ବୌଦ୍ଧ : ସହର ମଧ୍ୟରେ ସଙ୍କୁଚିତ ରାଜପଥ ଯୋଗୁଁ ବିଭିନ୍ନ ସମୟରେ ଟ୍ରାଫିକ ସମସ୍ୟା ଦେଖା ଦେଉଛି। ଦୁଇଟି ଭାରୀଯାନ ପରସ୍ପରକୁ ଅତିକ୍ରମ କରିବା ମୁସ୍କିଲ ହୋଇ ପଡ଼ୁଛି। ଫଳରେ ବହୁ ସମୟ ଗାଡ଼ି ମଟର ଜାମ ରହୁଛି। ଏନ୍ଏସି ଛକରୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ସମ୍ମୁଖ ପର୍ଯ୍ୟନ୍ତ ରାସ୍ତା ଅଧିକାଂଶ ସମୟରେ ଏଭଳି ସ୍ଥିତି ଦେଖାଯାଉଛି। ବୁଧବାର ଏନ୍ଏସି ଛକଠାରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ରାସ୍ତା କଡ଼ରେ ଥିବା ଚା’, ପାନ ଦୋକାନଗୁଡ଼ିକ ସହ ଦୋକାନ ସାମ୍ନା ଡ୍ରେନକୁ ଅକ୍ତିଆର କରାଯାଇଥିବା ସ୍ଥାନରୁ ଜବରଦଖଲ ଉଚ୍ଛେଦ କରାଯାଇଛି। ଏଥିରୁ ଏନ୍ଏସି ପକ୍ଷରୁ ନିର୍ମାଣ କରାଯାଇଥିବା ଷ୍ଟଲ ମଧ୍ୟ ପ୍ରଭାବିତ ହୋଇଛି। ରାସ୍ତା ପାର୍ଶ୍ବରେ ଥିବା ଏନ୍ଏସିର ଦ୍ୱିତଳ ଦୋକାନ ଘରର ସିଢ଼ି ଜବରଦଖଲ ସୀମାରେ ରହିଛି। ସେଗୁଡ଼ିକୁ ଭାଙ୍ଗିବା ପାଇଁ ଚିହ୍ନଟ କରାଯାଇଛି। ତେବେ ସିଢ଼ି ଭାଙ୍ଗିବା ପରେ ଉପର ମହଲା ଦୋକାନଗୁଡ଼ିକୁ ରାସ୍ତା ବନ୍ଦ ହେବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
ବୌଦ୍ଧ ସହର ମଧ୍ୟ ଦେଇ ଯାଇଥିବା ୫୭ ନଂ ଜାତୀୟ ରାଜପଥ ସବୁ ବେଳେ ବ୍ୟସ୍ତ ରହିଥାଏ। ଭାରୀଯାନଗୁଡ଼ିକର ଯାତାୟାତ ଯୋଗୁଁ ଅନେକ ସମୟରେ ସହରରେ ଟ୍ରାଫିକ୍ ସମସ୍ୟା ଦେଖା ଦେଇଥାଏ। ପୁରୁଣା କୋଠାଗୁଡ଼ିକ ଯୋଗୁଁ ସହରର କିଛି ସ୍ଥାନରେ ରାଜପଥ ସଙ୍କୁଚିତ ହୋଇ ପଡ଼ିଛି। ରାସ୍ତା ପାର୍ଶ୍ବର ଥିବା ସରକାରୀ କୋଠା ଯୋଗୁଁ ରାସ୍ତା ଓସାର ହୋଇ ପାରୁ ନାହିଁ। ଯାହା ଦ୍ୱାରା ସମସ୍ୟା ଜଟିଳ ହୋଇଥାଏ। ରାସ୍ତାର ପ୍ରଶସ୍ତୀକରଣ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ଆରମ୍ଭ ହୋଇଛି। ରାସ୍ତାକୁ ଲାଗି ରହିଥିବା ସିଡିଏମ୍ଓ ଅଫିସର ମୁଖ୍ୟ ଫାଟକ ଓ ପାଚେରି ଭଙ୍ଗା ଯାଇ ଦୂରତା ବଜାୟ ରଖି ନୂତନ ଭାବରେ ନିର୍ମାଣ କରାଯାଉଛି। କୋଭିଡ କେୟାର ସେଣ୍ଟର ସମ୍ମୁଖରେ ଥିବା ଅଣଓସାରିଆ ପୋଲକୁ ଭାଙ୍ଗି ଓସାରିଆ କରାଯାଉଛି। ତେବେ ଅନେକ ସ୍ଥାନରେ ଡ୍ରେନକୁ ମଧ୍ୟ ଲୋକେ ମାଡ଼ି ବସିଛନ୍ତି। ଦୋକାନ ସମ୍ମୁଖରେ ଥିବା ଡ୍ରେନକୁ ଅତିକ୍ରମ କରି ଜବରଦଖଲ କରି ରଖିଛନ୍ତି। ସେଗୁଡ଼ିକୁ ଚିହ୍ନଟ କରି ଭଙ୍ଗା ଯାଇଛି। ଉଚ୍ଛେଦ ବେଳେ ତହସିଲଦାର ଅବିନାଶ ପାଣ୍ଡିଆ ଉପସ୍ଥିତ ଥିବା ବେଳେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଘଟଣାସ୍ଥଳକୁ ଆସି ସ୍ଥିତି ଅନୁଧ୍ୟାନ କରିଛନ୍ତି।