇଛି। ହେଲେ ବହୁ ସ୍ଥାନରେ ଲୋକ କହୁଛନ୍ତି ଆମେ ଭୋଟ୍ ଦେବା କଥା ଦେଲୁ, ସଦସ୍ୟ କାହିଁକି ହେବୁ। ଆମକୁ ଯିଏ ଭଲ ଲାଗିବ ତାକୁ ଭୋଟ୍ ଦେବୁ।
ଏପଟେ ବିଜେପି ସରକାରକୁ ଆସିବା ପରେ ଦଳର ସଂଗଠନ ଓ ସରକାର ମଧ୍ୟରେ ସମନ୍ବୟ ଅଭାବ ଦେଖାଯାଇଛି। ସଂଗଠନ ଆଧାରରେ ଦଳ ସରକାର ଚଳାଇବାକୁ ଚାହୁଁଥିଲେ ହେଁ ବହୁ ସରକାରୀ କର୍ମଚାରୀ ଦଳୀୟ ଆଦର୍ଶ ଭିତ୍ତିରେ ଦଳର ସଦସ୍ୟ ହେବାକୁ ଚାହୁଁନାହାନ୍ତି। ଏହାବାଦ୍ ଯେଉଁ କେତେକ ସ୍ଥାନରେ ବିଜେଡି, କଂଗ୍ରେସ ଛାଡ଼ି ନେତାମାନେ ବିଜେପିରେ ମିଶିଥିଲେ ସେମାନଙ୍କୁ ବିଜେପି ସଂଗଠନ ଗୁରୁତ୍ବ ଦେଉନଥିବାରୁ ସେମାନେ ବି ସଦସ୍ୟତା ଅଭିଯାନରେ ମନପ୍ରାଣ ଲଗାଇ ସାମିଲ୍ ହେଉନାହାନ୍ତି। କେବଳ ଏହି ଦୁଇଟି କାରଣ ନୁହେଁ, ବିଜେପିର ଏବେବି ତୃଣମୂଳ ସଂଗଠନ ସୁଦୃଢ ନଥିବାବେଳେ କିଛି ଦଳୀୟ ନେତାଙ୍କ ମଧ୍ୟରେ ଅନ୍ତଃବିବାଦ ସୃଷ୍ଟି ହୋଇଥିବାରୁ ସେମାନେ ବି ଉପରଠାଉରିଆ ଭାବେ ଏହି ଅଭିଯାନରେ ସାମିଲ ହେଉଥିବା ବିଭିନ୍ନ ସମୀକ୍ଷା ବୈଠକରେ ଅଭିଯୋଗ ହେଉଛି।
ସେହିପରି ବିଜେଡି ବି ଅକ୍ଟୋବର ୯ରୁ ସାରା ରାଜ୍ୟରେ ସଦସ୍ୟତା ଅଭିଯାନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି। ଦୁଇ ମାସ ଧରି ଚାଲିବାକୁ ଥିବା ଏହି ଅଭିଯାନରେ କୋଟିଏ ସଦସ୍ୟଙ୍କୁ ସାମିଲ କରାଯିବ। ବିଜେଡି ଗଠନ ହେବା ପରେ ଏହା ସବୁଠାରୁ ବଡ଼ ସଦସ୍ୟତା ଅଭିଯାନ ହେବାକୁ ଯାଉଛି। ଏଥିପାଇଁ ପଞ୍ଚାୟତ ସ୍ତରରେ କିପରି ଲୋକଙ୍କୁ ବୁଝାଇ ଦଳର ସଦସ୍ୟ କରାଯିବ ସେନେଇ ଦଳ ସଭାପତି ନବୀନ ପଟ୍ଟନାୟକ ବି ଜିଲ୍ଲାସ୍ତରୀୟ ସଂାଗଠନିକ ବୈଠକରେ ଦଳୀୟ ନେତାଙ୍କୁ ପରାମର୍ଶ ଦେଉଛନ୍ତି। ସଦସ୍ୟତା ଅଭିଯାନକୁ ସଫଳ କରିବା ପାଇଁ ଏକ ୨୨ଜଣିଆ କମିଟି ବି ଗଠନ ହୋଇଛି। ବିଧାନସଭା ନିର୍ବାଚନରେ ବିଜେଡି ବି ୧କୋଟି ୧ଲକ୍ଷ ୨ହଜାର ୪୫୪ଖଣ୍ଡ ଭୋଟ୍ ପାଇଥିବାରୁ ଏହାକୁ ହାତଛଡ଼ା କରିବାକୁ ଚାହୁଁନି। ବର୍ତ୍ତମାନର ସରକାର ସବୁଥିରେ ବିିଫଳ ହୋଇଥିବା, ପୂର୍ବ ସରକାରର ସଫଳତା ଏବଂ ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତିକୁ ଦେଖାଇ ଲୋକଙ୍କୁ ବିଜେଡି ସହ ରହିବାକୁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇଛି।
ଅପରପକ୍ଷେ କଂଗ୍ରେସ ବିଧାନସଭା ନିର୍ବାଚନରେ ୩୩,୩୧,୩୧୯ଖଣ୍ଡ ଏବଂ ଲୋକସଭା ନିର୍ବାଚନରେ ୩୨,୬୪,୭୬୯ଖଣ୍ଡ ଭୋଟ୍ ପାଇଥିଲେ ହେଁ ଏବେ ରାଜ୍ୟରେ ଦଳର କେହି ମୁଖିଆ ନଥିବାରୁ ଦଳ ବିଜେପି ଓ ବିଜେଡିର ସଦସ୍ୟତା ଅଭିଯାନକୁ କାଉଣ୍ଟର କରିବା ଭଳି କିଛି କାର୍ଯ୍ୟକ୍ରମ କରୁନି। ହେଲେ କଂଗ୍ରେସ ଟ୍ରେଣ୍ଡ ଦେଖିଲେ ଏହି ଭୋଟର ଅନ୍ୟ ଦଳକୁ ଯିବା ସମ୍ଭାବନା କମ୍।