ପୁଲିସ, ସିଡିପିଓଙ୍କୁ ଅଟକ ରଖି ନାବାଳିକାଙ୍କୁ ବିବାହ ଦେଲେ ଗ୍ରାମବାସୀ

ବାହାଘରକୁ ସୁରକ୍ଷା ଦେଲେ ରାଜନେତା, କାର୍ଯ୍ୟାନୁଷ୍ଠାନ ନେଉ ନାହିଁ ପୁଲିସ୍‌

ବାଲେଶ୍ବର: ଜଣେ ନାବାଳିକାଙ୍କୁ ବିବାହ କରାଯାଉଥିବା ଶୁଣି ଅଟକାଇବାକୁ ଯାଇଥିଲେ ସିଡିପିଓ। ହେଲେ ପ୍ରଭାବଶାଳୀ ଗୋଷ୍ଠୀଙ୍କ ଚାପରେ ଫେରିଆସିଲେ କିନ୍ତୁ ବାହାଘରକୁ ଅଟକାଇ ପାରିଲେ ନାହିଁ । ଶେଷରେ ଏନେଇ ଥାନାରେ ଅଭିଯୋଗ କରାଯାଇଥିଲା କିନ୍ତୁ  ଅଭିଯୁକ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ‌ନିଆଯାଉ ନାହିଁ । ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ବାଲେଶ୍ବର ସଦର ଥାନା ପୁଲିସ ବିରୋଧରେ।

ସଦର ଥାନା ଅଧୀନ ବର୍ଧନପୁର ପଞ୍ଚାୟତ ସାହାଜୀନଗର ଗ୍ରାମରେ ଗତ ୧୧ ତାରିଖରେ ଜଣେ ନବମ ଶ୍ରେଣୀ ପଢ଼ୁଥିବା ନାବାଳିକାଙ୍କୁ ବିବାହ କରାଯାଉଥିବା ନେଇ ଅଭିଯୋଗ ଆସିଥିଲା। ଘଟଣାସ୍ଥଳରେ ସଦର ଥାନା ଅଧୀନ ଜୟଦେବ କସବା ଫାଣ୍ଡିରୁ ଦୁଇଜଣ ପୁଲିସ ଓ ସଦର ସିଡିପିଓ ପହଞ୍ଚିଥିଲେ। ହେଲେ କୌଣସି ପ୍ରକାରେ ସେମାନେ ଏହି ବାହାଘରକୁ ରୋକ ଲଗାଇବା‌େର ସକ୍ଷମ ହୋଇପାରିଲେ ନାହିଁ। ବିବାହସ୍ଥଳରେ ସ୍ଥାନୀୟ ଅଞ୍ଚଳ‌ର ଜଣେ ପ୍ରଭାବଶାଳୀ ରାଜନେତା ଏବଂ ତାଙ୍କର କିଛି ସମର୍ଥକ ସିଡିପିଓ ଓ ଦୁଇ ପୁଲିସକର୍ମୀଙ୍କୁ ଘେରିଯାଇ ଏହି ବାହାଘର କୌଣସି ପ୍ରକାରେ ବନ୍ଦ ହୋଇପାରିବେ ନାହିଁ ବୋଲି ଧମକ ଦେଇଥିଲେ।

ଏଭଳି ପରିସ୍ଥିତିରେ ବିବାହ କାର୍ଯ୍ୟ ଜାରି ରହିଥିଲା। ଏହି ବିବାହକୁ ବେଆଇନ କହି ଗ୍ରାମର କିଛି କିଛି ବ୍ୟକ୍ତି ବିରୋଧ କରିଥିବା ବେଳେ ଓ ସପକ୍ଷରେ ବାହାରିଥିବା ଗୋଷ୍ଠୀଙ୍କ ମଧ୍ୟରେ ଠେଲାପେଲା ହୋଇ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ତେବେ ସବୁକିଛି ନିରବରେ ଦେଖୁଥିବା ପୁଲିସ ଓ ସିଡିପିଓ ନିରୁପାୟ ଶେଷରେ ସେଠାରୁ ଫେରିବାକୁ ବାଧ୍ୟ ହୋଇଥିଲେ। ସମ୍ପୃକ୍ତ ନାବାଳିକାଙ୍କର ବିବାହ ବଳପୂର୍ବକ ହୋଇଥିବା ବେଳେ ଏଥି‌େର ଅଞ୍ଚଳର ସମ୍ପୃକ୍ତ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହ ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ମଧ୍ୟ ସାମିଲ ଥିବା ଦେଖାଯାଇଥିଲା। ଏନେଇ ସେହିଦିନ ସଦର ଥାନାରେ ସମ୍ପୃକ୍ତ ନାବାଳିକାଙ୍କ ପିଉସୀ, ଜୟଦେବକସବା ଫାଣ୍ଡି ପୁଲିସ ଓ ସଦର ସିଡିପିଓଙ୍କ ପକ୍ଷରୁ ତିନିଟି ଏତଲା ଦାୟର କରାଯାଇଥିବା ବେଳେ ଏ ପର୍ଯ୍ୟନ୍ତ ପୁଲିସ ଅଭିଯୁକ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇପାରି ନାହିଁ। ଏନେଇ ସ୍ଥାନୀୟ ବାସିନ୍ଦା ସମ୍ପୃକ୍ତ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଚାପରେ ସଦର ଥାନା ପୁଲିସ ଶିକାର ହୋଇଥିବା ଅଭିଯୋଗ କରିଥିବା‌ ବେଳେ ଥାନାଧିକାରୀ କ୍ଷମାସାଗର ପଣ୍ଡାଙ୍କୁ ଯୋଗାଯୋଗ କରିବାରୁ ସେ ଫୋନ୍‌ ଉଠାଇନଥିଲେ। ତେବେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ତୁରନ୍ତ ଏହି ମାମଲାର ବିଚାର କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସହ ପୀଡ଼ିତା ନାବାଳିକାଙ୍କୁ ଉଦ୍ଧାର କରିବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।

ସମ୍ବନ୍ଧିତ ଖବର