ଟିଟିଲାଗଡ଼: ସହର ମଧ୍ୟରେ ଥିବା ପୁରୁଣା ରେଳ ଫାଟକ ନିକଟରେ ବିଦ୍ୟୁତ୍ ବିଭାଗ ଅଧୀନସ୍ଥ ଜମି ବହୁଦିନ ଧରି କିଛି ବ୍ୟବସାୟୀଙ୍କ ଜବରଦଖଲରେ ରହିଥିଲା। ସୋମବାର ପୌର ପ୍ରଶାସନ ପକ୍ଷରୁ ସେଠାରୁ ଜବରଦଖଲ ଉଚ୍ଛେଦ କରାଯାଇଛି। ପ୍ରକାଶଯୋଗ୍ୟ ଯେ ଟିଟିଲାଗଡ଼ ସହରର ବହୁ ମୂଲ୍ୟବାନ ସରକାରୀ ଜମି ଜବରଦଖଲରେ ରହିଥିବା ଯୋଗୁଁ ସହର ମଧ୍ୟରେ ହେବାକୁ ଥିବା ଉନ୍ନୟନ ପ୍ରକଳ୍ପ ପାଇଁ ସ୍ଥାନ ଅଭାବ ଦେଖାଦେଇଛି। ନିୟମିତ ଅନ୍ତରାଳେ ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଥିବା ବେଳେ ବର୍ତ୍ତମାନ ସ୍ଥିତିରେ ମଧ୍ୟ ସହରର ପ୍ରମୁଖ ସ୍ଥାନଗୁଡ଼ିକରେ ଜବରଦଖଲ ରହିଛି। ବିଦ୍ୟୁତ୍ ବିଭାଗର କାର୍ଯ୍ୟାଳୟ ପରିସରରେ ଥିବା ଖାଲି ଜମିକୁ କିଛି ସ୍ଥାନୀୟ ବ୍ୟବସାୟୀ ଦୋକାନ, ହୋଟେଲ ଆଦି ନିର୍ମାଣ କରିବା ସହ ବହୁଦିନ ଧରି ଜବରଦଖଲରେ ରଖିଥିବା ବେଳେ ଟାଟା ପାୱାର ଏସ୍ଡିଓ ବିନାୟକ ରାଉତ ଏହାକୁ ଉଚ୍ଛେଦ କରିବା ନେଇ ପୌର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ।
ପୌର ପରିଷଦ ପକ୍ଷରୁ ଜବରଦଖଲକାରୀଙ୍କୁ ପୂର୍ବରୁ ନୋଟିସ ପ୍ରଦାନ କରାଯାଇଥିବା ବେଳେ ଆଜି ସକାଳୁ ତହସିଲଦାର ଡ. ଲଳିତ ବାଗ, ପୌର ନିର୍ବାହୀ ଅଧିକାରୀ ବିପିନ ଦୀପ, ପୌର ପରିଷଦ କର୍ମଚାରୀ, ଟାଟା ପାୱାର ଏସ୍ଡିଓ ବିନାୟକ ରାଉତଙ୍କ ସହ ପୁଲିସ ବାହିନୀ ଉପସ୍ଥିତିରେ ଜବରଦଖଲ ଉଚ୍ଛେଦ କରାଯାଇଥିଲା। ବିଦ୍ୟୁତ ବିଭାଗର ଆଉ କିଛି ଜମି ମଧ୍ୟ ଜବରଦଖଲରେ ରହିଛି। ଏପରିକି ଉକ୍ତ ଜମିରେ ଷ୍ଟଲ୍ ତିଆରି କରାଯାଇ ଭଡ଼ା ସୂତ୍ରରେ ଦିଆଯାଇଥିବା ନେଇ ଅଭିଯୋଗ ହୋଇଛି।