ଢେଙ୍କାନାଳ: ଢେଙ୍କାନାଳ ଯୋରନ୍ଦା ମହିମା ଗାଦିରେ ମଙ୍ଗଳବାର ଜବରଦଖଲ ଉଚ୍ଛେଦ ହୋଇଛି । ବୁଲଡୋଜର ସାହାଯ୍ୟରେ ଧୁନି ମନ୍ଦିର, ବତୀ ମନ୍ଦିର ଓ ବାବାଙ୍କ ଟୁଙ୍ଗି ମାଟିରେ ମିଶିଛି। ଯୋରନ୍ଦା ମହିମା ମୁଖ୍ୟ ବକଳ ସମାଜଙ୍କ ମୁଖ୍ୟ ଗାଦି ମନ୍ଦିର ତୃତୀୟ ବେଢା ଭିତରେ କୌପିନ ସମାଜର ବତୀ ମନ୍ଦିର , ଧୂନି ମନ୍ଦିର , ଟୁଙ୍ଗି ଘର ଆଦିକୁ ଭଙ୍ଗା ଯାଇଛି । ଶେଷରେ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶରେ ଜବର ଦଖଲକୁ ଆଜି ଉଚ୍ଛେଦ କରାଯାଇଛି।
୧୯୪୩ ମସିହାରୁ ମହିମାଗାଦିରେ ଥିବା ବକଳଧାରି ମହିମାସମାଜ ଓ କୌପିନଧାରୀ ମହିମାସମାଜ ମଧ୍ୟରେ ବିବାଦ ଲାଗି ରହିଥିଲା । ମୁଖ୍ୟ ଗାଦି ମନ୍ଦିର ପ୍ରାଙ୍ଗଣରେ କୌପିନ ସମାଜଙ୍କ ୨୮ ଡେସିମିଲ ଜାଗାରେ ସବୁ ମନ୍ଦିର ଓ ଟୁଙ୍ଗି ରହିଥିବାରୁ ଏହା ହିଁ ବିବାଦର ମୁଖ୍ୟ କାରଣ ଥିଲା । ଏହାକୁ ହଟାଇବା ଲାଗି ବକଳଧାରି ମହିମାସମାଜ କୋର୍ଟର ଆଶ୍ରୟ ନେଇଥିଲେ । ଆଉ ଏହି ମାମଲା ତଳ କୋର୍ଟରୁ ଯାଇ ହାଇକୋର୍ଟରେ ପହଞ୍ଚିଥିଲା । ହାଇକୋର୍ଟ ତଳକୋର୍ଟର ରାୟକୁ କାଏମ ରଖି ୨୮ ଡିସିମିଲ ଜାଗାରେ ଥିବା ନିର୍ମାଣକୁ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ । ତଳକୋର୍ଟର ରାୟକୁ ଅଗ୍ରାହ୍ୟ ପାଇଁ କୌପିନଧାରୀ ମହିମାସମାଜର ଆବେଦନକୁ ଗ୍ରହଣ କରିନଥିଲେ । ଫଳରେ ସେଠାରେ ୧୪୪ ଧାରା ଜାରି କରାଯାଇ ମନ୍ଦିର ଓ ଟୁଙ୍ଗିଘରକୁ ମାଟିରେ ମିଶାଯାଇଛି ।
କୌପିନ ସମାଜ ସାଧୁଙ୍କ ଅଭିଯୋଗ ହେଲା, ସେମାନଙ୍କ ଲାଗି କୌଣସି ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାନଯାଇ ଏଭଳି ବୁଲଡୋଜର ବୁଲାଇବା ଠିକ ହୋଇନାହିଁ । ବର୍ତ୍ତମାନ ମନ୍ଦିରର ପୁନଃନିର୍ମାଣ ପାଇଁ ଜାଗା ଦିଆଯାଉ ବୋଲି କୌପିନ ସାଧୁ ଦାବି କରିଛନ୍ତି । ଏପରିକି ଉପରକୋର୍ଟକୁ ଯିବାକୁ ସେମାନେ ପ୍ରସ୍ତୁତ ହେଉଛନ୍ତି । ବର୍ତ୍ତମାନ ମହିମାଗାଦିରେ ୪ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ପରିସ୍ଥିତି ଉପରେ ତୀକ୍ଷଣ୍ ନଜର ରଖାଯାଇଛି । ୧୪୪ ଧାରା ବି ବଳବତ୍ତର ରହିଛି । ଆସନ୍ତା ୬୦ ଦିନ ଯାଏଁ ଏହା ବଳବତ୍ତର ରହିବ ବୋଲି କୁହାଯାଇଛି। ଆସନ୍ତା ଫେବୃଆରୀରେ ହେବ ପ୍ରସିଦ୍ଧ ଯୋରନ୍ଦାମେଳା । ଏଠାରେ ଲକ୍ଷାଧିକ ଲୋକଙ୍କ ସମାଗମ ହେବ । ତେଣୁ ଆଗୁଆ ବିବାଦର ସମାଧାନ ନ କଲେ ବିଭ୍ରାଟ ସୃଷ୍ଟି ହେବାର ଆଶଙ୍କା ରହିଛି ।