ଜୟପୁର: ପୌରପାଳିକା ପକ୍ଷରୁ ଆଜି ସହରର କେବିଏସଡି ରୋଡ, ଏମଜିରୋଡ, ବେଲ ରୋଡରେ ଜବରଦଖଲ ଉଛେଦ କରାଯାଇଥିଲା। ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ସିଦ୍ଦାର୍ଥ ପଟ୍ଟନାୟକ, ଟାଉନଥାନା ସବଇନିସପେକ୍ଟର ସୁପ୍ରିୟା ପଟ୍ଟନାୟକ, ଏଏସଆଇ ବିଜୟ କୃଷ୍ଣ ପଟ୍ଟନାୟକ , ପୌରପାଳିକାର ପି.ଜଗଦୀଶ ଓ ଅନ୍ୟ କର୍ମଚାରୀଙ୍କୁ ନେଇ ପୌରପାଳିକାର ରାସ୍ତା ଉପରେ ଜବରଦଖଲ କରି କରିଥିବା ଦୋକାନକୁ ଉଛେଦ କରିଥିଲେ। କେବିଏସଡି ରୋଡ ଜଗନ୍ନାଥ ମନ୍ଦିର ପଛ ପଟେ ବହୁ ଦୋକାନ ସେଭଳି ପୌରପାଳିକା ରାସ୍ତା ଉପରରେ ମାଡି ବସିଥିବାରୁ ସେଗୁଡିକ ହଟାଇବା ସହ ସମ୍ମୁଖକୁ ଆସିଥିବା ବୋର୍ଡକୁ ବାହାର କରାଇଥିଲେ। ସେଭଳି କିଛି ଦୋକାନୀଙ୍କୁ ତୁରନ୍ତ ପୌରପାଳିକାର ସ୍ଥାନ ଖାଲି କରିବାକୁ କୁହାଯାଇଥିଲା।
ସେଭଳି ବେଲରୋଡ ନିକଟରେ ରାସ୍ତା ଉପରେ କିଛି ବାଉଁଶର ସାମଗ୍ରୀ ସହ କୁକୁଡା ବିକ୍ରୀ କରୁଥିବା ଦୋକାନୀଙ୍କୁ ରାସ୍ତା ଉପରେ କୁକୁଡା ରଖି ବିକ୍ରୀ କରିବାକୁ ମନା କରି ସଚେତନତା ସୃଷ୍ଟି କରିଥିଲେ ପୌରନିର୍ବାହୀ ଅଧିକାରୀ। ରାସ୍ତା ଉପରେ ଆଗାମୀ ଦିନରେ ସେମାନେ ରଖିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ବାଧ୍ୟ ହେବେ ବୋଲି ଉକ୍ତ ଦୋକାନୀଙ୍କୁ ପୌରନିର୍ବାହୀ ଅଧିକାରୀ ବୁଝାଇଥିଲେ। ତେବେ ସହରରେ ବ୍ୟାପକ ଭାବେ ବଡ଼ ବଡ଼ିଆ ମାନେ ପୌରପାଳିକା, ଜାତୀୟରାଜପଥକୁ ଜବରଦଖଲ କରୁଥିବା ବେଳେ ସେମାନଙ୍କ ଉପରେ ବି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି କିଛି ଦୋକାନୀ ଦାବି କରିଛନ୍ତି। ପେଟ ପାଟଣା ପାଇଁ ରାସ୍ତା ଉପରେ ଦୋକାନ କରିଥିବା ବେଳେ ଉଛେଦ କରିବା କେତେ ଦୁର ଯୁକ୍ତିଯୁକ୍ତ ବୋଲି ବି କିଛି ଦୋକାନୀ
ଆଜି ଉଛେଦ ବେଳେ ପୌରନିର୍ବାହୀ ଅଧିକାରୀଙ୍କୁ କହୁଥିବା ଦେଖିବାକୁ ମିଳିଥିଲା। ତେବେ କିଛି ଦୋକାନୀ ଏକାଧିକ ସ୍ଥାନରେ ପୌରପାଳିକାର ଜମି, ରାସ୍ତାକୁ ଜବରଦଖଲ କରି ଭଡ଼ା ଆକାରରେ ବି ଦେଇ ସହରର ବଡ଼ ରାସ୍ତାକୁ ସଂକୀର୍ଣ୍ଣ କରୁଛନ୍ତି ବୋଲି ପୌରପାଳିକା ପକ୍ଷରୁ କୁହାଯାଇଛି। ଆଗାମୀ ଦିନରେ ଜବରଦଖଲ ଉଛେଦ ଜାରୀ ରହିବ ବୋଲି ପୌର ନିର୍ବାହୀ ଅଧିକାରୀ ଶ୍ରୀ ପଟ୍ଟନାୟକ କହିଛନ୍ତି।