ଜୁନ୍‌ ୩୦ ସୁଦ୍ଧା ସୁପର୍‌ସ୍ପେସାଲିଟି କୋଠା ହସ୍ତାନ୍ତର ପାଇଁ ଚରମବାଣୀ: ଭିମସାର୍‌ରୁ ଜବରଦଖଲ ଉଚ୍ଛେଦ ‌ଶୀଘ୍ର

ସମ୍ବଲପୁର: ‌ଭିମ୍‌ସାର୍‌ ସୁପର୍‌ସ୍ପେସାଲିଟି କୋଠା କାମ ଶେଷ କରି ଜୁନ୍‌ ୩୦ ସୁଦ୍ଧା ହସ୍ତାନ୍ତର କରିବାକୁ ନିର୍ମାଣକାରୀ ସଂସ୍ଥାକୁ ଚରମବାଣୀ ଶୁଣାଇଛନ୍ତି ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ଡ. ସୁରେଶ ଚନ୍ଦ୍ର ଦଳେଇ ଏବଂ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା। ଏହି ବହୁ ପ୍ରତୀକ୍ଷିତ କୋଠାର ନିର୍ମାଣ ବିଳମ୍ବିତ ହୋଇ ଚାଲିଥିଲାବେଳେ ଅଧିକ ଅପେକ୍ଷା କରିବା ସମ୍ଭବ ନୁହେଁ ବୋଲି କହିଛନ୍ତି। ଯଦି ଜୁନ୍‌ ୩୦ ସୁଦ୍ଧା କୋଠା ହସ୍ତାନ୍ତର ନହେଲା ତା’ହେଲେ ତାକୁ ଗ୍ରହଣ କରାଯିବ ନାହିଁ ବୋଲି ବି କହିଛନ୍ତି। ଏଥିରେ କୌଣସି ପ୍ରକାର ସମସ୍ୟା ଥିଲେ ବା ସହାୟତାର ଅାବଶ୍ୟକତା ଥିଲେ ଜଣାଇବାକୁ ଠିକା ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି। ମଙ୍ଗଳବାର ଉତ୍ତରାଞ୍ଚଳ ଆର୍‌ଡିସି ନିଜ ସମ୍ମିଳନୀ କକ୍ଷରେ ଭିମସାର୍‌ ସୁପର୍‌ସ୍ପେସାଲିଟି କୋଠା, ଜବରଦଖଲ ଉଚ୍ଛେଦ, ଆସିଷ୍ଟାଣ୍ଟ ପ୍ରଫେସର୍‌ ନିଯୁକ୍ତି ଆଦି ବିଭିନ୍ନ ପ୍ରସଂଗରେ ଏକ ଉଚ୍ଚସ୍ତରୀୟ ବୈଠକ ଡାକିଥିଲେ। ଏଥିରେ କୋଠାର ଢାଞ୍ଚା ନିର୍ମାଣ, ବାହ୍ୟ ବିଦ୍ୟୁତୀକରଣ, ମଡ୍ୟୁଲାର୍‌ ଅପରେସନ୍ ଥିଏଟର୍‌ ନିର୍ମାଣ, ଯନ୍ତ୍ର ଓ ଉପକରଣ କିଣା ଆଦି ବିଭିନ୍ନ ପ୍ରସଂଗରେ ଆଲୋଚନା ହୋଇଥିଲା। ରାଷ୍ଟ୍ରାୟତ୍ତ ସଂସ୍ଥା ଏଚ୍‌ଏସ୍‌ସିସିଏଲ୍‌ ଏହାର ନିର୍ମାଣ ଦାୟିତ୍ବରେ ଥିବାବେଳେ ସିଭିଲ୍ କାମ ପାଇଁ ଦକ୍ଷିଣ ଭାରତର ହାଇଗ୍ରିଭା ଇନ୍‌ଫ୍ରାଟେକ୍‌ ନାମକ ସଂସ୍ଥାକୁ ଠିକା ଦେଇଛି। ସେହିପରି ଟାଟା ପାୱାର୍ ବିଦ୍ୟୁତୀକରଣ ଦାୟିତ୍ବରେ ଥିବାବେଳେ ମଡ୍ୟୁଲାର୍‌ ଓଟି ଓ ଅକ୍ସିଜେନ୍ ପାଇପ୍ ଲାଇନ୍ ନିର୍ମାଣ ଠିକା ଆଉ ଏକ ଘରୋଇ ସଂସ୍ଥା ପାଇଛି। ସବୁ ସଂସ୍ଥା ନିଜନିଜ କାମ ଶେଷ କରିବା ପାଇଁ ବିଭିନ୍ନ ସମୟ ଧାର୍ଯ୍ୟ ହୋଇଛି। ଜୁନ୍‌ ୩୦ ସୁଦ୍ଧା ସୁପର୍‌ସ୍ପେସାଲିଟି ଡାକ୍ତରଖାନା ଉଦ୍‌ଘାଟନ ପାଇଁ ସବୁ ପ୍ରକାରେ ପ୍ରସ୍ତୁତ ହୋଇଥିବା ଦରକାର ବୋଲି ବୈଠକରେ ଆର୍‌ଡିସି ତାଗିଦ କରିଥିଲେ।

ସେହିପରି ଭିମସାର୍‌ର ସବୁ ଜମିକୁ ଜବରଦଖଲ ମୁକ୍ତ କରିବା ପ୍ରସଂଗକୁ ଆର୍‌ଡିସି ଗୁରୁତ୍ବର ସହ ସମୀକ୍ଷା କରିଥିଲେ। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ରେକର୍ଡ ଅନୁଯାୟୀ ଭିମସାର୍‌ର ୨୨୦ ଏକର ନିଜସ୍ବ ଜମି ରହିଛି। ମାତ୍ର ପ୍ରକୃତରେ ଭିମସାର୍‌ ଦଖଲରେ ଥିବା ଜମି ପରିମାଣ ଏହାଠାରୁ ଢେର କମ। ତେଣୁ ବହୁ ପରିମାଣର ଜମି ଜବରଦଖଲ ହୋଇଥିବା ଏକ ପ୍ରକାର ସ୍ପଷ୍ଟ। ଏହି ଜମି ଗୁଡ଼ିକ କିଭଳି ଉଦ୍ଧାର କରି ଅନୁଷ୍ଠାନର କାମରେ ଲଗାଯାଇ ପାରିବ ସେ ସଂପର୍କରେ ଆଲୋଚନା ହୋଇଥିଲା। କେଉଁ ସବୁ ଭିମସାର୍‌ର ସଂଦିଗ୍‌ଧ ଜମି ଜବରଦଖଲରେ ରହିଛି ତା’ର ଏକ ତାଲିକା ପ୍ରସ୍ତୁତ କରି ଉପଜିଲ୍ଲାପାଳଙ୍କ ନିକଟରେ ଦାଖଲ କରିବା ପାଇଁ ଭିମସାର୍‌ ପ୍ରଶାସନିକ ଅଧିକାରୀ ସୁବ୍ରତ ନାୟକଙ୍କୁ ଦାୟିତ୍ବ ଦିଆ ଯାଇଥିଲା। ଉକ୍ତ ତାଲିକା ମିଳିବା ପରେ ତା’ ଆଧାରରେ ମାପଚୁପ କରାଇ ଉପଜିଲ୍ଲାପାଳ ଭିମସାର୍‌ ଜମି ଗୁଡ଼ିକ ଦଖଲକୁ ନେବାର ବ୍ୟବସ୍ଥା କରାଇବେ ବୋଲି ସ୍ଥିର ହୋଇଥିଲା। ସେହିପରି ଆସିଷ୍ଟାଣ୍ଟ ପ୍ରଫେସର୍ ନିଯୁକ୍ତି ପ୍ରସଂଗ ବି ଉଠିଥିଲା। ପୂର୍ବରୁ ଭିମସାର୍‌ର ଆସିଷ୍ଟାଣ୍ଟ ପ୍ରଫେସର୍ ନିଯୁକ୍ତି ଓପିଏସ୍‌ସି ଜରିଆରେ କରାଯିବା ପ୍ରସ୍ତାବକୁ ସ୍ଥାନୀୟ ମହଲରେ ବିରୋଧ ହୋଇଥିଲା। ଭିମ୍‌ସାର୍ ପରିଚାଳନା ବୋର୍ଡର ମନୋନୀତ ସଦସ୍ୟ ମାନେ ବି ଏହାକୁ ବିରୋଧ କରିଥିଲେ। ତେଣୁ ଭିମସାର୍‌ କର୍ତ୍ତୃପକ୍ଷ ନିଜେ ନିଯୁକ୍ତି ଦିଅନ୍ତୁ, କିନ୍ତୁ ଓପିଏସ୍‌ସି ପରାମର୍ଶରେ ତଥା ଢାଞ୍ଚାରେ ତାହା କରାଯାଉ ବୋଲି ଆର୍‌ଡିସି ପରାମର୍ଶ ଦେଇଥିଲେ।

ଭିମସାର୍‌ର ଅଣଚିକିତ୍ସା ବର୍ଜ୍ୟବସ୍ତୁ ପରିଚାଳନା ସଂପର୍କରେ ବି ଆଲୋଚନା ହୋଇଥିଲା। ଡାକ୍ତରଖାନା କର୍ତ୍ତୃପକ୍ଷ ବର୍ଜ୍ୟବସ୍ତୁ ଗୁଡ଼ିକର ପୃଥକୀକରଣ କରି ହସ୍ତାନ୍ତର କଲେ ମହାନଗର ନିଗମର ଗାଡ଼ି ଯାଇ ତାକୁ ଗ୍ରହଣ କରି ଡମ୍ପିଂୟାର୍ଡକୁ ନେବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ। ଭିମସାର୍‌ର ପରିମଳ ନେଇ ଆର୍‌ଡିସି ଅସନ୍ତୋଷ ପ୍ରକାଶ କରିବା ସହ ଡାକ୍ତରଖାନା ପରିସର ସଫାସୁତରା ରଖିବାକୁ ପରାମର୍ଶ ଦେଇଥିଲେ। ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଭିମସାର୍‌ ନିର୍ଦ୍ଦେଶକ ପ୍ର. ଲଳିତ ମେହେର, ଡିନ୍ ପ୍ର. ଜୟଶ୍ରୀ ଦୋରା, ଅଧୀକ୍ଷକ ପ୍ର. ଲାଲ୍‌ମୋହନ ନାୟକ, ସୁପର୍‌ସ୍ପେସାଲିଟି ଦାୟିତ୍ବରେ ଥିବା ଡା. ସଂଜୟ ମହାପାତ୍ର, ପ୍ରଶାସନିକ ଅଧିକାରୀ ସୁବ୍ରତ ନାୟକ, ସଦର ଉପଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ, ପୂର୍ତ୍ତ ଓ ରାଜସ୍ବ ବିଭାଗର ଅଧିକାରୀ ଗଣ, ଟିପିଡବ୍ଲୁଓଡିଲ୍‌, ଏଚ୍‌ଏସ୍‌ସିସିଏଲ୍‌, ହାଇଗ୍ରିଭା ସମେତ ବିଭିନ୍ନ ନିର୍ମାଣ ସଂସ୍ଥାର ଅଧିକାରୀ ଗଣ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଗତ ୩ ତାରିଖ ଦିନ ଆର୍‌ଡସିସି ଶ୍ରୀ ଦଳେଇ ଭିମସାର୍‌ ପରିଦର୍ଶନରେ ଯାଇଥିଲେ। ସେଠାରେ ବିଭିନ୍ନ ସମସ୍ୟା ସଂପର୍କରେ ଅବଗତ ହେବା ପରେ ଆଲୋଚନା ପାଇଁ ଏହି ବୈଠକ ଡକାଇଥିଲେ।

ସମ୍ବନ୍ଧିତ ଖବର