ରଗଡ଼ିରେ ଜବରଦଖଲ ଉଚ୍ଛେଦ

ରଗଡ଼ି: କୋରେଇ ବ୍ଲକ ତଥା ବ୍ୟାସନଗର ତହସିଲ ଅନ୍ଧାରୀ ପଞ୍ଚାୟତ ରଗଡ଼ି ବଜାରରେ ଜନୈକ ବ୍ୟକ୍ତିଙ୍କ କବ୍‌ଜାରେ ଥିବା ଖାତା ନମ୍ବର ୨୧୨୫ ପତିତ ଜମିରୁ ଶୁକ୍ରବାର ଦିନ ଜବରଦଖଲ ଉଚ୍ଛେଦ ହୋଇଛି। ସଂପୃକ୍ତ ବ୍ୟକ୍ତି ଏହା ଉପରେ ଏକ ଗୃହ ନିର୍ମାଣ କରିଥିଲେ। ଗ୍ରାମବାସୀଙ୍କ ପକ୍ଷରୁ ଏହାକୁ ଉଚ୍ଛେଦ କରିବା ପାଇଁ ପ୍ରଶାସନ ନିକଟରେ ଦାବି ହୋଇଥିଲା। ବ୍ୟାସନଗର ତହସିଲ ପକ୍ଷରୁ ବେଆଇନ ଦଖଲ ଉଚ୍ଛେଦ ପାଇଁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ତିନିଥର ନୋଟିସ ଜାରି କରାଯାଇଥିଲେ ମଧ୍ୟ ସେ ସହଯୋଗ କରିନଥିଲେ।

ବ୍ୟାସନଗର ତହସିଲଦାର ଅଶୋକ କୁମାର ମାଝି, ଅତିରିକ୍ତ ତହସିଲଦାର ବିକ୍ରମ କୁମାର ମଲ୍ଲିକ ଏବଂ ଆର୍‌ଆଇ ରବିନାରାୟଣ ସାହୁଙ୍କ ଉପସ୍ଥିତିରେ ଜେସିବି ଦ୍ଵାରା ଉଚ୍ଛେଦ କାର୍ଯ୍ୟ କରାଯାଇଥିଲା। ଆଇନଶୃଙ୍ଖଳା ପରିସ୍ଥିତି ପାଇଁ କୋରେଇ ଥାନା ଅଧିକାରୀ ଶ୍ରବଣ କୁମାର ମହାରଣା, ଏଏସ୍‌ଆଇ ଅମୂଲ୍ୟ କୁମାର ମିଶ୍ରଙ୍କ ସମେତ ଏକ ପ୍ଲାଟୁନ ପୁଲିସ ଫୋର୍ସ ଉପସ୍ଥିତ ଥିଲେ। ଆଇନ୍ ପଦକ୍ଷେପ ନେବା ପୂର୍ବରୁ ସରକାରୀ ଜମି ଜବରଦଖଲ କରିଥିବା ବ୍ୟକ୍ତି ତୁରନ୍ତ ତାହା ଖାଲି କରିବାକୁ ଉପସ୍ଥିତ ଜନସାଧାରଣଙ୍କୁ ତହସିଲଦାର ପରାମର୍ଶ ଦେଇଥିଲେ।

ଏହି ମୌଜାରେ ବହୁ ପରିମାଣର ସରକାରୀ ଜମି ଜବରଦଖଲରେ ରହିଥିବାରୁ ପ୍ରଶାସନ ପକ୍ଷରୁ ସେଗୁଡ଼ିକ ଉଚ୍ଛେଦ କରିବା ଲାଗି ପଦକ୍ଷେପ ନେବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର