ସାଇନ୍ସ ପାର୍କ ପାଇଁ ସୂର୍ଯ୍ୟନଗରରେ ଜବରଦଖଲ ଉଚ୍ଛେଦ, ୫୦ ପରିବାର ବେଘର

ବଲାଙ୍ଗୀର : ଚାରିଆଡ଼େ ଜବରଦଖଲ। ସରକାରୀ ଜମି ହଡ଼ପ ବି ଚାଲିଛି। ଜମି ଦୁର୍ନୀତିରେ ଖୋଦ୍‌ ସରକାରୀ କଳ ବି ସାମିଲ ରହୁଛି। ବଲାଙ୍ଗୀର ସହରରେ ସାଇନ୍ସ ପାର୍କ ନିର୍ମାଣ ପାଇଁ ପ୍ରଶାସନ ଜବରଦଖଲ ଉଚ୍ଛେଦ ସମୟରେ ଜମି ଦୁର୍ନୀତିରୁ ନେଇ ଜବରଦଖଲର ଚିତ୍ର ସବୁକିଛି ସାମ୍ନାକୁ ଆସିଛି। ଏହି ଉଚ୍ଛେଦରେ ପ୍ରାୟ ୫୦ରୁ ଅଧିକ ଗରିବ ପରିବାର ବେଘର ହୋଇଥିବା ବେଳେ ସେମାନଙ୍କୁ ପ୍ରଶାସନ ମାତ୍ର କିଛି ଦିନ ପାଇଁ ବି ଥଇଥାନ କରିନି।

ସୂର୍ଯ୍ୟନଗର ବସ୍ତି ପ୍ରାୟ ୧୦ ବର୍ଷ ତଳେ ବସିଥିଲା। ସେଠାରେ କିଛି ଧନୀ ଲୋକ ଓ ଅଧିକାଂଶ ପ୍ରାୟତଃ ଗରିବ ଦଳିତ ଶ୍ରେଣୀର ବସବାସ କରି ରହୁଥିଲେ। ଜବରଦଖଲ ଉଚ୍ଛେଦ ପାଇଁ ସେମାନଙ୍କୁ ଗତ ୯ ତାରିଖରେ ନୋଟିସ ଦିଆଯାଇଥିଲା। ନୋଟିସ ପାଇଲା ପରେ ସୂର୍ଯ୍ୟନଗରବାସୀ ଜିଲ୍ଲାପାଳଙ୍କ ବାସଭବନ ସମ୍ମୁଖରେ ଆସି ଧାରଣା ଦେଇଥିଲେ। କିନ୍ତୁ ପ୍ରଶାସନ ଶୁଣିଲା ନାହିଁ। ତାଙ୍କ ସାଙ୍ଗରେ ଆଲୋଚନା ବି କରି ନାହିଁ। ଆଜି ସକାଳ ୭ଟାରୁ ପୌରପାଳିକାର ବୁଲଡୋଜର ଯାଇ ଲାଗିଥିଲା ସୁର୍ଯ୍ୟନଗରରେ। ଉପଜିଲ୍ଲାପାଳ ସୁଧାକର ନାଏକ, ତହସିଲଦାର ମେଘବାନ ବାଗ, ସଦର ଏସଡିପିଓ ଶ୍ରୀମନ୍ତ ବାରିକ, ପୌରନିର୍ବାହୀ ଅଧିକାରୀ ବିପିନ ଦୀପ, ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ ଇଂ. ମନୋଜ ମହାନନ୍ଦ ଓ ୨ପ୍ଲାଟୁନ ଫୋର୍ସ ପହଞ୍ଚି ଉଚ୍ଛେଦ ଆରମ୍ଭ କରିଥିଲେ। ବହୁ ବଡ଼ବଡ଼ ଘର ସହ ଗରିବଙ୍କ ଘର ସବୁ ଭଙ୍ଗାଯାଇଥିଲା। ଗୋଟିଏ ପରେ ଗୋଟିଏ ଘରେ ଡୋଜର ଲାଗିଥିଲା। ଭୂମିହୀନମାନେ ଆସି ତାଙ୍କ କାଗଜପତ୍ର ଦେଖାଇଥିଲେ ବି ଅଧିକାରୀମାନେ ଶୁଣିନଥିଲେ। ଏପରିକି କେତେ ଜଣ ବ୍ୟକ୍ତି ପଟ୍ଟା ବି ଦେଖାଇଥିଲେ। ସେହି ପଟ୍ଟା ଦେଖିଥିଲେ ବି ପ୍ରଶାସନ ଘରଗୁଡ଼ିକ ଉପରେ ଡୋଜର ଲଗାଇଛି। ସୂର୍ଯ୍ୟନଗରରେ ଏକ ବଡ଼ ଜମି ଦୁର୍ନୀତି ହୋଇଥିବା ସନ୍ଦେହ କରାଯାଉଛି। ସୂର୍ଯ୍ୟନଗରରେ ସାଇନ୍ସ ପାର୍କ ନିର୍ମାଣ ପାଇଁ ପ୍ରସ୍ତାବ ରହିଛି। ଏପରିକି ରିଂରୋଡ ବି ସେହି ପଟରୁ ଯିବାକୁ ପ୍ରସ୍ତାବ ରହିଛି। ଏଥିପାଇଁ ଏହି ଉଚ୍ଛେଦ ପ୍ରଶାସନ କରିଥିବା ଜଣାପଡ଼ିଛି। ସେ ଯାହା ହେଉନା କାହିଁକି ଲୋକଙ୍କୁ ମାତ୍ର ୨ ଦିନର ମହଲତ ଦେଇ ପୁଲିସ ଫୋର୍ସ ଯାଇ ଘର ସବୁ ଭଙ୍ଗାଯାଇଥିବା ବେଳେ ସମସ୍ତେ ବେଘର ହୋଇ ରହିଛନ୍ତି। ରାତିରେ ଏବେ କୁଆଡ଼େ ଯିବେ ପ୍ରଶ୍ନ କରିଛନ୍ତି। ଶତାଧିକ ଗରିବ ଏବେ ଖୋଲା ଆକାଶ ତଳେ ଅଛନ୍ତି। ଯାହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଅପରପଟେ ପ୍ରଶାସନ କଲେଜ ଛକ ଓ ହାତୀଶାଲପଡ଼ା ସ୍କୁଲରେ ସାତ ଦିନର ରିଲିଫ ଦେବାକୁ ବ୍ୟବସ୍ଥା କରିଥିବା ସୂଚନା ଦେଇଛି। ଉଚ୍ଛେଦ ସମୟରେ ପୁଲିସ, ରାଜସ୍ୱ ବିଭାଗ, ଅଗ୍ନିଶମ ବିଭାଗ କର୍ମଚାରୀ ଉପସ୍ଥିତ ଥିଲେ।

ଜମି ଦୁର୍ନୀତି ସାମ୍ନାକୁ ଆସିଲା!
ଜବରଦଖଲ ଉଚ୍ଛେଦରେ ଯେଉଁମାନଙ୍କ ପଟ୍ଟା ଥିଲା ସେମାନଙ୍କ ଘର ସବୁ ବି ଭାଙ୍ଗିଥିଲା। ଯାହାକୁ ନେଇ ପଟ୍ଟା ଥାଇ ଘର କରିଥିବା ଲୋକ ଦୃଢ଼ ବିରୋଧ କରିଥିଲେ। ଯଦି ସେମାନେ ରୟତି ଜମିରେ ଅଛନ୍ତି ତାଙ୍କୁ କାହିଁକି ଉଚ୍ଛେଦ କରାଗଲା? ଯଦି ତାହା ସରକାରୀ ଜମି ଥିଲା ତହସିଲ ପକ୍ଷରୁ କେମିତି ପଟ୍ଟା ଦିଆଯାଇଥିଲା? ଏଣୁ ସୂର୍ଯ୍ୟନଗର ସରକାରୀ ଜମିକୁ କନଭର୍ସନ କରାଯାଇ ଏକ ବଡ଼ଧରଣର ଜମି ଦୁର୍ନୀତି ହୋଇଥିବା ସନ୍ଦେହ କରାଯାଉଛି। କାରଣ ସେହି ଜମି ରୟତି ପରେ ଜଣେ ପରେ ଜଣେ କିଣିଛନ୍ତି। ସୂର୍ଯ୍ୟନଗର ଅଂଚଳରେ ଏବେ ବି କିଛି ସରକାରୀ ଜମି ପ୍ଲଟିଂ କରାଯାଇଥିବା ଲୋକ କହିଛନ୍ତି। ବହୁ ଲୋକ ସରକାରୀ ଜମିକୁ ପ୍ରଥମେ ନିଜ କବଜାକୁ ଉକ୍ତ ଅଂଚଳରେ ନେଇଥିଲେ। ପରବର୍ତ୍ତୀ ସମୟରେ କମ ଦରରେ ସେମାନେ ଜମି ସବୁ ଲୋକଙ୍କୁ ବିକ୍ରି କରିଥିଲେ। ଏଣୁ ସୂର୍ଯ୍ୟନଗର ଜମି ଦୁର୍ନୀତିର ତଦନ୍ତ ହେବାର ଆବଶ୍ୟକତା ରହିଛି।

୧୦ ଦିନରେ ଭାଙ୍ଗିଗଲା ଘର
ନୂଆ କରି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚରେ ଘର ନିର୍ମାଣ କରିଥିଲେ। ୧୦ ଦିନ ତଳେ ଗୃହ ପ୍ରବେଶ ହୋଇଥିଲା। ଛାତ ଘର ଭଲ ଭାବରେ ଜଣେ ବ୍ୟକ୍ତି ତିଆରି ଥିଲେ। କିଛି ନହେଲେ ବି ୧୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିବ। ସେ ଜାଣିନଥିଲେ ସରକାରୀ ଜମିରେ ଘର ନିର୍ମାଣ କରୁଛନ୍ତି। ପ୍ରଶାସନ ହଠାତ ନୋଟିସ ଦେଇଥିଲା। ଯାହାକୁ ନେଇ ହଡ଼ବଡ଼େଇ ଯାଇଥିଲେ ଗୃହକର୍ତ୍ତା। ହେଲେ କରିବେ କଣ, ଶେଷରେ ନିଜ ତିଆରି ଥିବା ଘରୁ ସାମଗ୍ରୀ ସବୁ ବାହାର କରିଥିଲେ। କବାଟ ଝରକା ଯାହା ନୂଆ ଲଗାଇଥିଲେ ସବୁ ଖୋଲୁଥିଲେ। ପ୍ରଶାସନ କ୍ଷତି ସହିଥିବା ଲୋକଙ୍କୁ କ୍ଷତିପୂରଣ କିଛିଟା ଦେଉ ବୋଲି ସେମାନେ ଦାବି କରିଥିଲେ।

ସମ୍ବନ୍ଧିତ ଖବର