ଟିଟିଲାଗଡ଼ରେ ପୁଣି ଆରମ୍ଭ ହେଲା ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା

ଟିଟିଲାଗଡ଼ : କିଛି ଦିନର ନିରବତା ପରେ ଟିଟିଲାଗଡ଼ ପୌର ପ୍ରଶାସନ ପକ୍ଷରୁ ପୁଣିଥରେ ସହରରେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ସହରର ଟ୍ରାଫିକ ବ୍ୟବସ୍ଥା ସୁଧାରିବା ପାଇଁ ପ୍ରଥମେ ସ୍ଥାନୀୟ ରେଲୱେ ଷ୍ଟେସନ ରାସ୍ତା, ମାଲଗୋଦାମ ପଡ଼ା ରାସ୍ତା ଆଦିରୁ ଜବରଦଖଲ ଉଚ୍ଛେଦ କରିବା ପରେ ସ୍ଥାନୀୟ ବନ ବିଭାଗ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରୁ ଜବରଦଖଲ ହଟା ଯାଇଥିଲା। ଆଜିର ଉଚ୍ଛେଦ ପ୍ରକ୍ରିୟାରେ ଏହି ରାସ୍ତା କଡ଼ରେ ଥିବା କିଛି ଛୋଟ ଛୋଟ ଦୋକାନ ସହ ପ୍ରଭାବତୀ ପବ୍ଲିକ ସ୍କୁଲର ପାଚେରି ଭଙ୍ଗାଯାଇଥିଲା। ନିଜେ ପୌର ନିର୍ବାହୀ ଅଧିକାରୀ ସୋମେଶ ଉପାଧ୍ୟାୟ , ସହକାରୀ ଜିଲ୍ଲାପାଳ କର୍ଣ ମଲ୍ଲିକ, ପୁଲିସ ଏସଆଇ ରବିନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ରହି ତଦାରଖ କରିଥିଲେ।

ଜବରଦଖଲ ଉଚ୍ଛେଦ ହୋଇଥିବା ରାସ୍ତା କଡ଼ରେ ଏକ ବିଦ୍ୟୁତ ଟ୍ରାନ୍ସଫର୍ମର ଥିବାରୁ ତାକୁ ମଧ୍ୟ ସ୍ଥାନାନ୍ତର କରିବାକୁ ପଦକ୍ଷେପ ନିଆଯିବ ଓ ଏହି ରାସ୍ତାକୁ ପାର୍କିଂ ପାଇଁ ମଧ୍ୟ ବ୍ୟବହାର କରିହେବ ବୋଲି କୁହାଯାଇଛି। ଅନ୍ୟପକ୍ଷ‌ରେ ସହରରେ ଉତ୍କଟ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଥିବା ପୁରୁଣା ବ୍ୟାଙ୍କ ଛକଠାରୁ ଶାସ୍ତ୍ରୀ ଛକ ପର୍ଯ୍ୟନ୍ତ ଜବରଦଖଲ କେବେ ଉଠିବ ତାହାକୁ ନେଇ ସହରବାସୀ ଉତ୍କଣ୍ଠିତ ହୋଇ ଚାହିଁ ବସିଛନ୍ତି। ଏହି ରାସ୍ତାରେ ଥିବା ଦୋକାନ ଓ ଘରଗୁଡ଼ିକୁ ଆସନ୍ତା କିଛିଦିନ ମଧ୍ୟରେ ସେମାନେ ନିଜେ ନିଜେ ମାଡ଼ି ବସିଥିବା ସ୍ଥାନ ଖାଲି କରିବେ ନଚେତ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ସ୍ଥାନୀୟ ଲୋକଙ୍କୁ କୁହାଯାଇଥିବା ଟିଟିଲାଗଡ଼ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମଲ୍ଲିକ କହିଛନ୍ତି। ସହରରେ ଜବରଦଖଲ ଉଚ୍ଛେଦକୁ ଲୋକେ ଯେତେ ସ୍ୱାଗତ କରିଛନ୍ତି ଉଚ୍ଛେଦ ପରେ ନିଆଯାଉଥିବା ପଦକ୍ଷେପକୁ ନେଇ ସେତିକି ଅସନ୍ତୋଷ ପ୍ରକାଶ କରିଛନ୍ତି। ସହରର ରେଲୱେ ଷ୍ଟେସନ ରାସ୍ତାରୁ ଜବରଦଖଲ ଉଚ୍ଛେଦ ସରିବାର ମାସେରୁ ଅଧିକ ବିତିଗଲାଣି। ହେଲେ ରାସ୍ତା ଚଉଡ଼ା କରିବାର କୌଣସି କାର୍ଯ୍ୟ ଆରମ୍ଭ ହୋଇ ନାହିଁ କିଂବା ରାସ୍ତାରେ ଥିବା ବିଦ୍ୟୁତ ଖୁଣ୍ଟଗୁଡ଼ିକ ସ୍ଥାନାନ୍ତର କରିବାକୁ କୌଣସି ପଦକ୍ଷେପ ନିଆଯାଉ ନାହିଁ ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର